

ଛତ୍ରପୁର (ସମୃଦ୍ଧ ଓଡିଶା) ବିିଭିନ୍ନ ଦାବି ନେଇ ବିଜେପି ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲେ ଜିଲ୍ଲାପାଳଙ୍କୁ । ଦୀର୍ଘ ୧୯ବର୍ଷ ହେଲା ଓଡ଼ିଶାର ଚାଷୀମାନେ ଅବହେଳିତ ହୋଇ ରହିଛନ୍ତି । କୃଷି ପ୍ରଧାନ ରାଜ୍ୟରେ ଚାଷୀଙ୍କ ପ୍ରତି ସରକାରଙ୍କ ଉଦାସୀନତା କାରଣରୁ ରାଜ୍ୟବାସୀ ତଥା ରାଜ୍ୟର କୃଷକମାନେ ଦୁଃଖ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବାରମ୍ବାର ଓଡ଼ିଶାବାସୀ ଭୟଙ୍କର ବାତ୍ୟାର ସମ୍ମୁଖୀନ ହେଉଥିବା ବନ୍ୟା, ବାତ୍ୟା ପ୍ରଭାବରେ ଚାଷ ଜମି ଗୁଡ଼ିକ ଉଜୁଡ଼ି ପଡ଼ିବା ସାଙ୍ଗକୁ ଓଡ଼ିଶାର ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି । କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହେଉଥିବା ବେଳେ ବିଜେଡ଼ି ସରକାର ସମାଧାନର ରାସ୍ତା କାଢିବା ବଦଳରେ ମିଛ ରାଜନୈତକ ନାଟକ ବାଜିରେ ବ୍ୟସ୍ତ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬୦ ପ୍ରତିଶତରୁ ଉଦ୍ଧ୍ୱର୍ ଜମି ଜଳସେଚନରୁ ବଂଚିତ ରହୁଥିବା ବେଳେ ଏଯାବତ ଓଡ଼ିଶାରେ ଶୀତଳ ଭଣ୍ଡାର ସଂଖ୍ୟା ବଢି ପାରିଲା ନାହିଁ । ଫଳରେ ପରିବା, ଫଳ, ଅଣ୍ଡା, ଦୁଗ୍ଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେଉଛି । କେନ୍ଦ୍ର ସରକାର ମଣ୍ଡି ଗୁଡ଼ିକର ଭିତିଭୂମି ସୁଦୃଢ ପାଇଁ ଅର୍ଥ ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ କୌଣସି ମଣ୍ଡିରେ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ହୋଇପାରିନାହିଁ । ଡ଼ିସେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଧାନ ମଣ୍ଡି ନ ଖୋଲିବା କାରଣରୁ ଚାଷୀମାନେ ଅଭାବନୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏହାର ଫାଇଦା ନେଇ ଆନ୍ଦ୍ର ବେପାରୀମାନେ କମ୍ ଦରରେ ଧାନ କିଣୁଛନ୍ତି । ଚାଷୀମାନେ ନିଜର କଷ୍ଟ ଅର୍ଜିତ ଧାନକୁ ୧ହଜାରରୁ ୧୨ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତିତଲି ଓ ପେଥାଇରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ଗଞ୍ଜାମ ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ଉପଯୁକ୍ତ ମୂଲ୍ୟ ଦେଇ ବଳକା ରହିଥିବା ଧାନକୁ ସରକାର କିଣିବା ପାଇଁ ଭାଜପନା କୃଷକ ମୋର୍ଚ୍ଚା ଦାବି କରିଛନ୍ତି । ଏହା ସହ ବାରମ୍ବାର କ୍ଷତି ସହି ଆସୁଥିବା ସମସ୍ତ ଚାଷୀଙ୍କର କୃଷି ଋଣ ଛାଡ଼ କରାଯାଉ, କଟନି ଛଟିନିକୁ ବନ୍ଦ କରି ଚାଷୀମାନଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ୧୭୫୦ ଟଙ୍କା ଦେବାର ବ୍ୟବସ୍ଥା ତୁରନ୍ତ କରାଯାଉ ଓ ଗଞ୍ଜାମ ଜିଲ୍ଲାରେ ମଣ୍ଡି ନାଁରେ ପ୍ରହସନ ବନ୍ଦ କରି କାଗଜପତ୍ରରେ ଚାଲିଥିବା ଧାନ କିିଣାର ତଦନ୍ତ ଆଦି ଦାବି ନେଇ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି, ରାଜ୍ୟ ସମ୍ପାଦକ ବିଭୂତି ଜେନା, ରାଜ୍ୟ ହରିଜନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଧରଣୀଧର ବେହେରା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା କୀର୍ତନ ଦାଶ, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଉଦୟ ପ୍ରଦାନ, ଉତମ ପାଣିଗ୍ରାହୀ, ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ଗାଣ୍ଡୁଧର ଗୌଡ଼, ପ୍ରଶାନ୍ତ ବେହେରା, ରୁଇନା ପଟ୍ଟନାୟକ, ଜି, ମନୋଜ ରେଡ୍ଡି, କେ. ରଘୁନାଥ ରେଡ୍ଡି, ପି. ରଘୁନାଥ ରେଡ୍ଡି, ଡ଼ି. ସୁରେଶ ରେଡ୍ଡିଙ୍କ ସମେତ ୫ଶହରୁ ଉଦ୍ଧ୍ୱ ବିଜେପି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





