ବ୍ୟବସାୟୀ ମହାସଂଘର ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରି ଢେଙ୍କାନାଳରେ ଚ୍ୟାମ୍ବର ଅଫ କମର୍ସର ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାରେ ଚାଲିଛି:ବନ୍ଦପାଳନ ସମ୍ପୂର୍ଣ ସଫଳ

ଢେଙ୍କାନାଳ (ଶୁଭମ ପାଣି): ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବଜାରରେ ଆନ୍ତଃରାଷ୍ଟୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇକୁ କ୍ୟାବିନେଟ ମଞ୍ଜୁରୀକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। ଓଡିଶାର ବ୍ୟବସାୟୀ ମହାସଂଘ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଏହାଫଳରେ ରାଜ୍ୟର ସମସ୍ତ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ବିଭିନ୍ନ ଦାବି ନେଇ ବ୍ୟବସାୟୀମାନେ ଆନ୍ଦୋଳନ ଚଳାଇଛନ୍ତି। ଆଜି ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି। ଏହାଫଳରେ ରାଜ୍ୟରେ ପ୍ରାୟ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିଛି ବୋଲି ଜଣାପଡିଛି। ବନ୍ଦ ପ୍ରଭାବରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ରାଜ୍ୟରେ ସରକାରୀ ଓ ବେସରକାରୀ ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକାନ ଖୋଲା ରହିଛି। ଢେଙ୍କାନାଳରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ତଥା ଔଷଧ ଦୋକାନ ବନ୍ଦରହିଛି।ଢେଙ୍କାନାଳ ଚ୍ୟାମ୍ବର ଅଫ କମର୍ସର ସଭାପତି ଶରତଚନ୍ଦ୍ର ପଢି ସମ୍ପାଦକ ବିମଳ ପଲେଇ, ଉପସଭାପତି ରାଜ କିଶୋର ବେହେରା, ରାଜେନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ ଶିବ ପ୍ରସାଦ ପଣ୍ଡା, ପ୍ରମୋଦ ପାଲ, ପ୍ରକାଶ ଅଗ୍ରୱାଲ, ଅଂଜନୀ କେଡ଼ିଆ, ସୁରେଶ ବର୍ମା, କୃଷ୍ଣ ଦେବତା, ପ୍ରଣବ ଦାଶ, ନିରଞ୍ଜନ ସ୍ୱାଇଁ ଆଦି ସଭ୍ୟ ମାନେ ବନ୍ଦ ପାଳନ ନେତୃତ୍ୱ ନେଇ ଜିଲ୍ଲାପାଳଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ବନ୍ଦପାଳନ ସଫଳ ହୋଇଥିବାରୁ ଜନସାଧାରଣଙ୍କୁ ସଭାପତି ଶରତଚନ୍ଦ୍ର ପଢି କୃତଜ୍ଞତା ଜ୍ଞାପନ କରିଛନ୍ତି ।