ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ଦାବି ନେଇ ଆସନ୍ତା ୧୮ ତାରିଖ ଦିନ ହୁମାନ ଚେଇନ୍ ହୋଇ ପ୍ରତିବାଦ କରିବେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଓ ଅନ୍ୟ ସଙ୍ଗଠନ ବୋଲି ସୂଚନା ମିଳିଛି । ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ଡୋମେଷ୍ଟିକ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ଗତ ୬ ମାସ ହେଲା ପ୍ରତିବାଦ ସଭା, ଜିଲ୍ଲାର ବିଭିନ୍ନ ବ୍ଲକରେ ଜନ ସଚେତନତା ସଭା, ଲୋକ ପ୍ରତିିନିଧି, ଜିଲ୍ଲପାଳ ଓ ଅନ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ଓ ସେହିମାନଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାର ଏକ ମାସ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାପି ବିମାନ ବନ୍ଦର ପ୍ରତିଷ୍ଠାର ଅଗ୍ରଗତି ସମ୍ପର୍କରେ କୌଣସି ସୂଚନା ଜିଲ୍ଲାପାଳଙ୍କ ଠାରୁ ମିଳିପାରିନାହିଁ । ତେଣୁ ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପାଇଁ ଆସନ୍ତା ୧୮ ତାରିଖ ସୋମବାର ଦିନ ସକାଳ ୯.୩୦ରେ ଏକ ହୁମାମ ଚେଇନ୍ ( Human Chain)ରେ ଠିଆ ହୋଇ ପ୍ରତିବାଦ କରିବାର କାର୍ଯ୍ୟକ୍ରମ ଥିବା ଓଡ଼ିଶା ଡେଭଲମେଣ୍ଟ ଫୋରମର ବୈଠକରେ ଆଜି ନିଷ୍ପତ୍ତି ହୋଇଛି । ଏହି ହୁମାମ ଚେଇନ୍ ଉପଜିଲ୍ଲାପାଳ କାର୍ଯ୍ୟାଳୟ (Human Chain Sub-collector office) କୋର୍ଟ-ପେଟାରୁ ଆରମ୍ଭ ହୋଇ କମାପଲ୍ଲୀ ଛକ ପର୍ଯ୍ୟନ୍ତ ଲମ୍ବିବ । ଏହା ପରେ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ଡୋମେଷ୍ଟିକ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା ଦାବି ଆମ ସମସ୍ତଙ୍କ ଦାବି । ଗଞ୍ଜାମ ଜିଲ୍ଲାର ପ୍ରତି ଘରର ଯୁବପିଢି ରାଜ୍ୟ ବାହାରେ ରହୁଥିବା ଯୋଗୁଁ ଗୁରୁତ୍ବପୂର୍ଣ୍ଣ ସମୟରେ ଶୀଘ୍ର ପହଞ୍ଚିବା ପାଇଁ ବିମାନ ବନ୍ଦର ଏକ ମାତ୍ର ମାଧ୍ୟମ, ଏହା ଉପସ୍ଥିତ ଥିବା କର୍ମକର୍ତ୍ତା କହିଥିଲେ । ତେଣୁ ବିମାନ ବନ୍ଦର ପ୍ରତିଷ୍ଠାର ଗୁରୁତ୍ବକୁ ଉପଲବ୍ଧ କରି ସମସ୍ତେ ନିଜ ପରିବାର ସଦସ୍ୟଙ୍କ ସହ ଉପଜିଲ୍ଲାପାଳ ଅଫିସ ସାମ୍ନାରେ ଏକତ୍ରିତ ହେବା ପାଇଁ ସଙ୍ଗଠନର ସଭାପତି ଅନୁରୋଧ କରିଛନ୍ତି । ଏହି ଅବସରରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପ ସଭାପତି ଶ୍ରୀମତି ବବିତା ପାତ୍ର, ଫୋରମର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢୀ, ଟୁନା ମହାରଣା, ବି. ସୌମେସ୍ୱର ରାଓ, ଭିଏସ. ବାସନା, ବହୁମୁଖି ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଗଣ ସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜ ଗଣ ସଂଗଠନର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, ଏନଆରଆଇ ଅଜୟ ସାହୁ, ଭାରତ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ବାଳକୃଷ୍ଣ ସାମନ୍ତରାୟ, ଗଞ୍ଜାମ ଜିଲ୍ଲା ଚାମ୍ବର୍ ଅଫ୍ କମର୍ସର ଏ. ସୋମେଶ ବାବୁ, ଗଞ୍ଜାମ ଜିଲ୍ଲା ଏଜେନ୍ଟ ସଂଘ ଓ ଅନ୍ୟ ଗଣ ସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁରରେ ବିମାନ ବନ୍ଦର ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ଵରାନିତ କରିବା ଓ ସରକାରି ଅବହେଳାରୁ ଜିଲ୍ଲାକୁ ମୁକ୍ତ କରି ବିକାଶ କରିବା ଲକ୍ଷରେ ଓଡ଼ିଶା ଡେଭଲ ପମେଣ୍ଟ ଫୋରମ୍ ଓ ୟୁନାଇଟେଡ୍ ଫୋରମ୍ ଫର୍ ବ୍ରହ୍ମପୁର ଏଆର ପୋର୍ଟ ପକ୍ଷରୁ ଏହି ପଦକ୍ଷପ ନିଆଯାଉଛି ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା