ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାମାରୀ କରୋନାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ରାଜ୍ୟର ଉତ୍ତର ଉପାନ୍ତରେ ଚୋରା ବ୍ରାଉନସୁଗର ବ୍ୟବସାୟୀମାନେ ମାଛ ଓ ପରିବା ମଧ୍ୟରେ ବ୍ରାଉନ୍ସୁଗର ପୁଡିଆ ନେଇ ନିଶାଶକ୍ତ ମାନଙ୍କୁ ଦେବାରେ ସଫଳ ହେଉଥିବା ବେଳେ ଆଜି ଜଣକୁ ଗ୍ରାମବାସୀ ଧରି ପୁଲିସ୍କୁ ଜିମା ଦେଇଛନ୍ତି । ଘଟଣାରୁ ପ୍ରକାଶ, ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଞ୍ଚଳର ସେକ୍ ମୁନା(୪୮) ବୋଲି କୁହାଯାଉଥିବା ଜନୈକ ବ୍ୟକ୍ତି ଏକ ବ୍ୟାଗରେ ପରିବା ଓ ମାଛ ଧରି ଗାଁକୁ ଗାଁ ବୁଲୁ ଥିଲା । ଓଡିଶାର ଉପାନ୍ତ ଗ୍ରାମ ଗୋବରଘଟ୍ଟା ନିକଟ ଡାକ୍ତରଖାନା ରାସ୍ତାରେ ଏହି ଲୋକଟି ଗଲାବେଳେ କରୋନା ସମୟରେ ବହିରାଗତଙ୍କ ଗାଁକୁ ପ୍ରବେଶ କରାଇ ନ ଦେବାଲାଗି ଜଗିଥିବା ଯୁବକମାନେ ସନ୍ଦେହରେ ପଚରାଉଚରା କରିଥିଲେ । ସେକ୍ ମୁନାର ବ୍ୟାଗ ତଲାସିବା ବେଳେ ଏକ ଳମାଛର ଗାଲିସି ତଳୁ ୩ଟି ପୁଡିଆ ମିଳିଥିଲା । ଏହି ପୁଡିଆରେ ୧୦ଗ୍ରାମ ଲେଖାଏଁ ୩୦ଗ୍ରାମର ବ୍ରାଉନ୍ସୁଗର ଚାଲାଣ ହେଉଥିବା ସଂପର୍କରେ ସେକ୍ ମୁନା ଯୁବକ ମାନଙ୍କୁ କହିବାରୁ ସେମାନେ ଜଳେଶ୍ୱରର ଏସ୍ଡିପିଓ ଅଙ୍କିତା କୁମ୍ଭାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଆନୁମାନେିକ ମୂଲ୍ୟ ୩ଲକ୍ଷ ହେବ ବୋଲି ଜଣଯାଇଛି । ଶ୍ରୀମତୀ କୁମ୍ଭାର ଘଟଣାସ୍ଥଳରେ ପହଞ୍ଚି ଯୁବକ ଓ ୩ଟି ବ୍ରାଉନ୍ସୁଗର ପୁଡିଆ ଉଦ୍ଧାର କରିବା ସହ ମୁନାକୁ ଅଟକ ରଖି ପଚରାଉଚରା କରାଯାଉଛି । କେବଳ ଏହି ଜଣେ ଯୁବକ ନୁହେଁ, ଉପାନ୍ତ ଅଂଚଳର ଏପରି ବହୁ ଯୁବକ ଗ୍ରାମାଞ୍ଚଳକୁ ମାଦକ ଦ୍ରବ୍ୟ ଯୋଗାଇବାଲାଗି ଏପରି ନୂଆ ନୂଆ ଉପାୟ ଅବଲମ୍ବନ କରୁଥିବା ବହୁବ୍ୟକ୍ତି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପଣ୍ଡା