ଭାଗବତ କଥା-୭:ଅଜାମିଳକୁ ବିଷ୍ଣୁଦୂତମାନେ ଯମଦୂତମାନଙ୍କ ଠାରୁ କାହିଁକି ରକ୍ଷା କଲେ…

ଭାଗବତରେ ଉଲ୍ଲେଖ ଅଛି ଯେଉଁମାନ ପାପକାର୍ଯ୍ୟ କରନ୍ତି, ସେମାନଙ୍କୁ ନରକ ଯନ୍ତ୍ରଣା ଭୋଗକରିବାକୁ ହୁଏ । ଏହାଶୁଣି ରାଜା ପରୀକ୍ଷିତ ଶୁକଦେବଙ୍କୁ ପ୍ରଶ୍ନ କଲେ -ନରକ ଯନ୍ତ୍ରଣା ଭୋଗରୁ ତ୍ରାହି ପାଇବାର ଉପାୟ କ’ଣ ? ଶ୍ରୀଶୁକଦେବ କହିଲେ – ତପସ୍ୟା, ଶମ, ଦମ ଓ ନିୟମାଦି ଅଭ୍ୟାସ ଦ୍ୱାରା ଅବିଦ୍ୟାଜନିତ ପାପ ଦୂର ହୁଏ । ପୁଣି ଭକ୍ତି ଦ୍ୱାରା ମଧ୍ୟ ଦୂର ହୋଇପାରେ । କନୌଜ ଦେଶରେ ଅଜାମିଳ ନାମରେ ଜଣେ ବ୍ରାହ୍ମଣ ଥିଲେ । ସେ ବିବାହିତ ହୋଇ ମଧ୍ୟ ମୋହଗ୍ରସ୍ତ ଜୀବନ ଯାପନ କରୁଥିଲେ । ସେମାନଙ୍କ ଔରସରୁ ଦଶଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ । ସର୍ବକନିଷ୍ଟ ପୁତ୍ରର ନାମ ଥିଲା ନାରାୟଣ । ସର୍ବକନିଷ୍ଟ ସନ୍ତାନ ହୋଇଥିବାରୁ ଅଜାମିଳ ତାକୁ ଖୁବ୍ ଭଲ ପାଉଥିଲେ । ବୃଦ୍ଧ ବୟସରେ ମଧ୍ୟ ଏହି ପୁତ୍ର ନାରାୟଣ ପିତାଙ୍କର ପ୍ରାଣର ପ୍ରାଣ ହୋଇ ରହିଥିଲା; ତାଙ୍କର ମନ ଧ୍ୟାନ ଥାଏ ନାରାୟଣ ଉପରେ । ଦେଖୁ ଦେଖୁ ବ୍ରାହ୍ମଣର ବୟସ ୮୦ ବର୍ଷ ହୋଇଗଲା । ଜୀବନର ଅନ୍ତିମ କାଳ ଉପସ୍ଥିତ । ଦିନେ ଭୀଷଣାକାର ତିନିଜଣ ଯମଦୂତ ଆସି ବ୍ରାହ୍ମଣ ନିକଟରେ ପହଞ୍ଚିବାରୁ ସେ ନାରାୟଣ ନାରାୟଣ ବୋଲି ସାନ ପୁଅକୁ ଡାକ ଛାଡିଲା । ଏଣେ ଅଜାମିଳର ନାରାୟଣ ଡାକ ଶୁଣି ବୈକୁଣ୍ଠରେ ପ୍ରଭୁ ନାରାୟଣଙ୍କ ଆସନ ଟଳମଳ ହେଲା । ସେ ଚାରିଜଣ ବିଷ୍ଣୁଦୂତଙ୍କୁ ବ୍ରାହ୍ମଣ ନିକଟକୁ ପଠାଇଦେଲେ । ଯମଦୂତମାନେ ଅଜାମିଳକୁ ବାନ୍ଧି ନେଇଯିବାକୁ ବ୍ୟବସ୍ଥା କରୁଥିବା ସମୟରେ ହିଁ ସେଠାରେ ବିଷ୍ଣୁଦୂମମାନେ ଆସି ପହଞ୍ଚିଗଲେ । ଯମଦୂତମାନେ ଯୁକ୍ତି କରି କହିଲେ- ଏ ବ୍ରାହ୍ମଣ ନିଜର ଧର୍ମପତ୍ନୀକୁ ତ୍ୟାଗ କରି ଅନ୍ୟ ଜଣେ ରମଣୀ ସହିତ ଅବୈଧ ସମ୍ପର୍କ ରଖି ପାପୀର ଜୀବନ ଅତିବାହିତ କରିଛି । ଏହି ପାପର ସମୁଚିତ ଦଣ୍ଡବିଧାନ ନିମନ୍ତେ ଆମେ ଏହି ବ୍ୟକ୍ତିକୁ ଯମରାଜ ନିକଟକୁ ନେଇଯାଉଛୁ । ବିଷ୍ଣୁ ଦୂତମାନେ କହିଲେ- ତା କିପରି ହେବ ? ଏହି ବ୍ୟକ୍ତିର ସମସ୍ତ ପାପର ପ୍ରାୟଶ୍ଚିତ ହୋଇଯାଇଛି । କାରଣ ଜୀବନର ଶେଷ ସମୟରେ ସେ ପରମ ଆଶ୍ରୟ ଶ୍ରୀନାରାୟଣଙ୍କ ନାମ ଉଚାରଣ କରିଛନ୍ତି । ଶ୍ରୀହରିଙ୍କର ନାମ କୃତପାପର ବିନାଶ ଘଟାଇଥାଏ । ଏହି ବ୍ୟକ୍ତି ଭଗବାନଙ୍କର ପବିତ୍ର ନାମ ନେଇଛି । ତେଣୁ ତାର ସମସ୍ତ ପାପ ଧୋଇ ହୋଇଯାଇଛି । ବିଷ୍ଣୁଦୂତମାପଙ୍କର ଯୁକ୍ତି ଶୁଣି ଯମଦୂତମାନେ ଅଜାମିଳକୁ ବନ୍ଧନମୁକ୍ତ କରିଦେଇ ଫେରିଗଲେ । ଯମଦୂତମାନଙ୍କ ହାତରୁ ମୁକ୍ତି ପାଇ ଅଜାମିଳ ବିଷ୍ଣୁ ଦୂତମାନଙ୍କୁ କୃତଜ୍ଞତା ଜଣାଇଲେ । ବିଷ୍ଣଦୂତମାନେ ଚାଲିଯିବା ପରେ ଆରମ୍ଭ ହୁଏ ଅଜାମିଳର ନୂତନ ଆଧ୍ୟାତ୍ମିକ ଜୀବନ । ମନରେ ଜାତ ହୁଏ ଘୋର ଅନୁଶୋଚନା । ସେ ଭାବିବାକୁ ଲାଗିଲା ହାୟ, ମୁଁ ଏତେ ଦିନ କି ପାପ କାର୍ଯ୍ୟ ନ କରିଛି । ନିଜର ଧର୍ମପତ୍ନୀ ଓ ବୃଦ୍ଧ ପିତାମାତାଙ୍କୁ ଅସହାୟ କରିଦେଇ, ସାମାନ୍ୟ ଜଣେ ଦାସୀର ସଂସ୍ପର୍ଶରେ ଆସି ଵ୍ରାହ୍ମଣ କୁଳର ଘୋର ଅବମାନନା କରିଛି । ମୋର ଧର୍ମପତ୍ନୀକୁ ତାର ପ୍ରାପ୍ୟ ସମ୍ମାନ ନ ଦେଇ କେତେବଡ ଘୃଣ୍ଯ କାର୍ଯ୍ୟ ନ କରିଛି ? ତଥାପି ମୁଁ ବ୍ଯାକୁଳ ହୋଇ ପୁତ୍ର ନାରାୟଣକୁ ଡାକିବା ମାତ୍ରେ ମୁକ୍ତିର ଦୂତମାନଙ୍କୁ ଦୟାମୟ ପ୍ରଭୁ ନାରାୟଣ ମୋ ପାଖକୁ ପଠାଇଦେଇ ମୋତେ ନିଶ୍ଚିତ ମୃତ୍ୟୁ କବଳରୁ ଉଦ୍ଧାର କରିଛନ୍ତି । ମୁଁ ମୋ ପାପର ପ୍ରାୟଶ୍ଚିତ କରିବି । ମୁଁ ଆଉ ପୂର୍ବ ଜୀବନକୁ ଫେରିବି ନାହିଁ । ଆଉ ପାପ କରିବି ନାହିଁ । ଅନୁତାପର ଅଗ୍ନିରେ ଅଜାମିଳର ସମସ୍ତ ପାପ ଭସ୍ମୀଭୂତ ହୋଇଯାଇଥିଲା । ଅବଶିଷ୍ଟ ଜୀବନ, ଅଜାମିଳ ଶ୍ରୀହରିଙ୍କ ପାଦପଦ୍ମ ସ୍ମରଣ କରି ତାଙ୍କରି ନିକଟରେ ନିଜକୁ ସମର୍ପଣ କରିଦେଇଥିଲା । ମୃତ୍ୟୁ ସମୟ ଉପସ୍ଥିତ ହୁଅନ୍ତେ ବିଷ୍ଣୁଦୂତମାନେ ଆସି ଏକ ସୁବର୍ଣ୍ଣ ରଥରେ ବସାଇ ତାକୁ ବୈକୁଣ୍ଠଧାମକୁ ନେଇଯାଇଥିଲେ ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର