ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଶ୍ୱ ହିନ୍ଦୁ ପରିଷଦର ୧୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସ୍ଥାନୀୟ ବଳରାମ ମନ୍ଦିର ଠାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ରଘୁନାଥ ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଶରତ ଚନ୍ଦ୍ର ଷଡ଼ଙ୍ଗୀ ପୂର୍ବ ପ୍ରାନ୍ତ ସଂରକ୍ଷଣ ତଥା ଜିଲ୍ଲା ପ୍ରଭାରୀ ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ, ଲକ୍ଷ୍ୟ, ବିଚାର ଉପରେ ଆଗକୁ ନେବା ପାଇଁ ଉଦବୋଧନ ଦେବା ସହିତ ସଂଗଠନ ପରିଚାଳନା ଦାୟିତ୍ୱ ଓ ପଦବୀ ଘୋଷଣା କରିଥିଲେ । ଜିଲ୍ଲାରେ ଥିବା ବହୁ ପୁରାତନ ମଠ ଓ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣରେ ବହୁ ଅସୁବିଧା ହେଉଛି ବୋଲି ଜିଲ୍ଲା ଉପସଭାପତି ଶ୍ରୀ ସାହୁ ମତ ରଖିଥିଲେ । ଆଗାମୀ ଦିନରେ କିପରି ଭାବେ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ ସେ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ରାଉତ ପୂର୍ବ ବର୍ଷ ସାଙ୍ଗଠନିକ କାର୍ଯ୍ୟକ୍ରମ ବିଷୟରେ ଜଣାଇବା ସହିତ ଆଗାମୀ ବର୍ଷ କିପରି କାର୍ଯ୍ୟକ୍ରମ ପରିଚାଳିତ ହେବ ତାହା ଜଣାଇଥିଲେ । ଏଥିସହିତ ହିତାଧିକାରୀ ସଂଗ୍ରହ ଯୋଜନା କିପରି ହେବ ସେ ବିଷୟରେ ଶ୍ରୀ ରାଉତ ମତ ରଖିଥିଲେ । ଶେଷରେ ବଜରଙ୍ଗ ଦଳ ଜିଲ୍ଲା ସଂରକ୍ଷକ ଧୀରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରି ସଭାକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି