

ଭୂବନେଶ୍ୱର (ସମୃଦ୍ଧ ଓଡିଶା) ଷ୍ଟେଟ ପ୍ରୋଗ୍ରେସିଭ ବିମେନ୍ସ ଫୋରମ୍ ପକ୍ଷରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ କନଫେରେସନ୍ସ ହଲରେ ମହିଳା ଓ ଶିଶୁ ଅଧିକାରୀ ଏବଂ ଯୁବ ବିକାଶ ଜାତୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ମମତା ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସାଂସଦ ଅମର ପଟ୍ଟନାୟକ, ସୁବାଷ ସିଂ, ବିଧାୟକ ଶଶୀଭୂଷଣ ବେହେରା, ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା, ପୂର୍ବତନ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ମହିଳା ମାନେ ନାନା ନିର୍ଯ୍ୟାତନାର ଶିକାର ହେଉଛନ୍ତି । ସରକାର ଏବଂ ନାଗରିକ ସମାଜ ଏ ଦିଗରେ ସମ୍ବେଦନଶୀଳ ହେବା ଆବଶ୍ୟକ । ମହିଳାମାନେ ଏକାଠି ହୋଇ ନିଜ ଅଧିକାର ନିମନ୍ତେ ଲଢେଇ ଜାରି ରଖିବା ଉଚିତ ବୋଲି ଏଥିରେ ମତ ପ୍ରକାଶ ପାଇଛି । ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ବୁଦ୍ଧିଜୀବୀ, ଗଣମାଧ୍ୟମ ମଧ୍ୟ ଏ ଦିଗରେ ସମର୍ଥନ ଓ ସହଯୋଗ କରିବା ଜରୁରୀ । ବୃହତ୍ତର ସାମାଜିକ ସ୍ୱାର୍ଥ ନିମନ୍ତେ ଆମେ ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆଗେଇ ଆସିବା ବୋଲି ବକ୍ତାମାନେ କହିଛନ୍ତି । ସମାବେଶର ନିର୍ଯ୍ୟାସ ଆଗମୀଦିନରେ ରାଜ୍ୟ ତଥା ଦେଶରେ ମହିଳା ନୀତି ଏବଂ ମହିଳା ବିକାଶ ପ୍ରକ୍ରିୟାକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ ବୋଲି ଶ୍ରୀମତୀ ସାମନ୍ତରାୟ ଆଶାବ୍ୟକ୍ତ କରିଛନ୍ତି ।