ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ଜିକେ ଭଟ୍ଟର ହାସ୍ପିଟାଲ ଭଂଗାରୁଜା ଘଟଣା, ୪ ଦିନ ଧରି ସ୍ୱାସ୍ଥ୍ୟସେବା ବଂଦ, ଜଳେଶ୍ୱର ବୁଦ୍ଧିଜିବୀ ମାନଙ୍କ ଗଣଧାରଣା, ତହସିଲରେ ଧାରଣା ଓ ରାଜପଥ ଅବରୋଧ ପରେ ଜଳେଶ୍ୱରର ଆଇନ୍ ଶୃଙ୍ଖଳା ଏବଂ ସ୍ଥିତାବସ୍ଥା ଫେରାଇ ଆଣିବା ପାଇଁ ବିଳମ୍ବରେ ହେଲେ ମଧ୍ୟ ଜିଲାପାଳ ଏକ ଶାନ୍ତି କମିଟି ଲାଗି ବୈଠକ ଡକାଇଥିଲେ । ଜଳେଶ୍ୱର ବ୍ଲକ ପରିସରରେ ଏହି ବୈଠକ ଆହୁତ ହୋଇଥିବାରୁ ଆଜି ଅପରାହ୍ନରେ ଜଳେଶ୍ୱରର ସବୁ ରାଜନୈତିକ ବ୍ୟକ୍ତି, ବୁଦ୍ଧିଜିବୀ, ଜିଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା, ସାମ୍ବାଦିକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ବ୍ଲକ ପରିସରରେ ଜିଲାପାଳ ଓ ବିଧାୟକ ପହଞ୍ଚିବା ପୂର୍ବରୁ ବ୍ଲକ ପଛପଟେ ଏକ ପରିତ୍ୟକ୍ତ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ରେଜିଷ୍ଟର, ବିଭିନ୍ନ ଫର୍ମ, ରସିଦ, ଜବକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାଗଜପତ୍ର ଇତ୍ୟାଦି ବିକ୍ଷିପ୍ତଭାବରେ ପଡିଥିବା ଦେଖିବାକୁ ମିଳିଥିଲା । ଏ ସବୁ କାଗଜପତ୍ର ଏବର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ବ୍ଲକ କାର୍ଯ୍ୟାଳୟକୁ ଆସିବା ପୂର୍ବରୁ କାହିଁକି ପୋଖରୀ ପାଣିକୁ ଫିଙ୍ଗି ନଷ୍ଟ କରାଗଲା ସେ ସଂପର୍କରେ ତଦନ୍ତ ହେବା ଜରୁରୀ । ଏ ସଂପର୍କରେ ସାମ୍ବାଦିକ ମାନେ ବ୍ଲକ ଅଧ୍ୟକ୍ଷା ସବିତା ଦଳେଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ନିରବତା ଅବଲମ୍ବନ କରିଥିଲେ । ତେଣୁ ଏହାର ପ୍ରକୃତର ରହସ୍ୟ ଉନ୍ମୋଚିକ କରିବାକୁ ସାଧାରଣରେ ଦାବୀ ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା