ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଭୁତ, ପ୍ରେତ, ଗୁଣି ଗାରେଡିକୁ ନେଇ ଜନ ସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି । ଯାହା ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ ଗୁଣି ଗାରେଡି ପ୍ରତି ଆଗ୍ରହ ଦେଖାଉଛନ୍ତି । କାହାର କିଛି ପାରିବାରିକ ଅସୁବିଧା ହେଲେ ପାଖ ପଡିଶା ଗୁଣି କରି ଦେଇଛି ବୋଲି ଭ୍ରାନ୍ତ ଧାରଣା ନେଇ ଗଣ୍ଡଗୋଳର ସୂତ୍ରପାତ ହେଉଛି ଏବଂ ବେଳେବେଳେ ହତ୍ୟାକାଣ୍ଡ ମଧ୍ୟ ଘଟିଯାଉଛି । ଲୋକମାନେ ନିଜର ସମ୍ପତ୍ତି ବୃଦ୍ଧି ଓ ପାରିବାରିକ ଅଶାନ୍ତି ଦୂର କରିବା, ପରିବାର ଲୋକଙ୍କ ରୋଗ ଭଲ କରିବା ପ୍ରଭୃତି କାର୍ଯ୍ୟ ପାଇଁ ଗୁଣିଆର ଦ୍ୱାରସ୍ଥ ହେଉଛନ୍ତି । ଗୁଣିଆର ପ୍ରରୋଚନାରେ କେତେ ଜଣ ନିଜର ଜ୍ଞାତି କୁଟୁମ୍ବକୁ ମଧ୍ୟ ବଳି ଦେଉଛନ୍ତି । ବେଳେ ବେଳେ ମଣିଷର ମାନସିକ ବିକାର ଦେଖାଦିଏ । ବିଜ୍ଞାନ ସମ୍ମତ ଭାବରେ ଏହା ଏକ ରୋଗ । ଏପରି ରୋଗୀକୁ ଚିକିତ୍ସା ନ କରି ଲୋକମାନେ ଗୁଣିଆର ଦ୍ୱାରସ୍ଥ ହେଉଛନ୍ତି । ଗୁଣିଆ ମଧ୍ୟ ବିଭିନ୍ନ ମନଗଢା କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବା ସହିତ ଆର୍ଥିକ ଶୋଷଣ କରୁଛନ୍ତି । ଗୁଣି ଗାରେଡିକୁ ଗୁରୁତ୍ୱ ନ ଦେବା ଏବଂ ଏ ବାବଦରେ ଅନ୍ୟକୁ ଦୋଷାରୋପ ନ କରିବା ପାଇଁ ଜିଲ୍ଲାରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହା ସତ୍ତ୍ୱେ ମଧ୍ୟ ଜନ ସାଧାରଣଙ୍କ ଭ୍ରାନ୍ତ ଧାରଣା ଦୂର ହେଉନାହିଁ । ମୋବାଇଲ ମେସେଜ ମାଧ୍ୟମରେ ଜିଲ୍ଲା କର୍ମକର୍ତ୍ତାଙ୍କ ପାଖକୁ ଗୁଣି ଗାରେଡି ବାବଦରେ ଖବର ପହଞ୍ଚୁଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗୁଣିଗାରେଡି ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆଗତ ହେଉଛି । ଭୁତ ପ୍ରେତ ଗୁଣି ଗାରେଡିର କୌଣସି ସତ୍ୟାସତ୍ୟ ଖବର ଜାଣିବା ପାଇଁ ଜିଲ୍ଲା ଅଧିକାରୀ ବିଭିନ୍ନ ସ୍ତରରେ ଅନୁସନ୍ଧାନ କରି ଏହାର ବାସ୍ତବତା କିଛି ନଥିବା ହୃଦୟଙ୍ଗମ କରୁଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ୟକ୍ତିଗତ ଭାବରେ ଏପରି ସ୍ଥିତିର ସମ୍ମୁଖୀନ ହୋଇ ଜିଲ୍ଲାବାସୀଙ୍କୁ ପ୍ରାମାଣିକ ତଥ୍ୟ ଦେବା ପାଇଁ ଗୁଣି ଗାରେଡି ଭୁତ ପ୍ରେତ ବାବଦରେ ଜିଲ୍ଲାର କୌଣସି ବ୍ୟକ୍ତି ବଳିଷ୍ଠ ପ୍ରମାଣ ଦେଇ ପାରିଲେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ବୋଲି ଲୋକ ସମ୍ପର୍କ ଅଧିକାରୀ ବିଚିତ୍ରା ସେଠି ଜଣାଇଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା