


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଅଧିକାର ଆଇନ ସଂଶୋଧନ ପ୍ରସ୍ତାବର ତୁରନ୍ତ ପ୍ରତ୍ୟାହାର, ହୁଇସିଲ ବ୍ଲୋୟର ସୁରକ୍ଷା ଆଇନର ତୁରନ୍ତ କାର୍ଯ୍ୟକାରିତା କରିବାକୁ ଦେବୀ ହୋଇଛି । ଓଡିଶା ସମେତ ସମଗ୍ର ଦେଶରେ ଦୁର୍ନୀତି ବିରୁଦ୍ଧରେ ଲଢେଇ ପାଇଁ ସାଧାରଣ ଲୋକଙ୍କ ହାତରେ ସୂଚନା ଅଧିକାର ଆଇନ ଏକ ପ୍ରମୁଖ ଏବଂ ବଳିଷ୍ଠ ଅସ୍ତ୍ର ହୋଇଯାଇଛି । ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ୱ ରକ୍ଷା କରିବା କ୍ଷେତ୍ରରେ ଏହି ଆଇନର ଅବଦାନକୁ ଅସ୍ଵିକାର କରାଯାଇ ପାରିବ ନାହିଁ । ଏହି ଆଇନ ଯୋଗୁଁ ଦେଶରେ ବହୁ ବଡ଼ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ସମ୍ଭବ ହୋଇପାରିଛି । ସାଧାରଣ ଲୋକ ନିଜର ହକ ଅଧିକାର ହାସଲ ପାଇଁ ସୂଚନା ଆଇନ ବ୍ୟବହାର କରୁଛନ୍ତି । ସୂଚନା ଅଧିକାର ଆଇନର ବ୍ୟାପକ ବ୍ୟବହାର ହେଉଛି । ସର୍ବଭାରତୀୟ ସ୍ତରରେ ବର୍ଷକୁ ହାରାହାରି ୮୦ଲକ୍ଷ ଦରଖାସ୍ତ ସୂଚନା ପାଇଁ ଆବେଦନ କରାଯାଉଛି । ବର୍ତ୍ତମାନ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଏହି ଆଇନକୁ ସଂଶୋଧନ କରି ଅକାମୀ କରିଦେବା ପାଇଁ ଏକ ସଂଶୋଧନ ପ୍ରସ୍ତାବ ଗତ ୧୯.୭.୨୦୧୯ ରିଖରେ ଲୋକ ସଭାରେ ଆଗତ କରିଛନ୍ତି । ଲୋକ ସଭାରେ ଆଗତ ହୋଇଥିବା ସୂଚନା ଅଧିକାର (ସଂଶୋଧନ) ବିଲରେ ଉଲ୍ଲେଖ ରହିଛି ଯେ ସୂଚନା ଅଧିକାର ଆଇନର ଧାରା ୧୩ ଏବଂ ୧୬ (କମିଶନଙ୍କ ପଦବୀ ଏବଂ ଚାକିରୀ ସର୍ବାବଳି) ସଂଶୋଧନ କରାଯିବ । ସୂଚନା ଆଇନର ଏହି ଦୁଇଟି ଧାରାରେ ବ୍ୟବସ୍ଥା ରହିଛି ଯେ ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରମାନଙ୍କର କାର୍ଯ୍ୟକାଳ ୫ ବର୍ଷ ରହିଛି । କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନଙ୍କ ପଦବୀ, ଦରମା ଏବଂ ଚାକିରୀ ସର୍ବାବଳି କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ସମାନ ଥିଲାବେଳେ କେନ୍ଦ୍ରୀୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ପଦବୀ ଏବଂ ଚାକିରୀ ସର୍ବାବଳି କେନ୍ଦ୍ରର ନିର୍ବାଚନ କମିଶନରଙ୍କ ସହିତ ସମାନ ରଖାଯାଇଛି । ସୂଚନା କମିଶନରମାନଙ୍କର ପଦବୀକୁ ଏପରି ଉଚ୍ଚ ଏବଂ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଏବଂ କ୍ଷମତା ଦେବାର ଉଦ୍ଦେଶ୍ୟ ହେଉଛି କମିଶନଙ୍କୁ କ୍ଷମତାଶାଳୀ କରାଇବା ଯାହାଦ୍ୱାରାକି କମିଶନଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ଏବେ ରାଜ୍ୟର ଉଚ୍ଚ ପଦାଧିକାରୀ, କ୍ଷମତାସମ୍ପନ୍ନ ସଂସ୍ଥାମାନେ ମାନିବେ ଏବଂ କାର୍ଯ୍ୟକାରୀ କରାଇବେ ଏହାଦ୍ୱାରା ସୂଚନା ଅଧିକାର ଆଇନ ଠିକ ଭାବେ କାର୍ଯ୍ୟକାରୀ ହୋଇପାରିବ । ଉପରୋକ୍ତ ଦୁଇ ଧାରାର ସଂଶୋଧନ କରି କେନ୍ଦ୍ରୀୟ ସୂଚନା କମିଶନ ଏବଂ ରାଜ୍ୟ ସୂଚନା କମିଶନଙ୍କ ପଦବୀକୁ ସଂକୁଚିତ କରିବାର ଲକ୍ଷ୍ୟ ନେଇ ସେମାନଙ୍କର ଚାକିରୀ ସର୍ବାବଳି, ଚାକିରୀ କାର୍ଯ୍ୟକଳାର ନିର୍ଦ୍ଧାରଣ ପାଇଁ କ୍ଷମତାକୁ ସଂକୁଚିତ କରିବା ପାଇଁ ଏହା ମୋଦି ସରକାରଙ୍କର ବଡ ଚକ୍ରାନ୍ତ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ଏହି ସଂଶୋଧନ ପ୍ରସ୍ତାବକୁ ଦେଶବ୍ୟାପୀ ବିଭିନ୍ନ ସିଭିଲ ସୋସାଇଟି ସଂଗଠନ ଓ ସୂଚନାଧିକାର କର୍ମୀମାନଙ୍କ ତରଫରୁ ଜୋରଦାର ବିରୋଧ କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ସୂଚନା ଅଧିକାର ଆଇନକୁ ଆହୁରି ବଳିଷ୍ଠ ଏବଂ ଲୋକାଭିମୂଖ୍ୟ କରିବା ପାଇଁ ମୋଦି ସରକାର ୪ ବର୍ଷ ଭିତରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । ସୂଚନା ଅଧିକାର ଆଇନକୁ ବ୍ୟବହାର କରି ଦୁର୍ନୀତି ବିରୋଧରେ ଲଢ଼ୁଥିବା ସୂଚନା ଅଧିକାର କର୍ମୀମାନଙ୍କୁ ଲଗାତର ହତ୍ୟା, ମରଣାନ୍ତକ ଆକ୍ରମଣ, ହତ୍ୟା ଧମକ ଇତ୍ୟାଦି ହେଲାପରେ ସେମାନଙ୍କର ସୁରକ୍ଷା ପାଇଁ କେନ୍ଦ୍ର ସରକାର ୨୦୧୪ ମସିହାରେ ହୁଇସିଲ ବ୍ଲୋୟର ପ୍ରୋଟେକ୍ସନ ଆକ୍ଟ ପ୍ରଣୟନ କରିଥିଲେ । କିନ୍ତୁ ଦୀର୍ଘ ୫ ବର୍ଷ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ଆଇନକୁ କାର୍ଯ୍ୟକାରୀ କରାଉନାହାନ୍ତି । ଯାହା ଫଳରେ ଦୁର୍ନୀତି ବିରୁଦ୍ଧରେ ଲଢେଇ କରୁଥିବା ସାମାଜିକ କର୍ମୀମାନଙ୍କ ଜୀବନ ପ୍ରତି ବିପଦ ବଢି ବଢି ଚାଲିଛି । ଉପଯୁକ୍ତ ଆଇନଗତ ସୁରକ୍ଷାର ଅଭାବ ଯୋଗୁଁ ୧୦ ବର୍ଷ ମଧ୍ୟରେ ୮୧ ଜଣ ସୂଚନାଧିକାର କର୍ମୀଙ୍କୁ ହତ୍ୟା କରାଯାଉଛି ଏବଂ ୧୬୬ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ୧୮୩ ଜଣଙ୍କୁ ହତ୍ୟା ଧମକ ଦିଆଯାଇଛି ଏବଂ ଭୟରେ ୬ ଜଣ ଆତ୍ମହତ୍ୟା କରିଛନ୍ତି । ତେଣୁ ଏହି ସଂଶୋଧନ ପ୍ରସ୍ତାବକୁ ଦେଶବ୍ୟାପୀ ବିଭିନ୍ନ ସିଭିଲ ସୋସାଇଟି ସଂଗଠନ ଓ ସୂଚନାଧିକାର କର୍ମୀମାନଙ୍କ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି । ଏହାସହ କେନ୍ଦ୍ର ସରକାର ତୁରନ୍ତ ପ୍ରସ୍ତାବିତ ସୂଚନା ଅଧିକାର ସଂଶୋଧନ ଆଇନକୁ ପ୍ରତ୍ୟାହାର କରିନେବା ସହିତ ସୂଚନା ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦାବୀ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





