ଜଳେଶ୍ୱର(ସମୃଦ୍ଧ ଓଡିଶା )ସେକସରାଇସ୍ଥିତ ବିବେକାନନ୍ଦ ନଗରର ଅବସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମରେ ଆଜି ରାମକୃଷ୍ଣ ଓ ବିବେକାନନ୍ଦ ଉଦାରଧର୍ମବୋଧ ସଂପର୍କରେ ମୁଖ୍ୟ ଅତିଥିଭାବେ ହାଓଡା ରାମକୃଷ୍ଣ-ବିବେକାନନ୍ଦ ଭାବପ୍ରଚାର ପରିଷଦ, ବେଲୁରମଠର ସ୍ୱାମୀଜୀ ଅଚ୍ୟୁତାତ୍ମାନନ୍ଦଜୀ ମହାରାଜ ଦିକ୍ଷାନ୍ତ ଅଭିଭାଷଣ ରଖିଥିଲେ । ପଶ୍ଚିମବଂଗ ଓ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ ଧର୍ମଭାବାତ୍ମକ ବ୍ୟକ୍ତିମାନେ ଭାବ ବିହ୍ୱୋଳ ହୋଇ ଶୁଣୁଥିବା ବେଳେ ହଠାତ୍ ମହାରାଜ ଅସୁସ୍ଥ ଅନୁଭବ କରିବା ସହ ଚେତାଶୂନ୍ୟ ହୋଇପଡିଥିଲେ । ମଂଚରେ ଉପସ୍ଥିତ ମହାରାଜ ଓ ଆଶ୍ରମ କର୍ତ୍ତୃପକ୍ଷ ଚିକିତ୍ସାର ବ୍ୟବସ୍ଥା କରିଥିଲେ । ସେଠାରେ ରାମକୃଷ୍ଣ ମିଶନ ପକ୍ଷରୁ ଚାଲିଥିବା ଏକ ମାଗଣା ଚିକିତ୍ସାକେନ୍ଦ୍ରରେ ପୁର୍ବମେଦିନୀପୁର ଜିଲାର ସିଡିଏମ୍ଓ ତଥା ଅନୁଷ୍ଠାନର ସହ ସଂପାଦକ ଡା. ନିତାଇଚରଣ ମଣ୍ଡଳଙ୍କ ନେତୃତ୍ୱରେ ଉପସ୍ଥିତଥିବା ୬ଜଣ ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ । ପରେ ତାଙ୍କର ଚେତା ଫେରିଥିଲେ ମଧ୍ୟ ଅଧିକ ଚିକିତ୍ସାପାଇଁ ତାଙ୍କୁ ଏଠାରୁ ହାଓଡାସ୍ଥିତ ରାମକୃଷ୍ଣ ସେବାପ୍ରତିଷ୍ଠାନକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା