ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମା’ ତାରାଦେବୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା:ଅସ୍ଥାୟୀ ପୀଠରେ ବିଜେ କରିଛନ୍ତି ମା’…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ରବିବାର ମଧ୍ୟରାତ୍ରି ଠାରୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମା’ ତାରାଦେବୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆରମ୍ଭ ହୋଇଯାଇଛି । ପରମ୍ପରା ଅନୁସାରେ ରବିବାର ବିଳମ୍ବିତ ରାତିରେ ଅସ୍ଥାୟୀ ପୀଠ ରଘୁନାଥ ମଠ ସାହିରୁ ଏକ ବିରାଟ ପଟୁଆର ସହ ଘଣ୍ଟ, ବାଦ୍ୟ, ଢୋଲ, ଶଙ୍ଖ, ମହୁରୀ ଓ ହୁଳୁହୁଳି ନାଦରେ ମନ୍ଦିର ଅଭିମୁଖେ ବାହାରିଥିଲେ ।ଯାତ୍ରାର ମୁଖ୍ୟ ପୁରୋଧା ତଥା ମା’ ତାରାଦେବୀଙ୍କ ବାପା କୁହାଯାଉଥିବା ଦେଶୀ ବେହେରା ସାହିର କୁନା ସାବତ ଫୁଲ ଚାଙ୍ଗୁଡ଼ି ଧରି ମା’ ତାରାଦେବୀ ଠାକୁରାଣୀଙ୍କ ମନ୍ଦରିକୁ ଯାଇଥିଲେ । ଶୋଭାଯାତ୍ରାରେ ଯାତ୍ରା ପରିଚାଳନା କମିଟି ଉପଦେଷ୍ଟା ଗଙ୍ଗାଧର ପାତ୍ର, ପୂର୍ବତନ ଡେପୁଟିମେୟର ଜ୍ୟୋସ୍ନା ନାୟକ, ଭଗବାନ ଗନ୍ତାୟତ, ଉମା ନାୟକ ଓ ରଶ୍ମିତା ପ୍ରଧାନଙ୍କ ସମେତ ବ୍ରହ୍ମପୁର ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବିଏମସିର ଡେପୁଟି କମିଶନର ସୌରୀନ୍ଦ୍ର ରାଉତରାୟ, ଡ଼ିଏସପି ଅଜୟ ମିଶ୍ର ପ୍ରମଖୁ ସାମଲି ହୋଇଥିଲେ । ମନ୍ଦିରରେ ରୀତି ନୀତି ସହ ପୂଜା ଅର୍ଚନା ପରେ ମା’ଙ୍କଠାରୁ ଆଜ୍ଞାମାଳ ନେଇ ରାତି ପ୍ରାୟ ୨ଟା ସମୟରେ ଶୋଭାଯାତ୍ରା ଅସ୍ଥାୟୀ ପୀଠକୁ ଫେରିଥିଲା । ଏହାପରେ ମା’ଙ୍କ ଆଜ୍ଞାମାଳ ଚାଙ୍ଗୁଡ଼ିକୁ ଅସ୍ଥାୟୀ ପୀଠ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା । ଭୋରରୁ ରୀତିନୀତି ପରେ ମା’ଙ୍କ ପୂଜା ଅର୍ଚ୍ଚନା ସହ ଆଜ୍ଞାମାଳ ଚାଙ୍ଗୁଡ଼ିକୁ ଘଟରେ ପରିଣତ କରାଯିବା ସହ ୪ ପାର୍ଶ୍ଵ ଘଟକୁ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଗତକାଲି ତଥା ସୋମବାର ଦିନ ଯାତ୍ରାର ଦ୍ଵିତୀୟ ଦିବସ ହୋଇଥିବାରୁ ପରମ୍ପରା ଅନୁସାରେ ମା’ ବିଶ୍ରାମ ନେଇଛନ୍ତି ଏବଂ ଗୁରୁବାର ପର୍ଯ୍ୟନ୍ତ ମା’ ଅସ୍ଥାୟୀ ପୀଠରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା । ମା’ ତାରାଦେବୀ ଠାକୁରାଣୀ ଯାତ୍ରା କମିଟି ସଭାପତି ଭଗବତ ପ୍ରସାଦ ସିଂ ଦେଓ, ସମ୍ପାଦକ ହୃଷୀକେଶ ପାତ୍ର, ସଂଗଠକ କାହ୍ନୁ ଚରଣ ଚୌଧୁରୀ, ସହକାରୀ ସମ୍ପାଦକ ସୀମାଦ୍ରି ପାତ୍ର, ସଦସ୍ୟ ଲଡୁକିଶୋର ପାଣିଗ୍ରାହୀଙ୍କ ସମେତ ସମସ୍ତ କମିଟି ସଦସ୍ୟ ଯାତ୍ରା ପରିଚାଳନା କରିଥିବା ବେଳେ ଅଞ୍ଚଳବାସୀ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା