ଜୀବନ ସଂଘର୍ଷର କରାଳତାରେ ପୋଥିଗତ ଶିକ୍ଷାକୁ ରୋଜଗାର ପନ୍ଥାର
ମାଧ୍ୟମ ରୂପେ ଗ୍ରହଣୀୟତା ଏକ ସମୟୋପଯୋଗୀ ଦୃଷ୍ଟିକୋଣ ମାତ୍ର !
ଶିକ୍ଷାର ପରିସୀମା କେବଳ ପୋଥୀଗତ ଏବଂ ରୋଜଗାର ମଧ୍ୟରେ ସୀମିତ ନୁହେଁ !!
ଏହାର ବ୍ୟାପକତା ଅନୁଭବ କରୁଛି କିଏ ?
ବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ଅଦ୍ୟାବଧି ଭାରତୀୟ ମାନେ ଶିକ୍ଷାକୁ ଏକ ରୋଜଗାର ପନ୍ଥାର ମାଧ୍ୟମ ରୂପେ ବ୍ୟବହାର କରି ଆସୁଛନ୍ତି । ଉପସ୍ଥିତ ସମୟର ଶିକ୍ଷା ବ୍ୟବସ୍ଥାରେ ପୋଥିଗତ ସୀମିତ ଜ୍ଞାନକୁ ସାମାଜିକ ଶୀର୍ଷ କ୍ଷେତ୍ର ଭାବେ ଗ୍ରହଣ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ମାନ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇ ଥାଏ । ସେହି ପ୍ରମାଣପତ୍ର ସାହାଯ୍ୟରେ ସେ ନିଜକୁ ଜଣେ ଶିକ୍ଷିତ ଭାବେ ସମାଜରେ ଉପସ୍ଥାପନ ପୂର୍ବକ କୌଣସି କ୍ଷେତ୍ରରେ କାର୍ଯ୍ୟ କରି ରୋଜଗାର କରିବା କ୍ଷମତା, ଅଧିକାର ସାବ୍ୟସ୍ତ କରିଥାଏ । ପ୍ରଚଳିତ ବ୍ୟବସ୍ଥା, ଭାବଧାରା ଭାରତୀୟ ସଂସ୍କୃତି, ପରମ୍ପରା ଉପରେ ଆଧାରିତ ନୁହେଁ । କେବଳ ବ୍ରିଟିଶ ଦ୍ୱାରା ପ୍ରଚଳିତ ପ୍ରଥାର ସମ୍ପୂର୍ଣ୍ଣ ବ୍ୟବହାରିକ ନିର୍ବୋଧତା ଯାହା ଆଜି ଆମ ସମାଜର ଏକ ନୀତି ଭାବେ ଗ୍ରହଣୀୟ ହୋଇଛି ସମସ୍ତ ଜନ ମାନସରେ । ଭାରତୀୟ ଶିକ୍ଷା ନୀତି, ପଦ୍ଧତିର କୌଣସି ନିଦର୍ଶନ ବିହୀନ ବ୍ରିଟିଶ ମାନଙ୍କ ପୂର୍ବ ପରିକଳ୍ପିତ ଶିକ୍ଷା ବ୍ୟବସ୍ଥା, ନୀତି ଆମକୁ ଦିନକୁ ଦିନ ସେମାନଙ୍କ ଭୃତ୍ୟ କରିଦେବାରେ ସାହାଯ୍ୟ କାରୁ ନାହିଁତ ? ନିଶ୍ଚିତ ଭାବେ ହଁ ! ଯାହା ଆମ ଜ୍ଞାନ ବହିର୍ଭୁତ ! ସମ୍ପୃକ୍ତ ଶିକ୍ଷା ବ୍ୟବସ୍ଥାରେ ରହିଥିବା ଅଭାବନୀୟ ପରିସ୍ଥିତି ତଥା ଅନୁପଯୁକ୍ତ ଶିକ୍ଷା କୌଶଳ, ପାଠ୍ୟକ୍ରମ ସହିତ ସମାଜର ସବୁ ବର୍ଗର ମଣିଷ ଏକ ଦିଗଗାମୀ ହୋଇ ଚାଲିଛନ୍ତି । ଭାରତୀୟ ଶିକ୍ଷା ପଦ୍ଧତିକୁ ଏକ ଦୁର୍ବଳ ଏବଂ ସମୀପ ଦ୍ରଷ୍ଟା ଭାବେ ବର୍ଣ୍ଣନା କରି ବ୍ରିଟିଶ ଯେଉଁ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲା ସେହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନହୋଇ ଅଦ୍ୟାବଧି ପ୍ରଚଳିତ ରହିଛି ଆମ ଦେଶରେ । ସେମାନଙ୍କ ଦ୍ୱାରା ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଏବଂ ଆମ ଦେଶର ସାଂସ୍କୃତିକ ଶିକ୍ଷା ମଧ୍ୟରେ କ’ଣ ସବୁ ଅନ୍ତର ରହିଥିଲା, ଶିକ୍ଷା ବ୍ୟବସ୍ଥାକୁ କେଉଁ ମାର୍ଗରେ ବ୍ୟବହାର କରାଯିବା ବିଧେୟ, ଏବଂ ଆମେ କ’ଣ କରୁଛେ ସମୀକ୍ଷା କରି ଦେଖିବା….. ଭାରତୀୟ ସାଂସ୍କୃତିକ ଶିକ୍ଷା ମାନବୀୟ ଚେତନା ଜ୍ଞାନ ସୃଷ୍ଟି କରି ମଣିଷକୁ ମଣିଷ ଭଳି ଗଢି ତୋଳିବାରେ ଲକ୍ଷ ରଖିଥିଲା । ତେଣୁ ଭାଷା, ସାହିତ୍ୟ ତଥା ମାନବିକ ଚେତନା ଉପରେ ଆଧାରିତ ପାଠ୍ୟକ୍ରମ ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷା ଦିଆଯାଉ ଥିଲା । ସେହି ସମୟରେ ଆଧୁନିକ ରସାୟନ, ପଦାର୍ଥ ବିଜ୍ଞାନ ଆଧାରିତ କୌଣସି ବିଷୟ ଉପରେ ଗବେଷଣାତ୍ମକ ଶିକ୍ଷା ନଥିଲା ଆମ ଦେଶରେ ଯାହା ବର୍ତ୍ତମାନ ସୁଦ୍ଧା ସମାନ ଅବସ୍ଥାରେ ରହିଛି । ଶରୀର ବିଜ୍ଞାନ ତଥା ଯୋଗ ସାଧନ ଏବଂ ଆୟୁର୍ବେଦ ଶାସ୍ତ୍ର ଉପରେ ଆଧାରିତ କେତେକ ଶିକ୍ଷଣୀୟ ବିଷୟ ଭାରତରେ ଉଦ୍ଭାବିତ ହୋଇଥିଲା ଯାହା ଆଜି ସମୟରେ ମୁମୂର୍ଷୁ ଅବସ୍ଥାରେ ପତିତ ହୋଇ ଆତ୍ମ ଚିତ୍କାର କରୁଛି । ଭାରତୀୟ ମନୋବିଜ୍ଞାନ କହିଲେ ଆଜି ସମୟର ଶିକ୍ଷାର୍ଥୀଙ୍କ ପାଇଁ ଏକ କୌତୁହଳ ପୂର୍ଣ୍ଣ ପରିହାସର ବ୍ୟାଙ୍ଗୀୟ ପରିଭାଷାରେ ପରିଣତ ସାଧାରଣ ଜ୍ଞାନ ଶୂନ୍ୟ ମଣିଷଙ୍କ ଅବସ୍ଥିତି ୯୯ ପାରୀ ଦେଖିବାକୁ ମିଳୁଛି ଆମ ଦେଶରେ । ଭାଷା କହିଲେ ଆମେ କେବଳ ଇଂରାଜୀକୁ ବୁଝିଥାଉ ଯାହା ଗୋଟିଏ ଜ୍ଞାନୀର ପରିଚୟ ଦେବା ଛଡା ମାତୃଭାଷାରେ କଥା ହେଉଥିବା ମଣିଷଙ୍କୁ ଆମେ ଗାଉଁଲି କହୁ ! ରାଜନୀତି କେବଳ ରାଜ ପରିବାର ମଧ୍ୟରେ ସୀମିତ ଥିଲା ଯାହା ସାଧାରଣ ଲୋକଙ୍କ କୌଣସି ବ୍ୟକ୍ତିଗତ ଭବାନ୍ତର୍ଭୂକ୍ତ ହେଉନଥିଲା । ବ୍ରିଟିଶ ପରବର୍ତ୍ତୀ ସେମାନଙ୍କ ସମ୍ବିଧାନର ନକଲରେ ପରିଚାଳିତ ଆମ ଦେଶର ଗଣତନ୍ତ୍ର ଭିତରେ ରାଜନୀତିର ଆକର୍ଷଣ ଏକ ଭିନ୍ନ ରୂପରେ ଦୃଶ୍ୟମାନ । ଗଣତନ୍ତ୍ର ମାଧ୍ୟମରେ ରାଜତନ୍ତ୍ର ଚଳାଇବା ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ଏକ ଅବଦାନ ଯାହା ଆମ ଦେଶର ସାମ୍ବିଧାନିକ ଶୋଭା ବର୍ଦ୍ଧନ କରୁଛି ଆଜିର ଏକବିଂଶ ଶତାବ୍ଦୀରେ । କାରଣ ଇତି ମଧ୍ୟରେ ଆମ ଦେଶରେ ସ୍ୱଦେଶ ସଂସ୍କୃତି, ପରମ୍ପରାକୁ ନେଇ ସମ୍ବିଧାନ ସୃଷ୍ଟି କରିବା ପାଇଁ କୌଣସି ସନ୍ତାନ ଜନ୍ମ ହୋଇ ନାହାନ୍ତି । ଆଗକୁ ମଧ୍ୟ ହେବା ସମ୍ଭାବନା ଖୁବ୍ କ୍ଷୀଣ । ବର୍ତମାନର ବ୍ରିଟିଶ୍ ଆଇନ ଏବଂ ଶିକ୍ଷା ନୀତି ସାଧାରଣ ମଣିଷଙ୍କୁ ଯେଉଁ ରସାତଳଗାମୀ କରି ଚାଲିଛି ଆସନ୍ତା ଭବିଷ୍ୟତରେ କେବଳ ଏହାଠାରୁ ଯଥେଷ୍ଟ ବ୍ୟର୍ଥ ପ୍ରମାଣପତ୍ର ଧାରୀ ଅହଙ୍କାରୀ ସୃଷ୍ଟି ହେବେ ଯେଉଁମାନେ ଜନ୍ମ ମାଟିକୁ ମା’ ବୋଲି କହିବାକୁ ଲଜ୍ଜା ଅନୁଭବ କରିବେ ! ବର୍ତ୍ତମାନ ସମୟରେ ତାହାର ସ୍ଥିତି ମଧ୍ୟ କିଛି କମ୍ ଦେଖିବାକୁ ମିଳୁନାହିଁ, ଭାବିଲେ ସେହି ଦେଶାନ୍ତରୀ ସୁପୁତ୍ର, ସୁଜ୍ଞାନୀ ମଣିଷ ମାନଙ୍କ କଥା ! ହେଲେ ବାସ୍ତବିକ ପ୍ରକୃତ ଶିକ୍ଷା କ’ଣ ଏବଂ ତାହାର ବ୍ୟବହାରିକ ମୂଲ୍ୟବୋଧ କେବଳ ଚାକିରୀ କରି ରୋଜଗାର କରିବା ମଧ୍ୟରେ ସୀମିତ ନା ଆଉ କୌଣସି ମୂଲ୍ୟବୋଧ ରଖିଥାଏ ଶିକ୍ଷା, ଅନୁଶୀଳନ କରିବା ସହିତ ଶିକ୍ଷିତ କାହାକୁ କୁହାଯାଏ ଏବଂ ଆମ ଦେଶର ଶିକ୍ଷା ନୀତି କ’ଣ ଅଛି, କ’ଣ ହେବା କଥା ବା ହେଲେ ଭଲ ହେବ ବିଚାର କରି ଦେଖିଲେ ଜାଣିହେବ ଯେ….. ଭାରତୀୟ ସଂସ୍କୃତିରେ ଶିକ୍ଷାକୁ କୌଣସି ରୋଜଗାରରେ ସିଧା ସଳଖ ବ୍ୟବହାର କରାଯିବା ଲକ୍ଷ ରଖାଯାଇ ନଥିଲା । କାରଣ ଭାରତୀୟ ସଂସ୍କୃତିରେ କେହି ଅନ୍ୟକୁ କ୍ରୀତଦାସ (ମାସିକ ବେତନ ଦେୟ ଯୁକ୍ତ ଚାକର) କରି ଖଟାଇବା ଉଦେଶ୍ୟ ନରଖି ସାଧାରଣ ଲୋକଙ୍କୁ ଯଥେଷ୍ଟ ଦକ୍ଷ, ନିପୁଣ କରି ସ୍ୱାବଲମ୍ବୀ ହେବା ଲକ୍ଷ ରହିଥିଲା ଯାହା ଶିକ୍ଷା ମାଧ୍ୟମରେ ପ୍ରାପ୍ତି ହେବା ସମ୍ଭାବନା ରହିଥାଏ । ଶିକ୍ଷାର ଉପଯୁକ୍ତତା ପ୍ରତିପାଦିତ ହେବ ଯେତେବେଳେ ମଣିଷ ତାକୁ ବ୍ୟବହାର କରି ନିଜସ୍ୱ ଗବେଷଣାତ୍ମକ ଜ୍ଞାନ ସୃଷ୍ଟି କରି ତାହାଠାରୁ ଯଥେଷ୍ଟ ଅଗ୍ରଗତି କରିପାରିବ । ଅର୍ଥାତ ଶିକ୍ଷା ସମାପ୍ତି ପରେ ମଣିଷ ନିଜର ଅନ୍ତର୍ଜ୍ଞାନ ସୃଷ୍ଟି କରି ନିଜର ଦକ୍ଷତା, କ୍ଷମତା ପ୍ରଦର୍ଶନ କରିପାରିଲେ ତାକୁ ପ୍ରକୃତ ଶିକ୍ଷିତ ବୋଲି କୁହାଯିବ । କି’ନ୍ତୁ କୌଣସି ପୋଥୀଗତ ବିଦ୍ୟାକୁ ପଢି, ଘୋଷି, ମନେରଖି କିଂଚିତ ପ୍ରଶ୍ନୋତ୍ତର ମାଧ୍ୟମରେ କୃତିତ୍ୱ ଅର୍ଜନ କରୁଥିବା ମଣିଷଙ୍କୁ ଶିକ୍ଷିତ ବୋଲି କୁହାଯାଇ ପାରିବ ନାହିଁ ! କାରଣ ସେହିଭଳି ଶିକ୍ଷାର ମୂଲ୍ୟାଙ୍କନ କେବଳ ପରୀକ୍ଷା ମାଧ୍ୟମରେ କରାଯାଇ ସମ୍ପୃକ୍ତ କୃତି ବିଦ୍ୟାର୍ଥୀଙ୍କୁ କୌଣସି ପ୍ରମାଣ ପତ୍ର ଦିଆଗଲେ, ପରବର୍ତୀ ସମୟରେ ସମ୍ପୃକ୍ତ ଶିକ୍ଷାର୍ଥୀ ସେହି ପ୍ରମାଣପତ୍ରକୁ ବିନିଯୋଗ କରି ନିଜସ୍ୱ ଅନ୍ତର୍ଜ୍ଞାନ ସୃଷ୍ଟି କରିବା କୋଶ ଦୂର, ସେହି ଶିକ୍ଷାର କୌଣସି ଅଂଶ ବିଶେଷ ମଧ୍ୟ ପୁନର୍ବାର ସ୍ମରଣ କରିବା ସମ୍ଭବ ହେବନାହିଁ ଯାହା ଆଜି ସମୟରେ ପ୍ରାୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି ! ତେଣୁ ସେହି ପୋଥୀଗତ ଶିକ୍ଷାରୁ ପରୀକ୍ଷା ମାଧ୍ୟମରେ କୃତି ଶିକ୍ଷାର୍ଥୀଙ୍କୁ ଶିକ୍ଷିତ ବୋଲି କୁହାଯାଇ ପାରିବ ନାହିଁ, ଯେତେବେଳ ପର୍ଯ୍ୟନ୍ତ ସେ ସେହି ଶିକ୍ଷାର ଉପଯୁକ୍ତତା ପ୍ରମାଣ କରିବାରେ ସମର୍ଥ ହୋଇନାହିଁ । ଶିକ୍ଷାରେ ରୋଜଗାର ଏକ ପାଶ୍ଚାତ୍ୟ କ୍ରୀତଦାସ ବ୍ୟବସ୍ଥା ଯାହା ଆଜି ଆମ ଦେଶ ଲୋକଙ୍କ ପ୍ରଧାନ କାର୍ଯ୍ୟ ଶୈଳୀ ଭାବେ ଭବାନ୍ତର୍ଭୂକ୍ତ । କୌଣସି ମତେ ଅଧିକ ଶିକ୍ଷା ଅର୍ଜିତ ପ୍ରମାଣପତ୍ର ହାସଲ କରିପାରିଲେ କୌଣସି କ୍ଷେତ୍ରରେ ନିୟୋଜିତ ହୋଇ ଯଥେଷ୍ଟ ଧନ ରାଶି ରୋଜଗାର କରି ନିଜ ଜୀବନ ସୁଖମୟ କରିବା ଲକ୍ଷ ରଖୁଥିବା ମଣିଷଙ୍କ ସଂଖ୍ୟା ୯୯ ପାର ଦେବାକୁ ମିଳୁଛି ସର୍ବତ୍ର । କି’ନ୍ତୁ କୌଣସି ମତେ ଶିକ୍ଷାରେ ମାନବିକ ମୂଲ୍ୟବୋଧ ଅନୁଭବ କରୁଥିବା ମଣିଷ ଖୋଜିଲେ ମିଳିବେ, ସନ୍ଦେହ !! ବାସ୍ତବିକ ଶିକ୍ଷାକୁ କେମିତି ଏବଂ କାହିଁକି ଆମ ମନ ମାନସରେ ଏକ ବିକୃତ ସ୍ଥାନିତ କରାଯାଇ ଅଛି ଏବଂ ତାହାର ଉଦେଶ୍ୟ କ’ଣ ପରବର୍ତ୍ତୀ ସମୟରେ ବିଚାର କରିବା…..
ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.