
ଏମ୍ଏସ୍ ଲ’ କଲେଜରେ ପ୍ରଥମ ‘ମଧୁସୂଦନ ଦାସ ସ୍ମାରକୀ ବକ୍ତତା’
କଟକ : ସମାଜରେ ଓକିଲଙ୍କ ଭୂମକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ସେମାନଙ୍କ ଭୂମିକାର ସୁଦୂରପ୍ରସାରୀ ପ୍ରଭାବ ମଧ୍ୟ ରହିଛି। ସେମାନଙ୍କ ଆଚରଣ, ଯୁକ୍ତି ସମାଜକୁ ପ୍ରଭାବିତ କରୁଥୁବା ଯୋଗୁଁ ଅଦାଲତ ଓ ଅଦାଲତ ବାହାରେ ଆଇନଜୀବୀ ନିଜ ଆଚରଣକୁ ନେଇ ସଚେତନ ରହିବା ଉଚିତ ବୋଲି ଏମ୍.ଏସ୍. ଲ’କଲେଜ ପକ୍ଷରୁ ଆୟୋଜିତ ପ୍ରଥମ ‘ମଧୁସୂଦନ ଦାସ ସ୍ମାରକୀ ବକ୍ତତା’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର କହିଛନ୍ତି। ଏହି ଅବସରରେ ଜଷ୍ଟିସ୍ ମିଶ୍ର କହିଲେ ଯେ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଆଇନଜୀବୀଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଇନଜୀବୀ ନ୍ୟାୟାଳୟକୁ ଦେବାଳୟ ଭାବି କାର୍ଯ୍ୟ କରିବା ସହ ମଧୁବାବୁଙ୍କ ଭଳି ନ୍ୟାୟ ପ୍ରକ୍ରିୟା ସେବାରେ ନିଜକୁ ଶତପ୍ରତିଶତ ନିୟୋଜିତ କରିବା ପ୍ରତ୍ୟେକ ଆଇନଜୀବୀଙ୍କ କର୍ତ୍ତବ୍ୟ। ଆଇନରେ ଡିଗ୍ରୀ ହାସଲ ପରେ ଆଇନ ଛାତ୍ରଛାତ୍ରୀ ଯେଉଁଠାରେ କାମ କଲେ ବି ସେମାନେ ଓକିଲ ବୋଲି ମନେ ରଖିବା ଉଚିତ। ମାନବିକ ମୂଲ୍ୟବୋଧ ସହିତ ଆଇନ ଜଡିତ। ସମୟ ଅନୁସାରେ ବୈଷୟିକ ପରିବର୍ତ୍ତନ ହୋଇଛି। ଆଇନ୍ରେ ମଧ୍ୟ କେତେକ ପରିବର୍ତ୍ତନ ହୋଇଛି। କିନ୍ତୁ ଆଇନ ପେସାରେ ମୂଲ୍ୟବୋଧ ପ୍ରସଂଗ ସେମିତି ରହିଛି ବୋଲି ଜଷ୍ଟିସ୍ ମିଶ୍ର କହିଛନ୍ତି।
କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଅନ୍ୟତମ ବକ୍ତା ଭାବେ ଯୋଗଦେଇ କହିଲେ ଯେ ମଧୁସୂଦନ ଦାସ କେବଳ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ତଥା ଆଇନଜୀବୀ ନଥିଲେ, ସେ ଓଡ଼ିଶା ଓ ଦେଶର ସମସ୍ତ ଆଇନଜୀବୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ମଧୁବାବୁ ଆଧୁନିକ ଓଡ଼ିଶାର ଜଣେ ଦକ୍ଷ ବିନ୍ଧାଣୀ। ଆସନ୍ତାକାଲିିକୁ ସୁନ୍ଦର କରିବାକୁ ହେଲେ ଦେଶବାସୀଙ୍କୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପଡିବ ବୋଲି ଜଷ୍ଟିସ୍ ଜାଭେରୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସୌମେନ୍ଦ୍ର ମୋହନ ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜ ଅଧ୍ୟକ୍ଷ ଡକ୍ଟର ସୁକାନ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି ଓ ଅନେକ ପୂର୍ବତନ ବିଚାରପତି, ସୁପ୍ରିମକୋର୍ଟ ରେଜିଷ୍ଟର ରାଜୀବ ଗୋଏଲ୍, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଓ ସଦସ୍ୟ, ବରିଷ୍ଠ ଆଇନଜୀବୀ, କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।