ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ଲୋକଙ୍କ ହିତ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରିଚାଲିଥିବା ବେଳେ କେତେକ ଅଧିକାରଙ୍କ ଉଦାସୀନତା ଯୋଗୁଁ ଯୋଗ୍ୟ ହିତାଧିକାରୀ ସେଥିରୁ ବଂଚିତ ହୋଇ ଆସୁଛନ୍ତି । ମାସ ପରେ ମାସ ବିତିଯାଉଥିଲେ ମଧ୍ୟ ଉପକୃତ ହୋଇନଥିବା ହିତାଧିକାରୀଙ୍କ ଲାଗି ପରବର୍ତ୍ତୀ ସମୟରେ ମଧ୍ୟ କୌଣସି ସରକାରୀ ସୁବିଧା ସୁଯୋଗ ଦିଆଯାଉନାହିଁ । ଏପରି ଏକ ଘଟଣା ବିରୋଧରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ପଂଚାୟତର ସମିତି ସଦସ୍ୟା ଜିଲା ଓ ରାଜ୍ୟ ପ୍ରଶାସନ ଠାରେ ଅଭିଯୋଗ କରିଛନ୍ତି । ଜଳେଶ୍ୱର ପଂଚାୟତ ସମିତିରେ ଗତ ୮-୧୧-୨୦୧୮ ମସିହାରେ ଜଳେଶ୍ୱର ନୂଆବଜାରସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବୋହୁ ଯୋଗ୍ୟ ହିତାଧିକାରୀ ଯୋଗ ଦେଇ ପ୍ରମାଣପତ୍ର ପାଇଁ ଅଦ୍ୟାବଧି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ବିଭିନ୍ନ ସମୟରେ ବିଭିନ୍ନ ପଂଚାୟତରୁ ଅଭିଯୋଗ ଆସିଥିବା ବେଳେ ବିଶେଷ ତାହା ବିଶେଷ ପ୍ରଭାବିତ ହୋଇପାରିନାହିଁ । ଏ ସଂପର୍କରେ ଗତ ୨ ଦିନ ତଳେ ଦକ୍ଷିଣ ପ୍ରହରାଜପୁରର ପଂଚାୟତ ସମିତି ସଦସ୍ୟା ଅଂଜଳି ବାରିକ ଜିଲା ଓ ରାଜ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ସେହି ପଂଚାୟତର ବେବି ବାରିକ, ସୁରଂଜନ ଘୋଷ, ମଧୁମତି ବାରିକ, ମାଧବଚନ୍ଦ୍ର ପରିଡା, ଲିଲି ବେହେରା, ସୁନୀଲ ବାରିକ, ଗୌରୀଶଂକର ମହାନ୍ତି, ରେଣ୍ଟା ସରେନ୍, ଉମି ସରେନ୍, ସନ୍ତୋଷ ବେହେରା, ଅସିତ୍ ମହାନ୍ତି, ଅନ୍ନପୂର୍ଣ୍ଣା ପାତ୍ର, ବୁଧେଶ୍ୱର ଘୋଷ, ନିରଞ୍ଜନ ମହାନ୍ତି, ରିତାରାଣୀ ବାରିକ, ରଂଜନ ମହାନାଙ୍କ ସହିତ ବହୁ ବ୍ୟକ୍ତି ଶିବିରରେ ଉପସ୍ଥିତ ରହି ବିଭିନ୍ନ ବିଭାଗରେ ବିଶେଷଜ୍ଞ ମାନଙ୍କ ଠାରେ ନିଜର ପରୀକ୍ଷା କରିଥିଲେ ସୁଦ୍ଧା ଅଦ୍ୟାବଧି ପ୍ରମାଣପତ୍ର ହାସଲ କରିପାରି ନାହାନ୍ତି । ଏ ସଂପର୍କରେ ସେମାନେ ଜଳେଶ୍ୱର ବିଡିଓ, ବାଲେଶ୍ୱର ଜିଲାପାଳ, ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା