ବୁଗୁଡା (ସମୃଦ୍ଧ ଓଡିଶା) ସୁରାଟରୁ ୫୪ ଜଣଙ୍କୁ ଧରି ଫେରିଥିବା ବସ ବୁଗୁଡ଼ାରେ ପହଞ୍ଚିବା ପରେ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ଓ ଶୋଭନୀୟ ପବ୍ଲିକ ସ୍କୁଲରେ ରହିଥିବା ଜଣାପଡ଼ିଛି । ୫୪ ଜଣଙ୍କ ମଧ୍ୟରୁ ୪୧ ପୁରୁଷ, ୭ ଜଣ ମହିଳା ଓ ୬ ଜଣ ଛୋଟ ପିଲା ରହିଛନ୍ତି । ବୁଗୁଡା, ଜଗନ୍ନାଥ ପ୍ରସାଦ ଓ ଭଞ୍ଜନଗର ଅଞ୍ଚଳର ନିଜ ସମ୍ପର୍କୀୟ ମାନେ ଏକାଠି ହୋଇ ଏହି ବସରେ ଆସିଥିବା ଜଣାପଡ଼ିଛି । ବସଟିକୁ ପୋଲିସ ଏସ୍କାର୍ଟ ମଧ୍ୟରେ ବୁଗୁଡା ଅଣାଯାଇଥିଲା । ଯାତ୍ରୀମାନେ ପହଁଞ୍ଚିବା ସମୟରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହରା, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ମେଡିକାଲ ଟିମ ଉପସ୍ଥିତ ଥିଲେ । ଡାକ୍ତରୀ ଟିମ ୫୪ ଜଣ ସୁରାଟ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୪୧ ପୁରୁଷ ଶୋଭନୀୟ ପବ୍ଲିକରେ ରହିଥିବା ବେଳେ ୭ ଜଣ ମହିଳା ଓ ୬ ଜଣ ପିଲା ଏହିପରି ୧୩ ଜଣ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲରେ ରହିଛନ୍ତି । ସେହିପରି କଳିଙ୍ଗା ଘାଟି ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ବୁଗୁଡା ଅଞ୍ଚଳର ହୋଇଥିବା ବେଳେ ଚିତ୍ତରଞ୍ଜନ ସେଠୀଙ୍କ ଘର ବୁଗୁଡା ପିପୁଲସ କଲେଜ ନିକଟ ବରଡିପଲ୍ଲୀ ଓ ସନ୍ତୋଷ ସେଠୀଙ୍କ ଘର ମୋଟାବାଡ଼ି ପଞ୍ଚାୟତର ବୋଲି ଜଣାପଡ଼ିଛି । ଦ୍ଵିତୀୟ ବସ ରାତ୍ର ୧୧ ଘଣ୍ଟା ସମୟରେ ୫୬ ଜଣ ସୁରାଟ ଫେରନ୍ତା ଯାତ୍ରୀଙ୍କୁ ନେଇ ବୁଗୁଡ଼ାରେ ପହଞ୍ଚିଥବା ବେଳେ ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟରେ ରହିବା ସମ୍ଭାବନା ରହିଥିବା ଜଣାପଡିଛି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା