ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଭୁବନେଶ୍ୱରର ଏମ.ବି.ଏ ବିଭାଗରେ ୧୮-୬-୨୦୨୧ରେ ‘ଭବିଷ୍ୟତର ଆର୍ଥିକ ଯୋଜନା ଏବଂ କୋଭିଡ-୧୯ ପ୍ରସଙ୍ଗରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାରଟି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ଅୱାକେ ଇଣ୍ଡିଆ ଫାଉଣ୍ଡେସନର ମିଳିତ ଅନୁକୁଲ୍ୟରେ ଏବଂ ବି.ସ୍କୁଲ ଫୋରମ ଓଡ଼ିଶାର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ୱେବିନାରରେ ଅୱାକେ ଇଣ୍ଡିଆ ଫାଉଣ୍ଡେସନର ଫାଉଣ୍ଡର ପ୍ରେସିଡେଣ୍ଟ ପ୍ରବୀନ କୁମାର ଦ୍ୱିବେଦୀ ସମ୍ମାନିତ ବକ୍ତା ଥିଲେ । ଏହା ଏକ ସୂଚନା ଯୋଗ୍ୟ ଏବଂ ଶିକ୍ଷଣୀୟ ଅଧିବେଶନ ଥିଲା ଯେଉଁଥିରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଅଂଶ ଗ୍ରହଣ କରିଥିଲେ । ସେ କୋଭିଡ ସମୟରେ ଏବଂ କୋଭିଡ ପରବର୍ତ୍ତୀ ସମୟରେ, ବିଭିନ୍ନ ପ୍ରକାରର ଆର୍ଥିକ ଉତ୍ପାଦ, ବୀମା, ସଞ୍ଚୟ, ପୁଞ୍ଜି ବିନିଯୋଗ, ପୋର୍ଟଫୋଲିଓ ପରିଚାଳନା କରି କିପରି ଲାଭ ଉପାର୍ଜନ କରିହେବ ସେ ବିଷୟରେ ଆଲୋଚନା କରିଥିଲେ । ଗୃହିଣୀ ମାନେ କିପରି ପୁଞ୍ଜି ବିନିଯୋଗ କରି ଲାଭବାନ ହୋଇପାରିବେ, ସେ ଉପରେ ମଧ୍ୟ ଦ୍ୱିବେଦୀ ଆଲୋକପାତ କରିଥିଲେ । ଏହି ୱେବିନାରରେ ପ୍ରିନ୍ସିପାଲ ଡକ୍ଟର ଏନ. ଏଚ. ରାୟ ମଧ୍ୟ ଉପସ୍ଥିତ ଥିଲେ । ଡକ୍ଟର ମନୋଜ କୁମାର ସାହୁ, ଏମ.ବି.ଏ ବିଭାଗୀୟ ମୁଖ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଉଷାରାଣି ଦାସ ଗଣେଶ ବନ୍ଦନା ପାଠ କରିଥିଲେ । ପ୍ରଫେସର ଦୀପ୍ତି ମିଶ୍ର ୱେବିନାର ପରିଚାଳନା କରିଥିଲେ । ଏହା ସହିତ ପ୍ରଫେସର ତାନିଆ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ସକ୍ରିୟ ଅଂଶ ଗ୍ରହଣ ଏବଂ ଏହି ୱେବିନାରରୁ ଜ୍ଞାନ ଆହରଣ ପାଇଁ ଉତ୍ସାହିତ କରିଥିଲେ । ଶେଷରେ ପ୍ରଫେସର ପ୍ରଫୁଲ୍ଲ କୁମାର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।