ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ଜାନୁଆରୀ ୨୧ ତାରିଖ ଦିନ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଗଞ୍ଜାମଜିଲ୍ଲା ଶାଖା ତରଫରୁ ଓଡ଼ିଶାରେ ସମ୍ପୂର୍ଣ୍ଣ ରୂପେ ମଦ ବନ୍ଦ କରିବା ପାଇଁ କାମାପଲ୍ଲୀ ନିକଟସ୍ଥ ତହସିଲଦାର ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଆରମ୍ଭ ହୋଇଛି । ଏହି ଗଣଧାରଣାରେ ବ୍ରହ୍ମପୁରର ବିଭିନ୍ନ ସ୍ୱଚ୍ଛାସେବୀ ସଂସ୍ଥା ଯୋଗ ଦେଇଛନ୍ତି ଯଥା ଯୁଗଶକ୍ତି ଗାୟତ୍ରୀ ପରିବାର, ପାତଞ୍ଜଳି ପରିବାର, ଲାୟନ୍ସ କ୍ଲବ, ୱାକର୍ଷ କ୍ଳବ, ଲଫିଙ୍ଗ କ୍ଲବ, ଗଞ୍ଜାମଜିଲ୍ଲା ସିନିୟର ସିଟୀଜେନ ସୁରକ୍ଷା ମଞ୍ଚ, ଗଞ୍ଜାମଜିଲ୍ଲା ବିକାଶ ମଞ୍ଚ, ମାନବଧିକାର ସୁରକ୍ଷା ମଞ୍ଚ, କଳିଙ୍ଗ ଗଣ ପରିଷଦ, ସମାଜ ଆନ୍ଦୋଳନ ଓଡିଶା, ସକ୍ରିୟ ନାଗରିକ ସଂଗଠନ ସହିତ ଆହୁରି ଅନେକ ସମଭାବାପନ୍ନ ସଂସ୍ଥା ଏଥିରେ ସାମିଲ ହେବାକୁ ସମ୍ମତି ପ୍ରଦାନ କରିଛନ୍ତି । ଏହି ଆନ୍ଦୋଳନ ଆସନ୍ତା ଜାନୁଆରୀ ୩୦ ତାରିଖ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପର୍ଯ୍ୟନ୍ତ ଚାଲୁ ରହିବ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କର ନିଶା ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାକୁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦିଆଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରାଧାଚରଣ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଗୁପ୍ତେଶ୍ଵର ଷଡ଼ଙ୍ଗୀ, ଶିବ ପ୍ରସାଦ ମିଶ୍ର, ଶ୍ରୀମତୀ ସବିତା ସାହୁକାର, ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସହ ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀରୁ ‘ମୋନା’ର ଉପସଭାପତି ଡ଼. ବିଜୟ ସ୍ୱାଇଁ, କୋର କମିଟି ସଦସ୍ୟ ଆଇନଜୀବୀ ଅର୍ଜୁନ ସମନ୍ତରାୟ, ଖଗେଶ୍ୱର ବଳ ଏବଂ ମଳୟ କୁମାର ତ୍ରିପାଠୀ ପ୍ରଭୃତି ଯୋଗଦେଇ ରାଜ୍ୟକୁ ମଦମୁକ୍ତ କରିବା ନିମନ୍ତେ ସରକାରଙ୍କୁ ଆହ୍ୱାନ ଏବଂ ଚେତାବନୀ ଦେଇଥିଲେ । ଏହି ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା