

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ଶୁକ୍ରବାର ୨୯.୩.୨୦୧୯ ମଧ୍ୟ ରାତ୍ରିରେ ବ୍ରହ୍ମପୁର ମହାନଗର ନିଗମରେ ଅଧିଷ୍ଠିତ ମହିମାମୟୀ ବୁଢୀଠାକୁରାଣୀ ମହାମାୟୀଙ୍କର ଦ୍ୱିବାର୍ଷିକୀ ଯାତ୍ରାର ଶୁଭାରମ୍ଭ ହୋଯାଇଛି । ମନ୍ଦିରରୁ ମା’ମହାମାୟୀ ବୁଢୀଠାକୁରାଣୀ ଆଜ୍ଞାମାଳ ଦେଇ ବାପଘର ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପକୁ ବିଜେ କରିଛନ୍ତି । ଘଣ୍ଟ, ଘଣ୍ଟା ଢୋଲ ବାଜା ତୁରୀ ମହୁରୀ ଝାଞ୍ଜ ମୃଦଙ୍ଗ ସହ ହୁଳହୁଳି ମଧ୍ୟରେ ପୁରୁଣା ବ୍ରହ୍ମପୁର ଆକାଶ ପ୍ରକମ୍ପିତ ହୋଇ ଉଠିଥିଲା । ଏହି ଠାକୁରାଣୀ ଯାତ୍ରା ଦୀର୍ଘ 32 ଦିନ ଧରି ଚାଲିବାକୁ ଥିବା ବେଳେ ମଧ୍ୟ ଭାଗରେ ବିଭିନ୍ନ ସାହିରେ ସୁଶୋଭିତ ଆଲୋକମାଳାରେ ସୁସଜ୍ଜିତ ମେଢ ଖୋଲିବା ହିଁ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବ । ଏହି ୩୨ ଦିନ ମଧ୍ୟରେ ବିଭିନ୍ନ ମାନସିକଧାରୀ ବିଭିନ୍ନ ବେଶରେ ସହର ପରିକ୍ରମା କରିବେ । ମାଆଙ୍କ ବାପ ମାଆ ରୂପେ ଦେଶୀ ବେହେରା ପି ଦୁର୍ଗା ପ୍ରସାଦ ଓ ପତ୍ନୀ ପି ଦେବକୀ ମା’ବୁଢୀ ଠାକୁରାଣୀଙ୍କୁ ମୁଖ୍ୟ ମନ୍ଦିରରୁ ନିମନ୍ତ୍ରଣ କରି ଆଣିଛନ୍ତି । ଘଟ ସହ ମନ୍ଦାର ଫୁଲ ଆଜ୍ଞାମାଳରେ ମା’ ବିଜେ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ଦାମୋଦର ପ୍ରଧାନ




