ଭିଜିଲାନ୍ସ ଏସପିଙ୍କ ଜରିଆରେ ବିଭିନ୍ନ ଦାବୀ ନେଇ ଗୃହ ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କଲା ବିଜେପି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଡ୍ରେନେଜ ଡିଭିଜନରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଜିଲ୍ଲା ବିଜେପି ପକ୍ଷରୁ ଗତକାଲି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଭିଜିଲାନ୍ସ ଏସପିଙ୍କ ଜରିଆରେ ଗୃହ ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେହି ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ, ସରକାର ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଦୁର୍ନୀତି ଯୋଗୁଁ ସାଧାରଣ ଜନତା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ହନ୍ତସନ୍ତ ହେଉଛନ୍ତି । ଉଦାହରଣ ସ୍ୱରୂପ ଗତକାଲି ଅଳ୍ପ ଟିକିଏ ବର୍ଷା ହେଲେ ବ୍ରହ୍ମପୁର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ପୂର୍ବରୁ କେବଳ ସହରର ତଳିଆ ଅଂଚଳ ଗୁଡିକରେ ବର୍ଷା ଦିନେ ପାଣି ଜମା ହେଉଥିବା ବେଳେ ବର୍ତ୍ତମାନ ସହରର ମୁଖ୍ୟ ରାସ୍ତା ସମେତ ଶର ମଝିରେ ରହିଥିବା ସାହି ଗୁଡିକରେ ମଧ୍ୟ ପାଣି ଜମି ରହୁଛି ଏହାର ମୁଖ୍ୟ କାରଣ ସହରର ମଇଳା ପାଣି ନିଷ୍କାସନ ହୋଇପାରୁ ନାହିଁ ତେବେ ସହରର ମଇଳା ପାଣି ନିଷ୍କାସନ ପାଇଁ ବାହାନା ନାଳ ଓ ସାପୁଆ ନାଳ ର୍ହସିହିଁ ଏହି ଦୁଇ ନାଳର ମୁଖ୍ୟ ଦାୟିତ୍ୱ ଡ୍ରେନେଜ ଡିଭିଜନ ବ୍ରହ୍ମପୁର ଉପରେ ନ୍ୟସ୍ତ । ସହର ତଥା ଗ୍ରାମାଞ୍ଚଳ ଡ୍ରେନେଜ ପୁନରୁଦ୍ଧାର ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଏହି ଡିଭିଜନକୁ ଆସିଥିବା ବେଳେ ପ୍ରକୃତ ପକ୍ଷେ ଏହାର ସଦୁପଯୋଗ କରାନଯାଇ ଵ୍ୟାପକ ଦୁର୍ନୀତି କରାଯାଇ ଏହି ଟଙ୍କାକୁ ହେରଫେର କରାଯାଉଛି । କେବଳ କାଗଜ ପାତ୍ରରେ କାମ ହେଲା ଭଳି ଦେଖାଯାଇ ଫଲସ ବିଲ କରି କୋଟି କୋଟି ଟଙ୍କା ହଡ଼ପ କରାଯାଉଛି । ଯାହାର ଫଳ ସ୍ୱରୂପ ଆଜି ଅସରା ଏ ବର୍ଷା ହେଲେ ବ୍ରହ୍ମପୁର ସହର ସମେତ ଏହାର ଆଖ ପାଖ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି ଓ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଥାଉକି ଏଡିଭିଜନରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ବ୍ୟାପକ ଅର୍ଥ ହଡପ କରିଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ତାହା ସରକାରୀ କଳର ପ୍ରତ୍ୟକ୍ଷ ହସ୍ତକ୍ଷେପ ଯୋଗୁଁ ଆଜି ପର୍ଯ୍ୟନ୍ତ କୌଣସି ଅନୁସନ୍ଧାନ ମଧ୍ୟ ହେଉନାହିଁ । ଏହି ଡିଭିଜନ ଅଧୀନରେ ଥିବା ପାତ୍ରପୁର ହେଉ ଅବା ଦିଗପହଣ୍ଡିରେ ମଧ୍ୟ ନାମକୁ ମାତ୍ର ଜେସିବି ମେସିନରେ ଲୋକ ଦେଖାଣିଆ ଭାବେ ସଫା କରିବା ଆଳରେ କୋଟି କୋଟି ଟଙ୍କା ହେରଫେର ହେଉଥିବା ସ୍ଥାନୀୟ ଜନସାଧାରଣ ଦାବୀ କରି ଆସୁଛନ୍ତି । ବ୍ରହ୍ମପୁର ଡ୍ରେନେଜ ଡିଭିଜନ ବିଗତ ୫ ବର୍ଷରେ ବ୍ରହ୍ମପୁରର ସାପୁଆ ନାଳ ଓ ବାହାନା ନାଳ ସଫେଇ ଓ ପୁନରୁଦ୍ଧାର କରିବା ନାଁରେ କୋଟି କୋଟି ଟଙ୍କାର ମିଥ୍ୟା ବିଲ କରାଇ ଶାସକ ଦଳର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହଡପ ହୋଇଥିବା ଭାଜପା ଅଭିଯୋଗ କରିବା ସତ୍ତ୍ୱେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଉଦାହରଣ ସ୍ୱରୂପ ବାହାନା ନାଳର କଇଁଫୁଲିଆ ଘାଇ ଓ ପଣାବନ୍ଧ ଘାଇର ପାର୍ଶ୍ୱ ହୁଡ଼ା ନିମ୍ନ ମାନର କାମ ଯୋଗୁଁ ଭାଙ୍ଗିବା ଦ୍ୱାରା ହଜାର ହଜାର ଏକର ଚାଷ ଜମି ଜଳ ମଗ୍ନ ହୋଇ ଫସଲ ନଷ୍ଟ ହେଲା । ଏଥିପାଇଁ ଡ୍ରେନେଜ ଡିଭିଜନ ହିଁ ଦାୟୀ । ଏଣୁ ଗତକାଲି ଗଞ୍ଜାମ ଜିଲ୍ଲା ଭାଜପା ଭିଜିଲାନ୍ସ ଏସପିଙ୍କ ଜରିଆରେ ଗୃହ ସଚିବ (ଓଡିଶା)ଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହ ନିର୍ମଳ ଶାସନର ଡିଣ୍ଡିମ ପିଟୁଥିବା ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ନିର୍ମଳ ଶାସନର ଭାବ ମୂର୍ତ୍ତି ପ୍ରଦର୍ଶନ କରିବା ନିମନ୍ତେ ବିଜେପି ଦାବୀ କରୁଛି । ନଚେତ ଆଗାମୀ ଦିନରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରାଯିବ ବୋଲି ଚେତାବନୀ ଦେଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ବିଭୁତି ଜେନା, ରାଜେଶ ସାହୁ, ଶିଶିର ପାଢ଼ୀ, ପ୍ରଭାତ ଷଡ଼ଙ୍ଗୀ, ସୁନୀଲ ସାହୁ, ମଦନ ପାତ୍ର, କାହ୍ନୁ ଚରଣ ପତି, ପ୍ରବୀର ପାତ୍ର, ଗପିନାଥ ପଣ୍ଡା, ଶରତ ସାହୁ, ଅମୁଲ୍ୟ ଚୌଧୁରୀ, ପ୍ରଦୀପ ମିଶ୍ର, ବିଜୟ ପଣ୍ଡା, ସୁନୀଲ ପାତ୍ର, ଭାବଗ୍ରାହୀ ପାଳ, ଋତୁପନ୍ନ ପଣ୍ଡା, ଏସ.ରାଣୀ, ଶିବ ଅଧିକାରୀ, ମନ ଶତପଥୀ, ବିନାୟକ ରଥ, ପ୍ରଫୁଲ ପାଣିଗ୍ରାହୀ, ହେମନ୍ତ ପଣ୍ଡା, ଗୌରୀ ମହାନ୍ତି, ରୀଙ୍କୁ ସାମଲ, ସରିତା ପଣ୍ଡା, ମନୋଜ ପଟ୍ଟନାୟକ, ହେମନ୍ତ ପଣ୍ଡା, ମଧୁସୂଦନ ସାହୁ, ଇପାରୀ ରାଜେନ୍ଦ୍ର ପ୍ରସାଦ, ନିରଞ୍ଜନ ପାଣିଗ୍ରାହୀ, ଏସ. ଶ୍ରୀନିବାସ, ସୁଭାଶିଷ ସାହୁ ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା