ଭାଗବତ କଥା-୮:ଶ୍ରୀକୃଷ୍ଣଙ୍କର ଉଦ୍ଧବଙ୍କ ପ୍ରତି ଅନ୍ତିମ ଉପଦେଶ କ’ଣ ଥିଲା…

ଉଦ୍ଧବ କହିଲେ-ପ୍ରଭୁ, ଆପଣ ଯେଉଁ ସବୁ ଉପଦେଶ ଦେଲେ, ତାହା ସାଧାରଣ ମନୁଷ୍ୟ ବୁଝିବା କଷ୍ଟକର ବୋଲି ମୁଁ ମନେକରେ । ତେଣୁ ଯେଉଁ ପଥଟି ଅନୁସରଣ କଲେ ମନୁଷ୍ୟ ସହଜରେ ମୁକ୍ତିଲାଭ କରିପାରିବ, ତାହା ମୋତେ ବୁଝାଇ ଦିଅନ୍ତୁ । ଉଦ୍ଧବଙ୍କ କଥାରେ ସନ୍ତଷ୍ଟ ହୋଇ ମାଧବ କହିଲେ-ହେ ଉଦ୍ଧବ, ଯେଉଁ ପବିତ୍ର ଭାଗବତ ଧର୍ମ ଶ୍ରଦ୍ଧାର ସହିତ ଆଚରଣ କଲେ ମନୁଷ୍ୟର ସଦଗତି ହେବ ଏବଂ ମୃତ୍ୟୁ ହାତରୁ ମଧ୍ୟ ଅନାୟାସରେ ମୁକ୍ତିଲାଭ କରିପାରିବ, ତାହା ମୁଁ ବୁଝାଇଦେଉଛି । ତାହା ହେଉଛି ଭକ୍ତିର ପଥ । ସେହି ଭକ୍ତିର ସାର କଥା ଶୁଣ । ମୋତେ ସଦାସର୍ବଦା ସ୍ମରଣ କରି ସକଳ କାର୍ଯ୍ୟ କରୁଥିବ । କୌଣସି ବିଷୟ ପ୍ରତି ଆସକ୍ତି ରଖିବ ନାହିଁ । ସକଳ କର୍ମର ଫଳ ମୋତେ ହିଁ ଅର୍ପଣ କରିବ । ସାଧୁ ବ୍ୟକ୍ତିମାନେ ଯେପରି ଆଚରଣ କରନ୍ତି, ସେହିପରି ଆଚରଣ କରିବ । ଭଗବତ୍ କଥା ପ୍ରତି ଅନୁରାଗୀ ହେବ ଏବଂ ସାଧୁ-ମହାତ୍ମାମାନଙ୍କଠାରୁ ଭଗବତ୍ ପ୍ରସଙ୍ଗ ଶ୍ରବଣ କରିବ । ମୋ ନିମନ୍ତେ ଯେଉଁସବୁ ଉତ୍ସବ ଅନୁଷ୍ଠିତ ହୁଏ ତାହା ଦର୍ଶନ କରିବ ଓ ମୋର ଉତ୍ସବ ପାଳନ କରିବ । ଏପରି ଆଚରଣ ଦ୍ୱାରା ମନର ମିଳନତା ଦୂର ହୋଇଗଲେ,ମନୁଷ୍ୟ ନିଜର ହୃଦୟ ମଧ୍ଯରେ ମୋର ଉପସ୍ଥିତ ସ୍ପଷ୍ଟ ଅନୁଭବ କରି ପାରିବ । ସେତେବେଳେ ମନୁଷ୍ୟ ସକଳ ଜୀବଙ୍କ ମଧ୍ୟରେ ମୁଁ ବାସ କରୁଥିବା ବୁଝିପାରିବ ଓ ଜାଣିପାରିବ । ବ୍ରାହ୍ମଣ ଓ ଅବ୍ରାହ୍ମଣ, ସାଧୁ ଓ ଅସାଧୁ, ଭଲ ଓ ମନ୍ଦ ସବୁକିଛି ଯେଉଁ ପୁରୁଷ ସମାନ ଦୃଷ୍ଟିରେ ଦେଖନ୍ତି, ସେ ହେଉଛନ୍ତି ପଣ୍ଡିତ । ସର୍ବଭୂତେ ଈଶ୍ୱରଙ୍କର ସତ୍ତା ଅନୁଭବ କରିବା ହିଁ ମୋତେ ଲାଭ କରିବାର ଶ୍ରଷ୍ଠ ଉପାୟ ବୋଲି ଜାଣିବୁ । ଶ୍ରୀଭଗବାନ ଆହୁରି କହିଲେ -ଈଶ୍ୱରଙ୍କର ଶ୍ରୀଚରଣରେ ଆତ୍ମନିବେଦନ ହିଁ ହେଉଛି