


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶା ହକି ବିଶ୍ୱକପ୍ ଆସନ୍ତା ୨୮ରୁ ଡ଼ିସେମ୍ବର ୧୬ ପର୍ଯ୍ୟନ୍ତ ଭୂବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ମାସ୍କଟ୍ ‘ଓଲି’ ବ୍ରହ୍ମପୁରରେ ପହଞ୍ଚିଥିଲେ । ସେଠାରେ ଓଲିକୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ଷ୍ଟାଡ଼ିୟମ୍ ରେ ଏକ ଉତ୍ସବ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀ,ଏନସିସି କ୍ୟାଡ଼େଟ୍, ଖେଳାଳୀ, ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନାଚ, ଗୀତ ମଧ୍ୟରେ ମାସ୍କଟକୁ ସ୍ୱାଗତ କରିବା ସହ ନଗର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେଡ଼ି ନେତା ଚନ୍ଦ୍ରଶେଖର ସାହୁ, ଯୁବ ନେତା ବିକ୍ରମ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ ସାହୁ, ଜିଲ୍ଲା କ୍ରୀଡ଼ା ସଂଘର ସଭାପତି ଅଶୋକ ସାହୁ, ପ୍ରଫୁଲ ଜଗନ୍ନାଥ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା