ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳିତ ଅବସରରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଟି. ଆଓ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଉଦବୋଧନ ଦେଇଥିଲେ । ଏହାସହ ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷକ ପିନାକ ମିଶ୍ର, ଉପଜିଲ୍ଲାପାଳ ସିନ୍ଦୁକ ଦତ୍ତାତ୍ରୟ ଭାଉସାହେବ, ବିଏମସି କମିଶନର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନରେ ବ୍ୟବହୃତ ହୋଇଥିବା ଲୋଗୋରେ ଥିବା ଚଷମାର ଏକ ବିଶାଳ ପ୍ରତିକୂତି ଷ୍ଟାଡିୟମରେ ପ୍ରଦର୍ଶନ କରାଯାଇଥିଲା । ଏହି ଚଷମାକୁ ପୁରୁଣା ସାଇକେଲ ଚକା ଓ ଲୁହା ରଡ଼ରେ ନିର୍ମାଣ କରାଯାଇଥିଲା ଏହି ଚଷମାର ଉଚ୍ଚତା ୩୩ ଇଞ୍ଚ, ଓସାର ୭୫ ଇଞ୍ଚର ଓ ଓଜନ ପ୍ରାୟ ୪୦ କିଲୋଗ୍ରାମ ରହିଥିବା ଜଣାପଡିଛି ଏବଂ ଏହାକୁ ଆସ୍କାରୋଡ଼ ଶ୍ରୀରାମ ନଗର ବାସିନ୍ଦା ହରଗୋବିନ୍ଦ ମହାରଣା ପ୍ରସ୍ତୁତ କରିଥିବା କହିଛନ୍ତି । ତାଙ୍କ ବାଲ୍ୟ ବନ୍ଧୁ ଆଇନଜୀବୀ ପ୍ରଦୀପ ବେହେରାଙ୍କ ପ୍ରେରଣାରେ ଏହା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ୟାରେଡ଼, ଶାରୀରିକ କ୍ରୀଡା ପ୍ରଦର୍ଶନ, ତର୍କ, ଦେଶାତ୍ମକବୋଧକ ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ପ୍ୟାରେଡ଼ ବିଜୟୀ ଦଳକୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉତ୍କଳ ବାଳାଶ୍ରମ, ମନୋବିକାଶ, ମେରିଲାକ ମର୍ସି ହୋମ, ଆମ୍ବପୁଆ ସ୍ଥିତ ରେଡକ୍ରସ ଅଦୃଷ୍ଟି ବିଦ୍ୟାଳୟ ଓ ହେଲେନ କିଲର ରେଡକ୍ରସ ବଧିର ବିଦ୍ୟାଳୟ ପରିଦର୍ଶନ କରି ଅନ୍ତେବାସୀଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା