
ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ଉପାଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅଦାଲତ(କ୍ୟାମ୍ପ କୋର୍ଟ) ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏଥିରେ ୬୫ଟି ମାମଲାର ଶୁଣାଣି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ସେଥିମଧ୍ୟରୁ ୩୯ଟି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ପହଞ୍ଚିଥିଲେ । ଆଉ ବଳକା ମାମଲାର ଅପରପକ୍ଷ ଅନୁପସ୍ଥିତ ଥିବା ଯୋଗୁଁ କୌଣସିଟି ଫଇସଲାର ଶୁଣାଣି କରାଯାଇପାରିନଥିଲା । ସେଥି ମଧ୍ୟରୁ ୬ଟି ମାମଲାର କେବଳ ଅପର ପକ୍ଷ ହିଁ ଉପସ୍ଥିତ ରହିଥିଲେ । କିନ୍ତୁ ସେମାନଙ୍କ ଏତଲାକାରୀଙ୍କ ପକ୍ଷରୁ କେହି ଉପସ୍ଥିତ ନଥିଲେ । ତେବେ ବହୁ ସଂଖ୍ୟକ ମାମଲାର ଅପରପକ୍ଷ ଅନୁପସ୍ଥିତି ଥିବା ନେଇ ମହିଳା ଆୟୋଗ ସଦସ୍ୟମାନେ ଉଦବେଗ ଏବଂ ଅସନ୍ତୋଷ ପ୍ରକାଶ କରିଥିଲେ । ୪ ମାମଲାର ଆପୋସ ସମାଧାନ ହୋଇଥିବା ବେଳେ ଗୋଟିଏ ମାମଲାର ତଦନ୍ତ ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ୨ଟି ମାମଲା ସୁରକ୍ଷା ଅଧିକାରୀଙ୍କ ପାଖକୁ ତଦନ୍ତ ପାଇଁ ପଠାଇ ଦିଆଯାଇଥିବା ବେଳେ ୩ ମାମଲାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପାଖକୁ ପଠାଇ ଦିଆଯାଇଛି । ୨୮ ମାମଲାର ଶୁଣାଣି ପୁଣି ଥରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉଭୟ ପକ୍ଷରୁ ଅସହଯୋଗ ଯୋଗୁଁ ଗୋଟିଏ ମାମଲାର ଫଇସଲା ହୋଇପାରି ନ ଥିଲା । ମହିଳା ଆୟୋଗର ସଦସ୍ୟା କୁସୁମ ରଥ ଏବଂ ସ୍ନେହାଞ୍ଜଳି ମହାନ୍ତି, ଡ଼ିଏସପି ବିଜୟା ବରୁଆ, ଆଇନ ସହାୟତକାରୀ ଅରବିନ୍ଦ ପଟ୍ଟନାୟକ, ଉମାକାନ୍ତ ସାହୁ ଏବଂ ତ୍ରିଲୋଚନ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତ ରାୟ ଅତିରିକ୍ତ ଏସପି ମାୟାଧର ସେଠି, ଡ଼ିଏସପି ଜେ.କେ.ପଟ୍ଟନାୟକ, ମହିଳା ସୁରକ୍ଷା ଅଧିକାରୀ ଆର.ଜ୍ଞାନେଶ୍ବରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା