


ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନର ଭୋଟ ଗଣତି କାର୍ଯ୍ୟକ୍ରମ ଆସନ୍ତା ମଇ ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ବିଧିବଦ୍ଧ ଭାବରେ ଶୁଙ୍ଖଳାର ସହିତ ଗଣତି କରିବା ଉପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମର ୧୩ ଗୋଟି ବିଧାନସଭା କ୍ଷେତ୍ର ଏବଂ ଦୁଇଗୋଟି ଲୋକସଭା କ୍ଷେତ୍ର ପାଇଁ ଗଣତି କାର୍ଯ୍ୟକ୍ରମ ମଇ ୨୩ ତାରିଖ ଦିନ ପୂର୍ବାହ୍ନ ୮ଘଣ୍ଟା ସମୟରେ ଆରମ୍ଭ କରାଯିବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ ୮ଘଣ୍ଟା ୩୦ ମିନିଟ ଠାରୁ ଇଭିଏମ ବାଲାଟ ଗଣତି କରାଯିବ । ଏଥିପାଇଁ ଜିଲ୍ଲାର ୯୦୦ କର୍ମଚାରୀ ନିଯୁକ୍ତ ହେବେ । ପୌର ନିଗମ, ପୌର ପରିଷଦ, ବିଜ୍ଞାପିତ ଅଂଚଳ ପରିଷଦ କିମ୍ବା ଗ୍ରାମ ପଞ୍ଚାୟତର କର୍ମଚାରୀମାନଙ୍କ ବ୍ୟତିତ ଅନ୍ୟ ସରକାରୀ କର୍ମଚାରୀ ମାନଙ୍କୁ ଏହି ଗଣତିରେ ସାମିଲ କରାଯିବ । ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗରରେ ଥିବା ଷ୍ଟ୍ରଙ୍ଗ ରୁମ ପରିସରରେ ଗଣତି ହେବ । ଗଣତି କେନ୍ଦ୍ର ଶୀତତାପ ନିୟନ୍ତ୍ରିତ ହେବା ସହିତ ସମ୍ପୂର୍ଣ୍ଣ ନୀରବତା ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଆପତ୍ତି ଅଭିଯୋଗ ଲିଖିତ ଆକାରରେ ଗ୍ରହଣ କରାଯିବ ଏବଂ ଗଣତି ପରେ ତା ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ । ଗଣତି କର୍ମଚାରୀ ମାନଙ୍କର ତାଲିମ ବ୍ରହ୍ମପୁର ସ୍ଥିତ ପଲିଟେକନୀକ ଠାରେ ମଇ ମାସ ୧୫ ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯିବ । ଗଣତି କେନ୍ଦ୍ରରେ ବିଧାନସଭା କ୍ଷେତ୍ର ପାଇଁ ୭ ଗୋଟି ଟେବୁଲ ଏବଂ ଲୋକସଭା କ୍ଷେତ୍ର ପାଇଁ ୭ ଗୋଟି ଟେବୁଲ ରହିବ । ପ୍ରତ୍ୟେକ ଟେବୁଲ ପାଇଁ ୩ ଜଣ କର୍ମଚାରୀ ନିଯୁକ୍ତ ରହିବେ । କୌଣସି କର୍ମଚାରୀ ସାଙ୍ଗରେ ମୋବାଇଲ ଫୋନ କିମ୍ବା ଅନ୍ୟ କୌଣସି ଚିତ୍ର ଉତ୍ତୋଳନ ସାମଗ୍ରୀ ରଖିପାରିବେ ନାହିଁ ବୋଲି କୁହାଯାଇଛି । ଏହା ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁରନ୍ତ କର୍ମଚାରୀ ମାନଙ୍କୁ ଗୋଟିଏ ଦିନ ପୂର୍ବରୁ ଗଣତି କେନ୍ଦ୍ରରେ ପହଞ୍ଚିବା ପାଇଁ କୁହାଯାଇଛି । ଗଣତି ପ୍ରକ୍ରିୟା ଅବିରତ ଭାବରେ ଚାଲିବ ଏବଂ ଏହା ପାଖାପାଖି ୪୦ ପର୍ଯ୍ୟାୟ ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି । ସମ୍ପୃକ୍ତ ଟେବୁଲର କର୍ମଚାରୀମାନଙ୍କ ମଧ୍ୟରେ ଅଦଳବଦଳ ହୋଇପାରିବ ନାହିଁ । ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ଏଜେଣ୍ଟ ଉପଯୁକ୍ତ ଅନୁମତି ପତ୍ର ନେଇ ଗଣତିରେ ଉପସ୍ଥିତ ରହିପାରିବେ । ନିର୍ବାଚନ କମିଶନଙ୍କ ଅନୁମତି ପ୍ରାପ୍ତ ଗଣ ମାଧ୍ୟମର ପ୍ରତିନିଧି ମାନେ ଗଣତିର ଚିତ୍ର ଉତ୍ତୋଳନ କାରପାରିବେ । ଏହା ବ୍ୟତୀତ ଅନ୍ୟ କାହାରିକୁ ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଡେପୁଟି କଲେକ୍ଟର ନିର୍ବାଚନ ଡ଼. ବିଜୟାନନ୍ଦ ସେଠି ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

