ଧ୍ରୁବଙ୍କର ବଂଶଧର ଜଣେ ରାଜା ରାଜ୍ୟ ଶାସନ କରୁଥିଲେ । ତାଙ୍କର ନାମ ଥିଲା ପ୍ରାଚୀନବହି । ସ୍ୱର୍ଗଲାଭ କାମନା କରି ସେ ଯାଗଯଜ୍ଞ ଅନୁଷ୍ଠାନରେ ବହୁ ପଶୁବଳି ଦେଉଥିଲେ । ଦିନେ ଦେବର୍ଷି ନାରଦ ତାଙ୍କ ନିକଟରେ ଉପସ୍ଥିତ ହୋଇ ପଶୁବଳିରୁ ନିବୃତ୍ତ ହେବା ନିମନ୍ତେ ରାଜାଙ୍କୁ ଉପଦେଶ ଦେବା ଛଳରେ ଏକ କାହାଣୀ ଶୁଣାଇଥିଲେ । କାହାଣୀଟି ହେଲା: ବହୁକାଳ ପୂର୍ବେ ପୁରଞ୍ଜନ ନାମରେ ଜଣେ ରାଜା ରାଜ୍ୟ ଶାସନ କରୁଥିଲେ । ସେ ତାଙ୍କ ରାଜ୍ୟରେ ଏକ ଅତି ମନୋରମ ରାଜଧାନୀ ନଗରୀର ସନ୍ଧାନରେ ଥିଲେ । ଅନେକ ଦିନ ଖୋଜାଖୋଜି କରିବା ପରେ ଏକ ନଵଦ୍ୱାରବିଶିଷ୍ଟ ନଗରୀ ତାଙ୍କର ଦୃଷ୍ଟିଗୋଚର ହେଲା । ନଗରୀ ମଧ୍ୟରେ ସୁନ୍ଦର ଅଟାଳିକା ଓ ଫୁଲ ବଗିଚା ଦେଖି ରାଜା ମୁଗ୍ଧ ହୋଇଗଲେ । ସେ ସେଇ ନଗରୀରେ ଅବସ୍ଥାନ କରିବାକୁ ସ୍ଥିରକଲେ । ଦିନେ ନଗରୀ ମଧ୍ୟରେ ଭ୍ରମଣ କରୁ କରୁ ରାଜା ପୁରଞ୍ଜନ ଏକ ପରମା ସୁନ୍ଦରୀ ଯୁବତୀଙ୍କୁ ଦେଖି ତା ପ୍ରତି ଆକର୍ଷିତ ହେଲେ ଏବଂ ତା ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ । ଏହି ସୁନ୍ଦରୀ ରମଣୀ ହିଁ ଥିଲା ତାଙ୍କର ସବୁକିଛି । ରାଜା ଭୋଗସୁଖରେ ମତ୍ତ ହୋଇ ରାଜ୍ୟ ଶାସନ କଥା ଭୁଲି ଯାଇଥିଲେ । କାଳକ୍ରମେ ରାଜାଙ୍କର ଅନେକ ଗୁଡିଏ ପୁତ୍ରକନ୍ୟା ଜନ୍ମ ହୋଇଥିଲେ । ସବୁଦିନ ସମାନ ନ ଥାଏ । ପୁରଞ୍ଜନ ଯେତେବେଳେ ଭୋଗ ସୁଖରେ ଆକଣ୍ଠମଗ୍ନ, ସେତେବେଳେ ଦିନେ ଗନ୍ଧର୍ବପତି ଚଣ୍ଡବେଗ ନଗରୀ ଉପରେ ଆକ୍ରମଣ କଲେ । ତାଙ୍କ ସହିତ ରହିଥିଲେ ୩୬୦ ଜଣ ଗନ୍ଧର୍ବ ଓ ସେମାନଙ୍କ ପତ୍ନୀ । ଚଣ୍ଡବେଗର ଆକ୍ରମଣରେ ପୁରଞ୍ଜନଙ୍କର ଆକର୍ଷଣୀୟ ରାଜଧାନୀ ନଗରୀଟି ଧ୍ଵସ୍ତବିଧ୍ଵସ୍ତ ହୋଇଗଲା । ଏତିକି ବେଳେ ଜଣେ ଯାଦୁକର ଆସି ରାଜା ପୁରଞ୍ଜନଙ୍କୁ ଯାଦୁବଳରେ ନେଇଯାଇ ଏକ ରୂପସୀ ରମଣୀରେ ପରିଣତ କରିଦେଲା । ପୁରଞ୍ଜନଙ୍କର ପୂର୍ବସ୍ମୃତି ଲୋପ୍ ପାଇଗଲା । ସେ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ ତାଙ୍କର ବିଷୟ-ବିଭବ,ପତ୍ନୀ ଓ ପୁତ୍ରକନ୍ଯାଙ୍କୁ । ମଳୟଧ୍ଵଜ ନାମରେ ଜଣେ ରାଜା ଏଇ ସୁନ୍ଦରୀ ରମଣୀଙ୍କୁ ବିବାହ କଲେ କିନ୍ତୁ ରାଜା କିଛିଦିନ ପରେ ମୃତ୍ୟୁବରଣ କଲେ । ପୁରଞ୍ଜନ ନାରୀ ରୂପରେ ରାଣୀ ଥିବା ଅବସ୍ଥାରେ ବିଧବା ହେଲେ । କୁଳର ପ୍ରଥା ଅନୁଯାୟୀ ତାଙ୍କୁ ସ୍ୱାମୀଙ୍କ ଚିତାରେ ଝାସ ଦେଇ ମରିବାକୁ ହେବ । ଚିତା ପ୍ରସ୍ତୁତ ହେଲା । ରାଣୀ(ପୁରଞ୍ଜନ)ସହ-ମରଣ ଗ୍ରହଣ କରିବାକୁ ଯାଉଛନ୍ତି, ଏହି ସମୟରେ ଜଣେ ସୌମ୍ୟକାନ୍ତି ବ୍ରାହ୍ମଣ ସେଠାରେ ଉପସ୍ଥିତ ହୋଇ କହିଲେ ହେ ରାଜା ପୁରଞ୍ଜନ ! ତୁମେ ଏ କଅଣ କରିବାକୁ ଯାଉଣ ? ତୁମେ କଅଣ ନିଜକୁ ସମ୍ପୂର୍ଣ୍ଣ ରୂପେ ଭୁଲିଗଲ ? ତୁମେ ସ୍ତ୍ରୀଲୋକ ନୁହଁ । ତୁମେ କାହିଁକି ମୃତ ବ୍ୟକ୍ତି ସହିତ ଚିତାରେ ମରିବାକୁ ଯାଉଛ ? ତା’ ସହିତ ତୁମର କୌଣସି ସମ୍ପର୍କ ନାହିଁ । ତୁମେ ହେଉଛ ରାଜା ପୁରଞ୍ଜନ । ତୁମେ ଓ ମୁଁ ବହୁଦିନର ପୁରାତନ ବନ୍ଧୁ । ପୂର୍ବଜନ୍ମରେ ଆମେ ଦୁହେଁ ମାନସ ସରୋବର ମଧ୍ୟରେ ଦୁଇଟି ହଂସ ରୂପେ ବିଚରଣ କରୁଥିଲେ । ତୁମେ ମୋତେ ଭୁଲି ଯାଇଛ । ବନ୍ଧୁର କଥା ଶୁଣି ପୁରଞ୍ଜନଙ୍କର ଧୀରେ ଧୀରେ ଚୈତନ୍ୟ ଉଦୟ ହେଲା ଏବଂ ସେ ପୂର୍ବସ୍ମୃତି ଫେରି ପାଇବା ସଙ୍ଗେ ସଙ୍ଗେ ପୂର୍ବର ପୁରୁଷ ରୂପ ମଧ୍ୟ ଫେରିପାଇଲେ । ନାରଦମୁନି ଉପାଖ୍ୟାନଟିର ଆରମ୍ଭରେ ରାଜା ପ୍ରାଚୀନବହିଙ୍କୁ ଶୁଣାଇଥିବା କାହାଣୀଟି ଖୁବ୍ ଅର୍ଥପୂର୍ଣ୍ଣ ଥିଲା । ଏହାର ବ୍ୟଖ୍ୟା କରିବା ନିମନ୍ତେ ରାଜା ନାରଦ କହିଲେ, ହେ ରାଜନ୍, ପୁରଞ୍ଜନ ହେଉଛନ୍ତି ଜୀବ ଏବଂ ତାଙ୍କର ପରମ ବନ୍ଧୁ ବ୍ରାହ୍ମଣ ହେଉଛନ୍ତି ଈଶ୍ୱର । ଯେଉଁ ସୁନ୍ଦରୀ ରମଣୀ ମୋହରେ ପଡି ରାଜା ତାଙ୍କୁ ବିବାହ କରିଥିଲେ, ସେ ହେଉଛନ୍ତି ଦୁର୍ବୁଦ୍ଧି । ପୁରଞ୍ଜନଙ୍କର ନଗରୀର ଦ୍ୱାରା ଗୁଡିକର ସଂଖ୍ୟା ନଅଟି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଯେଉଁ ନବଦ୍ୱାର ରହିଛି, ତାହା ହେଉଛି, ଦୁଇ ଆଖି, ଦୁଇ ନାକପୁଡା, ଦୁଇ କାନ, ଗୋଟିଏ ପାଟି, ଗୋଟିଏ ମଳଦ୍ୱାର ଓ ଗୋଟିଏ ମୁତ୍ରଦ୍ୱାରା । ୩୬୦ ଜଣ ଗନ୍ଧର୍ବ ଓ ଗନ୍ଧର୍ବୀ ହେଲେ ୩୬୦ ଦିନ ଓ ରାତି । ଚଣ୍ଡବେଗର ଅର୍ଥ ମହାକାଳ, ଯାଦୁକରର ଅର୍ଥ ମୃତ୍ୟୁ ଏବଂ ହଂସ ଦୁଇଟି ହେଲେ ଜୀବାତ୍ମା ଓ ପରମାତ୍ମା । ଜୀବାତ୍ମା ଓ ପରମାତ୍ମା ଦୁଇଜଣ ପରମବନ୍ଧୁ । ଅନ୍ତରାଳରେ ରହିଥିବାରୁ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ତେବେ ଜୀବ ବିପଦରେ ପଡିଲେ ଏବଂ ଭୋଗବାସନାରେ ଲିପ୍ତ ରହି ଦିଗହରା ହେଲେ, ତାକୁ ପଥ ଦେଖାଇବା ପାଇଁ ସେ ଧାଇଁ ଆସନ୍ତି । ଜୀବାତ୍ମା ନିଜର କର୍ମଫଳ ଯୋଗୁଁ କେତେବେଳେ ସୁଖ ଭୋଗ କରେ ତ କେତେବେଳେ ଦୁଃଖ ଭୋଗ କରେ । ‘ମୁଁ-ମୋର’ ଏହି ଅହଂକାର ଯୋଗୁଁ, ଜୀବ କର୍ମ ବନ୍ଧନରେ ପଡିଯାଏ ଏବଂ ଏହାର ଫଳସ୍ୱରୂପ ଜନ୍ମ-ମରଣର ଚକ୍ରରେ ପଡି ଘୋର ଦୁଃଖ ଯନ୍ତ୍ରଣା ଭୋଗ କରେ । ଜୀବର ମୋହ ତୁଟିଗଲେ, ଦୁଃଖର ଅବସାନ ହୁଏ । ଶେଷରେ ରାଜା ପ୍ରାଚୀନବହିଙ୍କୁ ନାରଦ କହିଲେ,ହେ ରାଜନ୍, ତୁମେ ଆସକ୍ତି ତ୍ୟାଗ କର । ହିଂସାରୁ ବିରତ ହୁଅ । ପଶୁବଧ କରି ଯଜ୍ଞାନୁଷ୍ଠାନ ଦ୍ୱାରା ସ୍ୱର୍ଗଲାଭ କାମନା ତ୍ୟାଗ କର । ଏହା ଦ୍ୱାରା ତୁମର ଆଦୌ ମଙ୍ଗଳ ହେବ ନାହିଁ । ସେହି କର୍ମ ହେଉଛି ସତ୍କର୍ମ, ଯାହା ଦ୍ୱାରା ଶ୍ରୀହରି ସନ୍ତୁଷ୍ଟ ହୁଅନ୍ତି । ସେହି ବିଦ୍ୟା ହେଉଛି ପ୍ରକୃତ ବିଦ୍ୟା, ଯାହା ଲାଭ କଲେ ଶ୍ରୀହରିଙ୍କ ଠାରେ ଚିତ୍ତ ସମାହିତ ହୁଏ । ସର୍ବଶକ୍ତିର ଆଧାର ଶ୍ରୀହରି ହେଉଛନ୍ତି ମନୁଷ୍ୟର ଏକମାତ୍ର ଆଶ୍ରୟ ଓ ତ୍ରାଣକର୍ତ୍ତା । ସେ ହେଉଛନ୍ତି ମନୁଷ୍ୟର ହିତକାଂକ୍ଷୀ ଓ ଅତି ଆପଣାର । ଯେଉଁ ମନୁଷ୍ୟ ଏହି ତତ୍ତ୍ୱକୁ ଜାଣିପାରେ ସେ ହିଁ ପ୍ରକୃତ ବିଦ୍ୱାନ ।
ଲେଖକ : ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର,