ବୋଇତ ବନ୍ଦାଇବା ଉତ୍ସବ ଦେଖିବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ବୁଡିଗଲେ ଦୁଇଜଣ ନାବାଳକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବୋଇତ ବନ୍ଦାଇବା ଉତ୍ସବ ଦେଖିବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ବୁଡିଗଲେ ଦୁଇଜଣ ନାବାଳକ । ଜଳେଶ୍ୱର ବ୍ଲକ କୋଟସାହି ଗ୍ରାମ ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀଦାର ବୁଢି ଘାଟରେ ଗତକାଲି ସକାଳ ୬ଟାସମୟରେ ପଞ୍ଚୁକ ଉତ୍ସବ ଉପଲକ୍ଷେ ବୋଇତ ଭସାଇବା ପାଇଁ ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନେ ଆସିଥିଲେ । ସେମାନଙ୍କ ମଧ୍ୟରେ ଗୋବଦ୍ଧନପୁର ଗ୍ରାମର ଗୁରୁବାରି ନାଥଙ୍କ ପୁଅ ସାମଲ ନାଥ (୧୨) ଓ ଶ୍ରୀପତୀ ନାଥଙ୍କ ପୁଅ ପଙ୍କଜ ନାଥ (୧୩) ବଇତ ବନ୍ଦାଣ ଦେଖିବାକୁ ଆସିଥିଲେ । ସେମାନେ ପାଣିରେ ଭାସୁଥିବା ଡଙ୍ଗା ଗୁଡିକରେ ଥିବା ଟଙ୍କାକୁ ଗୋଟାଇବାରେ ଲାଗିଥିଲେ । ତେବେ ଡଙ୍ଗାଗୁଡିକ ପାଣି ଭିତରକୁ ଚାଲି ଯାଉଥିବାରୁ ସେମାନେ ମଧ୍ୟ ପାଣି ଭିତରକୁ ଚାଲି ଯାଇଥିଲେ । ପାଣିର ଗଭିରତା ଅଧିକ ଥିବାରୁ ସେମାନେ ପାଣିରେ ବୁଡି ଯାଇଥିଲେ । ଦିନ ୧୦ଟା ସମୟରେ ପିଲାମାନେ ଘରକୁ ନ ଫେରିବାରୁ ପରିବାର ଲୋକମାନେ ଖୋଜା ଖୋଜି କରିଥିଲେ । ନଦୀ ଘାଟରେ ସେମାନଙ୍କର ଜୋତା ଥିବାର ଦେଖାଯାଇଥିଲା । ଏହା ପରେ ଗ୍ରାମବାସୀ ଓ ପରିବାରର ଲୋକମାନେ ନଦୀରେ ଖୋଜିଥିଲେ । ଏହି ଘଟଣା ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଘଟଣା ସ୍ଥଳରେ ଅଗ୍ନୀଶମ ବିଭାଗ ଓ ଗ୍ରାମବାସୀମାନେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ପିଲାମାନଙ୍କର ଖବର ମିଳି ନ ଥିଲା । ପିଲାମାନଙ୍କର ବାପା ମା ଓ ଗ୍ରାମବାସୀମାନେ ଏଥିପାଇଁ ଚିନ୍ତାରେ ରହିଥିବାର ଜଣାପଡ଼ିଛି ।

ରିପୋଟ : ଭୂପତି କୁମାର ପରିଡା