

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଆର୍ମି ଏଡି ସେଣ୍ଟର ପକ୍ଷରୁ ଭେଟେରାନ୍ ଦିବସରେ ରାଲି, ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ୨୦୧୪ ମସିହା ଜୁଲାଇ ୧ ତାରିଖ ଠାରୁ ଭାରତ ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ଭାରତୀୟ ସେନାରେ ରହିଥିବା ସୈନିକ ମାନଙ୍କ ସେବା ସ୍ମୃତି ଦିବସ ରୂପେ ଏହି ଦିବସଟିକୁ ପ୍ରତ୍ୟେକ ବର୍ଷ ପାଳନ କରାଯାଉଅଛି । କୋଭିଡ୍ କଟକଣା ରହିଥିବା ହେତୁ ଚଳିତ ବର୍ଷର ଏହି ଦିବସଟିକୁ ଭିଡିଓ କନଫରେନ୍ସିଂ ଜରିଆରେ ପାଳନ କରାଯାଇଛି । ଆର୍ମି ଏଡି ସେଣ୍ଟରର ବ୍ରିଗେଡିଅର୍ ସୁମିତ୍ ମାଥୁର୍ ଜଣାଇଥିଲେ ଯେ, ଭାରତୀୟ ସେନାରେ ଭାରତୀୟ ସୈନିକଗଣ ଦେଶର ସୁରକ୍ଷା ଦିଗରେ ଅନେକ ମହତ୍ବପୂର୍ଣ୍ଣ ସେବା ଯୋଗାଇ ଦେଇ ଆସୁଛନ୍ତି । ସେମାନଙ୍କ ଅବସର ପରେ କିମ୍ବା ଦେଶ ସେବାକରି ପ୍ରାଣ ଉତ୍ସର୍ଗ କରିଥିବା ବୀର ସୈନିକ ମାନଙ୍କର ପରିବାର ବର୍ଗଙ୍କ ଠାରେ ଦେଖାଦେଇ ଆସୁଥିବା ସମସ୍ୟା ଗୁଡିକ ସମାଧାନ କ୍ଷେତ୍ରରେ ଏହି ଦିବସ ମହତ୍ବ ବହନ କରିଆସୁଅଛି । ସୈନିକ ମାନଙ୍କର ଅସୁବିଧା ଗୁଡିକୁ ଜଣାଇଲେ ସେଗୁଡିକର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ସେମାନଙ୍କୁ ଆର୍ଥିକ ପଲିସି ଏବଂ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ଏବଂ ପେନସନ୍ ଯୋଜନାର ସୁବିଧା ପାଇଁ ପଦକ୍ଷେପ ନିଆଯିବ । ଚିପ୍ ରେକର୍ଡ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁରେନ୍ଦ୍ର କୁମାର ଜଣାଇଥିଲେଯେ, ଭାରତୀୟ ସରକାରଙ୍କ ବହୁତ ଗୁଡିଏ ଲାଭକାରୀ ଯୋଜନା ଭୂତପୂର୍ବ ସୈନିକ ମାନଙ୍କ ନିମନ୍ତେ ପ୍ରଦାନ କରାଯାଏ । ସେମାନଙ୍କୁ ଲାଭ ଦେବା ଦିଗରେ ବିଭିନ୍ନ ଯୋଜନା ସମ୍ପର୍କିତ ସୂଚନା ଦିଆଯାଏ । ଏହି ଅବସରରେ ତଥ୍ୟ ସମ୍ବଳିତ ଏକ ପୁସ୍ତକ ଉନ୍ମୋଚନ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେଯେ ସୈନିକ ମାନଙ୍କ ସୁବିଧା ନିମନ୍ତେ ତାଙ୍କ ଗ୍ରାମରେ ରହିଥିବା ଅସୁବିଧା ଗୁଡିକ ଜଣାନ୍ତୁ । ସେଗୁଡିକର ସମାଧାନ ଦିଗରେ ସାଧାରଣ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ । ବିଦ୍ୟାଳୟ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ରାସ୍ତା ଭଳି ଯାହା ଆବଶ୍ୟକତା ରହିଛି ସେଗୁଡିକ ସମାଧାନ କରାଯିବ । ପ୍ରତ୍ୟେକ ସୋମବାର ଦିନ ଗ୍ରାମାଞ୍ଚଳରେ ସଫେଇ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟର ଉନ୍ନତି ଦିଗରେ ପରାମର୍ଶ ଦେଲେ ସେହି ଅନୁଯାୟୀ କାର୍ଯ୍ୟକାରୀ କରାଯିବ । ଏହି ଅବସରରେ ଭୂତପୂର୍ବ ସୈନିକ ମାନଙ୍କର ବୀରତ୍ବ ସକାଶେ ସେମାନଙ୍କ ଧର୍ମପତ୍ନୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ୨୩.୧୧.୧୯୬୨ରେ ଭାରତ ଏବଂ ଚୀନ୍ ଯୁଦ୍ଧରେ ଶହୀଦ୍ ହୋଇଥିବା ବୀର ସୈନିକ ଏମ୍. ଆପାଇଚଙ୍କ ଧର୍ମପତ୍ନୀ ସରସ୍ୱତୀ ଆମ୍ମା, ୨୮.୦୮.୧୯୯୦ରେ ଶହୀଦ୍ ହୋଇଥିବା ସୈନିକ ଏଚ୍. କେ.ନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ନାୟକ, ୧୯.୦୫.୧୯୯୫ରେ ଶହୀଦ୍ ହୋଇଥିବା ସୈନିକ ଏସ୍.ଏନ୍.ବେହେରାଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ, ୧୨.୦୧.୧୯୯୪ରେ ଶହୀଦ୍ ହୋଇଥିବା ଭି. ଚନ୍ଦ୍ର ରାଓଙ୍କ ପତ୍ନୀ ଭି. ତୁଳସୀ ଆମ୍ମା, ୬.୮.୧୯୯୬ରେ ଶହୀଦ୍ ହୋଇଥିବା ବୀରଜବାନ୍ ଏ.ଗୋବିନ୍ଦ ରାଓଙ୍କ ଧର୍ମପତ୍ନୀ ଭାନୁମତି ଏବଂ ୧୦.୧୦.୨୦୧୮ ମସିହାରେ ଶହୀଦ୍ ହୋଇଥିବା ଏ.ଜେ.ରାଓଙ୍କ ଧର୍ମପତ୍ନୀ କମଳାଙ୍କୁ ସମ୍ମନୀତ କରାଯାଇଥିଲା ବୋଲ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା







