ଭୋଟ ଦେବାକୁ ପିତାମାତାଙ୍କୁ ନିବେଦନ କଲେ ପୁଅଝିଅ:ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଶାସନଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରଧାନ ଶିକ୍ଷକ ବାଣ୍ଟିଲେ ଚିଠି…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଏବଂ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ଦ୍ୱାରା ଭୋଟ କେନ୍ଦ୍ରରେ ନିଜର ମତଦାନ କରିବା ପାଇଁ ଏକ ନିବେଦନ ପତ୍ର ବଣ୍ଟନ କରାଯାଇଛି । ଏହି ପତ୍ରରେ ସ୍କୁଲର ଛାତ୍ରଛାତ୍ରୀମାନେ ତାଙ୍କ ପିତାମାତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ଗତ ୮-୪-୨୦୧୯ ତାରିଖ ଦିନ ନିବେଦନ ପତ୍ର ମାଧ୍ୟମରେ ବଣ୍ଟନ କରାଯାଇଥିଲା । ଏହି ଚିଠିରେ ଉଲ୍ଲେଖ ଅଛି ଯେ, ”ପୂଜ୍ୟ ପିତାମାତା ଦେଶ ଓ ରାଜ୍ୟରେ ସରକାର ଗଠନ ପାଇଁ ସାଧାରଣ ନିର୍ବାଚନ ମାଧ୍ୟମରେ ଜନମତ ଲୋଡ଼ା ଯାଇଛି । ଆମ ଦେଶ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ରାଷ୍ଟ୍ର । ଦେଶ ପାଇଁ ତଥା ନିଜ ଅଞ୍ଚଳର ମଙ୍ଗଳ ପାଇଁ ପ୍ରତ୍ୟେକ ଦାଇତ୍ୱବାନ ନାଗରିକଙ୍କର ସରକାର ଗଠନରେ ନିଜର ମତଦାନ କରିବା ପ୍ରଧାନ କର୍ତ୍ତବ୍ୟ । ପ୍ରତି ୫ ବର୍ଷରେ ଥରେ ଏହି ସୁଯୋଗ ଆସେ . ତେଣୁ ମୁଁ ଚାହେଁ ମୋ ପିତାମାତା ତଥା ଆମ ଘରର ସବୁ ଗୁରୁଜନ ତାଙ୍କର ବହୁମୂଲ୍ୟ ଭୋଟ ପ୍ରଦାନ କରି ତାଙ୍କ ମନ ମୁତାବକ ପ୍ରାର୍ଥୀ ବାଛିବେ । ମୋର ଏହି ଛୋଟ ଆଳିଟିକୁ ରଖିବେ ବୋଲି ଅନୁରୋଧ ।” ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ସଚେତନତା କରି ନିବେଦନ ପତ୍ର ବଣ୍ଟନ କରିଛନ୍ତି ।

ରିପୋର୍ଟ : ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