ଭୁବନେଶ୍ୱରରେ ଦିଆଯିବ ପ୍ରଶାସନିକ ସେବା କୋଚିଂ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରଶାସନିକ ସେବା କୋଚିଂ ଲାଗି ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି । ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଦିଆଯିବ ଉନ୍ନତମାନର କୋଚିଂ । ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର କମୁଥିବାରୁ ଏଥିରେ ସୁଧାର ଆଣିବାକୁ ଅଣ୍ଟାଭିଡ଼ିଛି ଉଚ୍ଚ ଶିକ୍ଷା ବିଭାଗ । ଜୁନ୍ ୨୪ରୁ ଆରମ୍ଭ ହେବ କୋଚିଂ କ୍ଲାସ୍ । ପ୍ରଥମ ବର୍ଷରେ ୧୦୦ ଜଣ ଆଶାୟୀଙ୍କୁ କୋଚିଂ ଦିଆଯିବ । ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି । ବର୍ଷେ ଅବଧି ରହୁଥିବା ଏହି କୋଚିଂ କ୍ଲାସ୍‌ରେ ପ୍ରିଲିମ୍‌ନାରି ଓ ମେନ୍‌ ପର୍ଯ୍ୟାୟ ପରୀକ୍ଷା ଲାଗି ପାଠ ପଢାଯିବ। ଏଥିଲାଗି ଉଚ୍ଚ ଶିକ୍ଷା ବିଭାଗ ଏକ ସଂସ୍ଥାକୁ ନିୟୋଜିତ କରିଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର । ଯେଉଁ ଆଶାୟୀଙ୍କ ଅଭିଭାବକଙ୍କ ବାର୍ଷିକ ରୋଜଗାର ୨ଲକ୍ଷ ଟଙ୍କାରୁ ଅଧିକ, ସେମାନେ କୋଚିଂ ପାଇଁ ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ । ଯେଉଁ ଆଶାୟୀଙ୍କ ପରିବାରର ବାର୍ଷିକ ରୋଜଗାର ୨ଲକ୍ଷ ଟଙ୍କାରୁ କମ୍ ଥିବ, ସେମାନେ ମାଗଣାରେ କୋଚିଂ ପାଇବେ । ଏହାଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଉନ୍ନତମାନର କୋଚିଂ ପାଇପାରିବେ ବୋଲି ଆଶା କରାଯାଉଛି । ପୂର୍ବରୁ ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟ ଓ ୫୨ଟି ସରକାରୀ ଡିଗ୍ରୀ କଲେଜରେ ପ୍ରଶାସନିକ ସେବା ଲାଗି କୋଚିଂ ସେଣ୍ଟର ଖୋଲାଯାଇଛି । ଏବେ ରାଜଧାନୀରେ ପ୍ରଶାସନିକ ସେବା ଲାଗି କୋଚିଂ ହବ୍‌ ଖୋଲିବା ନିଷ୍ପତ୍ତି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ କେତେ ସଫଳତା ଆଣିଦେଉଛି ତା’ଉପରେ ସମସ୍ତଙ୍କର ନଜର ରହିଛି ।

ରିପୋର୍ଟ : ଆକାଶ ମିଶ୍ର