ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ରବିବାର ଦିନ ସ୍ଥାନୀୟ ଶ୍ୟାମାଚରଣପୁର ସାଇ ଶ୍ରୀକ୍ଷେତ ନିକଟରେ ବି.ବି.ହାଇସ୍କୁଲ ୧୯୮୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ବନ୍ଧୁ ଓ ବାନ୍ଧବୀ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୈତାରୀ ପରିଡା ଓ ଅବସରପ୍ରାପ୍ତ ଶିକ୍ଷକ, କବି ତଥା ଶିଳ୍ପୀ ଶ୍ରୀଯୁକ୍ତ ପରେଶ ପତ୍ତନୟକ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସର୍ବପ୍ରଥମେ ଜଗନ୍ନାଥଙ୍କ ବିଗ୍ରହରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଉପସ୍ଥିତ ଗୁରୁଃଜିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ସହ ସ୍ୱାଗତ କରାଯାଇଥିଲା । ନିକଟରେ ଇହଲୀଳା ସମ୍ବରଣ କରିଥିବା ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ମହାପାତ୍ର ଓ ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ ତଥା ବିଗତ ବର୍ଷ ମାନଙ୍କରେ ଇହଲୀଳା ସମ୍ବରଣ କରିଥିବା ଶିକ୍ଷକବୃନ୍ଦ, ଅଭିଭାବକଗଣ ଓ ବନ୍ଧୁମାନଙ୍କର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଜ୍ଞାନ ରଞ୍ଜନ ନନ୍ଦ ତାଙ୍କ ଦ୍ୱାରା ରଚିତ କବିତା ‘ବନ୍ଧୁମିଳନ’କୁ ଆବୃତ୍ତି କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗୁରୁଜୀମାନେ ସେମାନଙ୍କର ଭାଷଣ ମାଧ୍ୟମରେ ବି.ବି.ହାଇସ୍କୁଲ ମହିମା ଆଲୋଚନା କରିବା ସହ ନିଜ କର୍ମ ପରିସରରେ ସୋପାନ ପରେ ସୋପାନ ଅତିକ୍ରମ କରିବାକୁ ପ୍ରେରଣା ଦେଇଥିଲେ । ବନ୍ଧୁ ତଥା ଢେଙ୍କାନାଳ ପୌରାଞ୍ଚଳର ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ ତାଙ୍କ କାର୍ଯ୍ୟକଳାରେ ହୋଇଥିବା କାର୍ଯ୍ୟଗୁଡିକୁ ସମସ୍ତଙ୍କୁ ଅବଗତ କରାଇଥିଲେ । ସମରେନ୍ଦ୍ର ତ୍ରିପାଠୀ ଓ ଅମ୍ବିକା ବରାଳ ଧନ୍ୟବାଦ ପ୍ରଦାନ କରିଥିଲେ । ଅଭିଭାଷଣ କାର୍ଯ୍ୟକ୍ରମ ପରେ ଗୁରୁଜୀ ପରେଶ ପଟ୍ଟନାୟକ ତାଙ୍କର ଏକ କବିତା ପରିବେଷଣ କରିଥିଲେ ଓ ମ୍ୟାଜିକ ପଛରେ ଥିବା ରହସ୍ୟ ବତାଇ ଦେଇ ମ୍ୟାଜିକ ଦେଖାଇଥିଲେ । ସମରେନ୍ଦ୍ର ମିଶ୍ର ବିଭିନ୍ନ ମଜାଦାର କଥା କହି ମନୋରଞ୍ଜନ କରିଥିଲେ । ପୂର୍ବ ବନ୍ଧୁମିଳନ ସଭାରେ ଅନୁପସ୍ଥିତ ଥିବା ବନ୍ଧୁ ଓ ବାନ୍ଧବୀମାନେ ସେମାନଙ୍କର ନିଜ ନିଜର ବର୍ତ୍ତମାନର ସ୍ଥିତି ବିଷୟରେ ଅବଗତ କରାଇଥିଲେ । ତାପରେ ମଧ୍ୟାହ୍ନ ଭୋଜନ କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି