ମଇ ୨୦କୁ ଘୁଞ୍ଚିଲା ନିଟ୍‌ ପ୍ରବେଶିକା ପରୀକ୍ଷା…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବାତ୍ୟା ପାଇଁ ଓଡ଼ିଶାରେ ଘୁଞ୍ଚିଲା ଡାକ୍ତରୀ ପାଠ୍ୟକ୍ରମ ପାଇଁ ନିଟ୍ ପ୍ରବେଶିକା ପରୀକ୍ଷା ତାରିଖ । ସାରା ଦେଶରେ ଏହି ପରୀକ୍ଷା ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ପୂର୍ବରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ମେ ୫ ତାରିଖରେ ଏହି ପରୀକ୍ଷା ହେବାର ଥିଲା । ଫୋନି ଯୋଗୁଁ ରାଜ୍ୟରେ ବହୁ ଧନଜୀବନ ନଷ୍ଟ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଫୋନି ତାଣ୍ଡବ ରଚିବା ପରେ ପୁରୀ ସମେତ ଭୁବନେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରିକି କିଛି ସ୍ଥାନରେ ରାସ୍ତା ଉପରେ ଗଛ ପଡି ରହିଥିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ମଧ୍ୟ ହୋଇଯାଇଛି । ଏହାଛଡା ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିବାରୁ ପୁରୀ ଓ ଭୁବନେଶ୍ୱର ଗତ ୨ ଦିନ ହେବ ପୂରା ଅନ୍ଧାରରେ ରହିଛି । ଏଭଳି ସ୍ଥିତିରେ ନିଟ୍ ପରୀକ୍ଷା ଆୟୋଜନ କରିବା ନେଇ ଆଶଙ୍କା ଦେଖା ଦେଇଛି । ତେଣୁ ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାର ଅନୁରୋଧ କରିବା ପରେ ଏହାକୁ ସ୍ଥଗିତ ରଖାଯାଇଛି । କାରଣ ଅଧିକାଂଶ ଛାତ୍ରଙ୍କର ସେଣ୍ଟର ଭୁବନେଶ୍ୱରରେ ପଡିଥିବାରୁ ନିଟ୍ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଛି । ତେବେ ଫୋନିରେ ପ୍ରଭାବିତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ତାରିଖକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।