ମୋକ୍ଷ ଲାଭର ଶ୍ରେଷ୍ଠ ପଥ । ମୁଁ ଏହି ଯେଉଁସବୁ ସାର କଥା ତୋତେ କହିଲି, ତାହା ଜାଣିଲେ, ଜାଣିବାର ଅବଶେଷ ଆଉ କିଛି ରହେ ନାହିଁ । ଯେଉଁ ବ୍ୟକ୍ତି ମୋର ଭକ୍ତଗଣଙ୍କ ମଧ୍ୟରେ ଏହି ଜ୍ଞାନ ବିତରଣ କରେ, ସେ ହେଉଛନ୍ତି ମୋର ପରମ ପ୍ରିୟ । ଦାମ୍ଭିକ, ନାସ୍ତିକ, କପଟୀ, ଲମ୍ପଟୀ ଓ ଶଠ ପ୍ରକୃତିର ଲୋକମାନଙ୍କୁ ଏହି ଜ୍ଞାନ ଦିଆଯାଏ ନାହିଁ । ଉଦ୍ଧବ, ତୁ ଏହି ବ୍ରହ୍ମତତ୍ତ୍ୱ ଅବଗତ ହେଲୁ ତ ? ତାହେଲେ ତୋର ସମସ୍ତ ଶୋକ ଓ ମୋହ ଦୂରୀଭୂତ ହୋଇଗଲା ତ ? ଉଦ୍ଧବ ଶ୍ରୀକୃଷ୍ଣଙ୍କର ଶ୍ରୀଚରଣରେ ମଥା ରଖି କହିଲେ- ହେ ଅଜ ! ହେ ଆଦ୍ୟ ! ଆପଣଙ୍କ କୃପାରୁ ଆଜି ମୋର ସମସ୍ତ ମୋହାନ୍ଧକାର ଦୂର ହୋଇଯାଇଛି । ଆପଣ ନିଜ ମାୟାରେ ମୋତେ ସ୍ନେହପାଶରେ ଆବଦ୍ଧ କରି ରଖିଥିଲେ,ପୁଣି ନିଜେ ହିଁ ଜ୍ଞାନରୂପ ଅସି ଦ୍ୱାରା ତାହା ଛିନ୍ନ କରିଦେଲେ । ହେ ମହାଯୋଗୀ ! ହେ ଯୋଗେଶ୍ୱର ! ଆପଣଙ୍କୁ ମୋର କୋଟି ନମସ୍କାର । ମୁଁ ତ ଆପଣଙ୍କର ଆଶ୍ରିତ । ମୋତେ ସେହି ବୁଦ୍ଧି ପ୍ରଦାନ କରନ୍ତୁ, ଯେପରିକି ଆପଣଙ୍କ ପାଦପଦ୍ମରେ ମୋର ମତି ସ୍ଥିର ରହିବ । ଆପଣଙ୍କଠାରେ ମୋର ଅନୁରାଗ ଅକ୍ଷୟ ହୋଇ ରହିଥାଉ । ତା’ପରେ ଶ୍ରୀଭଗବାନ କହିଲେ-ହେ ଉଦ୍ଧବ, ତୁ ବର୍ତ୍ତମାନ ମୋର ପ୍ରିୟଧାମ ବଦ୍ରିକା ଆଶ୍ରମକୁ ଚାଲିଯାଆ । ସେଠାରେ ଏକାଗ୍ର ଚିତ୍ତରେ ମୋର ଉପଦେଶ ଗୁଡିକୁ ଅନୁସରଣ କର । ମୋଠାରେ ମନ ନିବିଷ୍ଟ କର । କ୍ରମେ ସତ୍ତ୍ୱ, ରଜଃ ଓ ତମଃ ଗୁଣର ପ୍ରଭାବରୁ ମୁକ୍ତ ହୋଇଯିବୁ । କିନ୍ତୁ ଏହି ତିନି ଗତିକୁ ଅତିକ୍ରମ କଲେ ଯେଉଁ ପରମଗତି ରହିଛି, ସେହି ବ୍ରହ୍ମସ୍ୱରୂପ ମୋତେ ତୁ ନିଶ୍ଚୟ ଲାଭ କରିବୁ । ଏହାପରେ ଉଦ୍ଧବ ଶ୍ରୀକୃଷ୍ଣଙ୍କ ପାଦୁକା ମସ୍ତକରେ ରଖି ବିଦାୟ ନେଇ ଅଶ୍ରୁପୂର୍ଣ୍ଣ ନୟନରେ ବଦ୍ରିକା ଅଭିମୁଖେ ଯାତ୍ରା କଲେ ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର