ବ୍ୟବସାୟୀ ମହାସଂଘ ପକ୍ଷରୁ ଟ୍ରେଡ୍ ଲାଇସେନ୍ସ୍ ମୂଲ୍ୟ ସଂଶୋଧନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ୟବସାୟୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିର୍ଦ୍ଧାରିତ କରାଯାଇଥିବା ଟ୍ରେଡ୍ ଲାଇସେନ୍ସ୍ ବାବଦରେ ମୂଲ୍ୟକୁ ସଂଶୋଧନ କରିବା ଉଦ୍ଦେଶ୍ୟରେ ଛତ୍ରପୁର ସହରର ବ୍ୟବୟାସୀ ମହାସଂଘ ଓ ସଭ୍ୟମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ ଅଛି ଯେ, ଛତ୍ରପୁର ଏନ୍ଏସି ତରଫରୁ ଧାର୍ଯ୍ୟ କରାଯାଇଥିବା ଟ୍ରେଡ୍ ଲାଇସେନ୍ସ ବାବଦରେ ମୂଲ୍ୟ ଅନ୍ୟ ଏନ୍ଏସି ଓ ମ୍ୟୁନିସିପାଲଟି ଅପେକ୍ଷା ବହୁତ ଅଧିକ ରହିଛି । ଏଣୁ ଛତ୍ରପୁର ଏନ୍ଏସି ନିର୍ଦ୍ଧାରଣ କରିଥିବା ମୂଲ୍ୟକୁ ପୁନଃବିଚାର କରି ସହରର ନିକଟ ଏନ୍ଏସି ଏବଂ ମ୍ୟୁନିସିପାଲଟିର ନିର୍ଦ୍ଧାରିତ ମୂଲ୍ୟକୁ ବିଚାର କରି ସଂଶୋଧନ କରାଗଲେ ଛତ୍ରପୁର ସହରର ବ୍ୟବସାୟୀମାନେ ଉପକୃତ ହେବେ ବୋଲି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ବ୍ୟବସାୟୀଙ୍କୁ ସୁବିଧା ହେଲା ଭଳି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିବା ସହ ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ସହରର ବ୍ୟବସାୟୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଅପର ବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି.ରାଜିବାବୁ, ବଡ ବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ ସେନାପତି, ମା’ବ୍ୟାଘ୍ରଦେବୀ ବ୍ୟବୟାସୀ ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ମା’ ରାମାୟାଣାମ୍ମା ବ୍ୟବସାୟୀ ସଂଘର ସଭାପତି ସୟଦ ମୁକ୍ତାରଙ୍କ ସମେତ ବହୁ ସଭ୍ୟମାନେ ଅଂଶ ଗ୍ରହଣ କରିଥିଲେ । ଏହାପରେ ମହାସଂଘ ପକ୍ଷରୁ ଛତ୍ରପୁର ଏନଏସିର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଡିଆରଡିଏ ପିଡି ଶ୍ରୀ ସ୍ୱାଇଁ ନିଜସ୍ୱ ପ୍ରକୋଷ୍ଠରେ ମହାସଂଘର କିଛି ସଦସ୍ୟ ମାନଙ୍କ ଟ୍ରେଡ ଲାଇସେନ୍ସ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଛତ୍ରପୁର ସମସ୍ତ ବ୍ୟବସାୟୀ ମାନେ ସ୍ଥାନୀୟ ଚଣ୍ଡିଛକ ଠାରେ ଏକତ୍ର ହୋଇ ଏକ ବିରାଟ ର‌୍ୟାଲିରେ ଡିଆରଡିଏ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଓ ଡିଆରଡିଏ ପିଡିଙ୍କୁ ଭେଟି ପୃଥକ୍ ପୃଥକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା