ବୁଗୁଡ଼ାରେ ଜଣେ ଓକିଲଙ୍କୁ ପୋଲିସର ମାଡ଼ ଘଟଣାକୁ ନେଇ ଗଞ୍ଜାମ ଓକିଲ ସଂଘର ଦୃଢ ନିନ୍ଦା, ଜରୁରୀ ବୈଠକ, ଗଞ୍ଜାମ ବନ୍ଦ ପାଇଁ ଆହ୍ୱାନ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡ଼ାର ଜଣେ ଆଇନ ଓକିଲଙ୍କୁ ଥାନା ଅଧିକାରୀଙ୍କ ମାଡ଼ ଘଟଣାକୁ ଘୋର ନିନ୍ଦା କରି ଗତକାଲି ଗଞ୍ଜାମଜିଲ୍ଲା ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଓକିଲମାନଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ହୋଇଥିଲେ । ଏହି ବୈଠକରେ ଫେକ୍ଟ ଫାଇଣ୍ଡିଂ ଟିମ୍ ବୁଗୁଡ଼ା ଯାଇ ସେଠାର ଓକିଲ ସଂଘ ସହ ଆଲୋଚନା କରି ଆହତ ଓକିଲଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝାବୁଝି କରିଥିଲେ । ଆଜି ଗଞ୍ଜାମ ଓକିଲ ସଂଘର କୋର୍ଟ କାର୍ଯ୍ୟ ବନ୍ଦ ଡ଼ାକରା ଦିଆଯାଇଛି । ଦକ୍ଷିଣାଞ୍ଚଳ ଡ଼ିଆଇଜିଙ୍କୁ ସମସ୍ତ ଓକିଲ ସଂଘର ସଦସ୍ୟମାନେ ସାକ୍ଷାତ କରି ଏ ସମ୍ପର୍କରେ ଏକ ସ୍ମାରକପତ୍ର ଦେଇଥିଲେ । ବୁଗୁଡ଼ା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳଙ୍କ ମାତ୍ରାଧିକ କାର୍ଯ୍ୟ ପାଇଁ ନିନ୍ଦା କରିବା ସହ ତାଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବା ପାଇଁ ସଂଘ ଦାବି କରିଥିଲେ ଏବଂ ତୁରନ୍ତ ତାଙ୍କୁ କାର୍ଯ୍ୟରୁ ବହିସ୍କୃତ କରିବାକୁ ଦାବି କରିଥିଲେ । ଏହି ବୈଠକରେ ସଂଘର ସଭାପତି ମୋହନ ସିଙ୍ଗାରୀଙ୍କ ସମେତ ସମ୍ପାଦକ ପ୍ରକାଶ ଦାଶ, ସହ ସଂପାଦକ ବାପୁଜୀ ପଟ୍ଟନାୟକ, ଉପସଭାପତି ରବିନ୍ଦ୍ର ଦେଓ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଞ୍ଜାମ ଓକିଲ ସଂଘର ସଭାପତି ବସନ୍ତ ପଣ୍ଡା, ଶିଶିର ପାଢିଙ୍କ ସମେତ ପୂର୍ବତନ ସମ୍ପାଦକ ପ୍ରଦୀପ ପଣ୍ଡା, ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଓକିଲଙ୍କୁ ମାଡ ଘଟଣାକୁ ନେଇ ଓଡିଶା ହାଇକୋର୍ଟରେ ଦୁଇ ମାସ ହେଲା ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଗତକାଲି ପ୍ରତ୍ୟାହୃତ ହେଲା ପରେ ପୁଣି ବୁଗୁଡ଼ାରେ ଓକିଲଙ୍କୁ ପୋଲିସର ମାଡ଼ ଘଟଣାକୁ ନେଇ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟ ପୋଲିସ ମହାନିର୍ଦେଶକ ଏ ସମ୍ପର୍କରେ ଖବର ପାଇଥିଲେ ମଧ୍ୟ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ଦୃଷ୍ଟି ଗୋଚର ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଗଞ୍ଜାମଜିଲ୍ଲା ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଅନ୍ୟପକ୍ଷରେ ଗତକାଲି ପୋଲସରା ନିର୍ବାଚନ ମଣ୍ଡଳୀର ବିଜେପି ନେତୃମଣ୍ଡଳୀ ଦକ୍ଷିଣାଞ୍ଚଳ ଦିଆଇଜିଙ୍କୁ ସାକ୍ଷାତ କରି ଏହି ଘଟଣାର ନିନ୍ଦା କରିବା ସହ ସମ୍ପୃକ୍ତ ପୋଲିସ ଅଫିସରଙ୍କୁ ଚାକିରିରୁ ନିଲମ୍ବନ କରି ଗିରଫ କରିବାକୁ ଦାବି ଜଣାଇଥିଲେ । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା