ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ ପୋଲିସ ଲକଡାଉନରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଗଜପତି ଜ଼ିଲ୍ଲା ଅଡବା ପୋଲିସ ୭ଜଣ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିରିକୋଟ ଗ୍ରାମଠାରେ କିଛି ଲୋକ ଏକାଠି ଜମା ଦେଖି ସେମାନଙ୍କ ନିକଟକୁ ଯାଇଥିଲେ । ସେଠାରେ ଏକ ଜାରରେ ମହୁଲି ମଦ ଭର୍ତ୍ତି ହୋଇଥିବା ଦେଖି ପୋଲିସ ମଦ ଜବତ କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଉପସ୍ଥିତ ଜନସାଧାରଣମାନେ ପୋଲିସ ଗାଡି ଏବଂ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଗାଡିଟି ଭାଙ୍ଗିରୁଜି ଯାଇଥିବା ବେଳେ କିଛି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ଆକ୍ରମଣ ପରେ ଉତ୍ୟକ୍ତ ଲୋକେ ପୋଲିସ କର୍ମଚାରୀମାନଙ୍କୁ ଅଟକ ମଧ୍ୟ ରଖିଥିଲେ । ସେଠାରେ ବିଜୟ ନାୟକ ନାମକ ଜଣେ ବ୍ୟକ୍ତି ନିଜକୁ ମୋହନା ବିଧାୟକଙ୍କ ପିଏର ପରିଚୟ ଦେବାସହ ଡିୟୁଟିରେ ଥିବା ଏସଆଇ ଚନ୍ଦନ କୁମାର ଦାସଙ୍କୁ ଚାକିରିରୁ ବାହାର କରିଦେବାର ଧମକ ମଧ୍ୟ ଦେଇଥିଲେ । ଖବର ପାଇ ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ଘଟଣା ସ୍ଥଳରେ ପହଞ୍ଚି ଅଟକ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ଏନେଇ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଅଡବା ପୋଲିସ ସୂଚନା ଦେଇଛି । ଆପାତକାଳୀନ ପରିସ୍ଥିତିରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ କର୍ମଚାରୀମାନଙ୍କୁ ଏଭଳି ଆକ୍ରମଣ ନ କରିବା ପାଇଁ ଗଜପତି ଏସପି ସାରା ଶର୍ମା ନିବେଦନ କରିବା ସହ ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ପୋଲିସ ସେମାନଙ୍କୁ ଅକାରଣରେ ମାଡ ମାରିଥିବା ଜନସାଧାରଣ ଅଭିଯୋଗ କରିଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା