ମଦ ଦୋକାନ ସ୍ଥାନାନ୍ତରିତ ଦାବିରେ ପୁଣି ମହିଳାଙ୍କ ଧାରଣା:ଏକ ମାସ ମଧ୍ୟରେ ସ୍ଥାନାନ୍ତର କରିବାକୁ ଅବକାରୀ ବିଭାଗ ପକ୍ଷରୁ ସୂଚନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜନ ଗହଳିପୂର୍ଣ୍ଣ ବେଗୁନିଆପଡା ବସଷ୍ଟାଣ୍ଡ ନିକଟରେ ଅନେକ ପରିବାର ରହୁଥିବା ଘର ପାର୍ଶ୍ଵରେ ଥିବା ମଦ ଦୋକାନକୁ ବହୁ ବାଦ ବିବାଦ ରାସ୍ତାରୋକ ଧର୍ମଘଟ ଓ ଆନ୍ଦୋଳନ ପରେ ବନ୍ଦ ହୋଇଥିବା ବେଳେ ଏହା ପୁଣି ଖୋଲିବା ଦ୍ଵାରା ତୁରନ୍ତ ମଦ ଦୋକାନକୁ ସ୍ଥାନାନ୍ତରିତ ଦାବିରେ ଶୁକ୍ରବାର ଦିନ ୧୧ ଘଣ୍ଟା ସମୟରେ ଠିପି ଖୋଲା ମଦ ଦୋକାନ ଆଗରେ ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମଦ ଦୋକାନ ପଡୋଶୀରେ ରବିନ୍ଦ୍ର ନାଥ ଦାସଙ୍କ ପରିବାର ବାସ କରନ୍ତି । ମଦ ଦୋକାନ ବୋଲି ଜାଣି ନ ପାରି ମଦ୍ୟପମାନେ ବେଳେ ବେଳେ ରବିନ୍ଦ୍ରଙ୍କ ଘରେ ଯାଇ ମଦ ମାଗନ୍ତି । ବଜାର ମଧ୍ୟରେ ଥିବାରୁ ସାଧାରଣରେ ମଧ୍ୟ ଅସୁବିଧା ହେଉଥିବାରୁ ଏହାର ପ୍ରତିବାଦରେ ୨୪/୧୨/୨୦୧୮ରେ ରାସ୍ତାରୋକ କରିଥିଲେ । ଏହାକୁ ଉପଲବ୍ଧ କରି ପ୍ରଶାସନିକ ଉଦ୍ୟମ ଫଳରେ ଦୋକାନ ବନ୍ଦ ରହିଥିଲା । ସେତେବେଳେ ତହସିଲଦାରଙ୍କ ପତ୍ର ସଂଖ୍ୟା ୧୯୫୦/୨୬/୫/୨୦୧୯କୁ ଅନୁଧ୍ୟାନ କରି ଗଞ୍ଜାମ ଜିଲ୍ଲାପାଳଙ୍କ ଚିଠି ନଂ ୭୭୦/୨୬/୩/୨୦୧୯ରେ ଉକ୍ତ ଦୋକାନ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ଵେ ପ୍ରଶାସନର କଥାକୁ ଗୁରୁତ୍ଵ ନ ଦେଇ ବାରମ୍ବାର ଦୋକାନ ଖୋଲୁଥିଲେ ଏବଂ ଅଭିଯୋଗ ପରେ ବନ୍ଦ କରି ଦେଉଥିଲେ । କିନ୍ତୁ କିଛି ଦିନ ହେଵ ଲାଇସେନ୍ସ ନବୀକରଣ ଦ୍ଵାହି ଦେଇ ଦୋକାନ ଖୋଲିବାରୁ ୨୬/୮/୨୦୧୯ରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେବା ସହିତ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଯଦି ଉକ୍ତ ଦୋକାନ ୭ ଦିନ ମଧ୍ୟରେ ବନ୍ଦ କିମ୍ବା ସ୍ଥାନାନ୍ତରିତ କରା ନ ଯାଏ ତେବେ ପୁଣି ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ସେଥିରେ ଉଲ୍ଲେଖ କରି ଚେତାବନୀ ଦେଇଥିଲେ । କିନ୍ତୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ଗ୍ରାମବାସୀ ବେଗୁନିଆପଡା ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ବସ ଜମା ହେବା ପରେ ଖବର ପାଇ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ଦାଶ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସମେତ ଉଭୟ ଥାନା ଓ ଫାଣ୍ଡି କର୍ମଚାରୀ ପହଞ୍ଚି ଦୋକାନ ମାଲିକ ସାଙ୍ଗରେ ଆଲୋଚନା କରି ଧର୍ମଘଟ କାରୀଙ୍କୁ ବୁଝା ସୁଝା କରିବା ସହିତ ୧ ମାସ ମଧ୍ୟରେ ସେଠାରୁ ମଦ ଦୋକାନ ଉଛେଦ ହେଵ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହା ସତ୍ଵେ ବାରମ୍ବାର କାହିଁକି ଏମିତି ଦୋକାନ ଖୋଲା ଯାଉଛି ପଚାରିବାରେ ତହସିଲଦାର କହିଥିଲେ ଯେ ଲୋକଙ୍କ ଆବଶ୍ୟକତା ଅନୁଯାଇ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା କିନ୍ତୁ ବର୍ତ୍ତମାନ ସେ ଅବକାରୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରୁ ଅନୁମତି ନେଇଛନ୍ତି । ମୁଁ ମଧ୍ୟ ଅବକାରୀ ଵିଭାଗକୁ ଜଣାଇ ସାରିଛି ଆଉ ଏକ ମାସରୁ ଦୁଇ ମାସ ମଧ୍ୟରେ ସେଠାରୁ ସେ ଦୋକାନ ଭାଙ୍ଗି ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି କହିଥିଲେ । କିନ୍ତୁ ଏତେ ଧର୍ମଘଟ, ଧାରଣା, ଆନ୍ଦୋଳନ, ରାସ୍ତା ଅବରୋଧ କରାଯାଉଥିବା ସତ୍ଵେ ଲୋକଙ୍କ ମତାମତକୁ ଗୁରୁତ୍ଵ ନ ଦେଇ ସାହି ମଝିରେ ଦୋକାନ ଖୋଲିବାକୁ କାହିଁକି ଅବକାରୀ ଵିଭାଗ ବାରଣ ନ କରି ନିରବ ରହିଛି ବର୍ତ୍ତମାନ ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା