ମଦ୍ୟପାନ ଓ ନିଶାସକ୍ତ ଯୁବକ ଙ୍କୁ ଧରୁଛି ପୋଲିସ

ଭୁବନେଶ୍ୱର(ଆକାଶ ମିଶ୍ର) ମଦ୍ୟପାନ କରୁଥିବା ଓ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଲୋକଙ୍କୁ ଏବେ କମିଶନରେଟ ପୁଲିସ ଗୋଡାଇ ଗୋଡାଇ ଧରୁଛି । କେବଳ ସେତିକି ନୁହେଁ ମଦୁଆଙ୍କ ଠାରୁ ଜୋରିମାନା ଆଦାୟ କରିବା ସହିତ ଆବଶ୍ୟକସ୍ଥଳେ ସେମାନଙ୍କୁ ରାତିସାରା ଥାନାରେ ବସାଉଛି । ଏଥିଘେନି ମଦୁଆଙ୍କ ମହଲରେ ଆତଙ୍କ ସୃଷ୍ଟିହୋଇଛି । ଦୁର୍ଗୂଜା ଓ ଭସାଣିରେ ମଦୁଆଙ୍କ ଦୌରାତ୍ମ ଯୋଗୁଁ ଯେଭଳି କିଛି ଅଘଟଣ ନଘଟେ ତାହାକୁ ଆଖିଆଗରେ ରଖି ରାଜଧାନୀରେ ମଦୁଆଙ୍କ ଉପରେ ବିଭିନ୍ନ ଥାନା ପକ୍ଷରୁ ଜୋରଦାର ଚଢଉ ଚାଲିଛି । ଗତ ଦୁଇଦିନରେ ରାସ୍ତାକଡରେ,ବିଭିନ୍ନ ପାର୍କ ଆଖପାଖରେ, ଚାଖଣା ଦୋକାନ କଡରେ ଏପରିକି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଅନେକ ଲୋକଙ୍କୁ ପୁଲିସ ଉଠାଇ ନେଇଛି ।ସହରାଂଚଳ ପୁଲିସ ଆଇନରେ ନିଶାଡିଙ୍କୁ ଜବତ କରିବାପାଇଁ କମିଶନରେଟ ପୁଲିସକୁ ବହୁ କ୍ଷମତା ଦିଆଯାଇଛି । ଅତୀତରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ପୁଲିସ ଧରି ମୋଟାଅଙ୍କର ଜୋରିମାନା ଆଦାୟ କରୁଥିଲା ।ଏବେ ଅବଶ୍ୟ ଏହି ଅଭିଯାନ ଧିମା ପଡିଯାଇଛି । ତେବେ ଠିିପିବନ୍ଦ ମଦଦୋକାନ ଗୁଡିକ ନିକଟରେ ଚାଖଣା ଦୋକାନମାନ ବଢିଚାଲିବା ପରିପ୍ରେକ୍ଷୀରେ ରାଜଧାନୀର ବହୁ ଅଂଚଳରେ ସର୍ବସାଧାରଣଙ୍କ ରାସ୍ତା ଗୁଡିକ ମୁକ୍ତାକାଶ ବାର୍ ପାଲଟିଛି ।ଅନେକ ପାର୍କରେ ବି ମଦୁଆଙ୍କ ଉତ୍ପାତ ବୃଦ୍ଧି ପାଉଛି । ଏ ପ୍ରସଙ୍ଗରେ ବିଭିନ୍ନ ମହଲରୁ ବାରମ୍ବାର ପୁଲିସର ଦୃଷ୍ଟି ଆକର୍ଷଣ କରାଯାଉଛି । ପୁଲିସ କଂଟ୍ରୋଲରୁମକୁ ଫୋନ ନମ୍ବର ୧୦୦ ଅଥବା ସଂପୃକ୍ତ ଅଂଳର ଥାନାକୁ ରାସ୍ତାକଡ ମଦୁଆଙ୍କ ସଂପର୍କରେ ସୂଚନା ଦେବାମାତ୍ରେ ପିସିଆର ଗାଡି ଘଟଣାସ୍ଥଳ ପହଂଚି ମଦୁଆଙ୍କୁ ସାବାଡ କରିବା ସହିତ ଉଠାଇ ନେଉଛି ।ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମଦୁଆ ଗାଡିଚାଳକଙ୍କ ଉତ୍ପାତ ରାଜଧାନୀ ଓ ତାହାର ଆଖପାଖ ଅଂଚଳରେ କିଛିମାସ ହେବ ବଢିଚାଲିଛି । ଏଥିଯୋଗୁଁ ଅନେକ ସଡକ ଦୁର୍ଘଟଣା ଘଟୁଛି । ଏଥିରେ ମଦୁଆ ଚାଳକ ଆହତ ହେବା ସଂଗେ ସଂଗେ ଅନେକ ସାଧାରଣ ଲୋକ ବି ବିନା ଦୋଷରେ ଯନ୍ତ୍ରଣା ଭୋଗୁଛନ୍ତି ।ଏଭଳି ଗାଡିଚାଳକଙ୍କୁ ତୁରନ୍ତ ଗିରଫକରି ସେମାନଙ୍କ ଗାଡିଚାଳନା ଲାଇସେନ୍ସ ବାତିଲ କରିବାପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବ୍ରେଥଆନାଲାଇଜର ମାଧ୍ୟମରେ ମଦୁଆମାନଙ୍କୁ ପରୀକ୍ଷାକରି ଧରିବା ସହଜ ହେଉଛି ।କମିଶନରେଟ ପୁଲିସର ଅଧିକାରୀମାନେ କହୁଛନ୍ତି ଯେ ବର୍ଷକୁ ବର୍ଷ ରାଜଧାନୀରେ ମଦୁଆ ଗାଡିଚାଳକଙ୍କ ଠାରୁ ଜୋରିମାନା ଆଦାୟର ପରିମାଣ ବଢିବାରେ ଲାଗିଛି । କାରଣ ମଦୁଆଙ୍କ ସଂଖ୍ୟା ବି ବଢୁଛି । ଧନିକ ପରିବାର ମଦୁଆମାନେ ଜୋରିମାନାକୁ ହାଲୁକାଭାବେ ନେଉଥିବାରୁ ସେମାନଙ୍କୁ ଆଇନ ଅନୁଯାୟୀ କୋର୍ଟଚାଲାଣ ସହିତ ନାମ ପ୍ରକାଶ ଲାଗି ପଦକ୍ଷେପ ନିଆଯାଉଛି ।ବିଶେଷକରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଓ ଯୁବକଙ୍କ ମଧ୍ୟରେ ଦିନକୁ ଦିନ ମଦ୍ୟପାନ ହାର ବଢି ଚାଲୁଥିବାରୁ ସେମାନେ ନିଶାପାଇଁ ଅର୍ଥ ସଂଗ୍ରହଲାଗି ବିଭିନ୍ନ କିସମର ଅପରାଧ ଘଟାଉଛନ୍ତି । ଏହାକୁ ଆଖିଆଗରେ ରଖି ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ନିଶା ବିରୋଧି ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି