ବ୍ରହ୍ମପୁର ସହରର ସାକ୍ଷୀ କିନ୍ନରଙ୍କ ନିରାଶ୍ରୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ଓଡିଶା ପ୍ରବଳ ଶୀତରେ ଥରିବା ସହ ଶୀତର ମାତ୍ର ବଢୁଥିବା ଜଣାପଡୁଛି । ଶୀତର ପ୍ରକୋପରେ ବାସହୀନ ଗରିବ ଅସହାୟକ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅବସରରେ ବ୍ରହ୍ମପୁର ସହରର ସାକ୍ଷୀ କିନ୍ନର ସଂଗଠନ କର୍ମକର୍ତ୍ତାମାନେ ଷ୍ଟେସନ ରୋଡ଼ ସହ ବିଭିନ୍ନ ଅଞ୍ଚଳରେ ରହୁଥିବା ନିରାଶ୍ରୟ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି । ସମାଜର ଦୃଷ୍ଟି କୋଣରେ ଆଜି ମଧ୍ୟ କିନ୍ନରମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିନାହିଁ ବୋଲି କହିଲେ କିଛି ଭୁଲ ହେବ ନାହିଁ । ସେମାନଙ୍କ ସମାଜ ପ୍ରତି କିଛି କରିବାର ଏହିଭଳି ସାଧୁ ଉଦ୍ୟମକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ବ୍ରହ୍ମପୁରର ସାକ୍ଷୀ ସଂଗଠନ ପୂର୍ବରୁ ବିଭିନ୍ନ ସାମାଜିକ କାର୍ଯ୍ୟକରି ଅନ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟ ସ୍ପଷ୍ଟ ରୂପେ ତାହା ପ୍ରମାଣିତ କରିଦେଇଛି । ଆଗାମୀ ଦିନରେ ମଧ୍ୟ ଏହିଭଳି ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସାକ୍ଷୀ ଅନୁଷ୍ଠାନର ସଭାପତି ବାବୁଲା ମହାପାତ୍ର ଏବଂ ସମ୍ପାଦିକା ମୋନା ମହାରଣା ସୂଚନା ଦେଇଛନ୍ତି । ଏଥିରେ କିନ୍ନର ବିଦ୍ୟା, ରଂଜିତା, ଶାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା