ମାଟିଘର ଭୁଷୁଡିଲା:ଅଳ୍ପକେ ବଞ୍ଚିଲେ ପରିବାର ସରକାରଙ୍କ ସହାୟତା ପାଇଁ ଗ୍ରାମବାସିଙ୍କ ଦାବି …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ କୋଟସାହି ଗ୍ରାମପଞ୍ଚାୟତର କୋଟସାହି ଗ୍ରାମର କିଣାରାମ ବେହେରାଙ୍କ ୨ମହଲା ମାଟିଘର ଭୁଷୁଡି ପଡି ଗୃହ ପାଳିତ ପଶୁ ପକ୍ଷୀଙ୍କ ସହ ଗୃହପୋକରଣ ପୋତି ହୋଇ ଯାଇଥିବାର ଜଣାପଡିଛି । ବହୁ ପୁରୁଣା ମାଟି ଗୃହଟି ଗୁରୁତର ଅବସ୍ଥାରେ ରହିଥିଲା କିନ୍ତୁ କିଣାରାମଙ୍କ ଗରିବ ଅବସ୍ଥା ଯୋଗୁଁ ରକ୍ଷଣା ବେକ୍ଷଣା କରିବା ସମ୍ଭପର ହୋଇ ପାରି ନଥିଲା । ଗତ ୧୬ ତାରିଖ ଦିନ ରାତ୍ରୀ ୭ଘଟିକା ସମୟରେ ହଠାତ୍ ଘରଟି ଭୁଷୁଡି ପଡିଥିଲା । ପରିବାର ଲୋକମାନେ କୈାଣସି ପ୍ରକାରେ ବାହାରକୁ ବାହାରି ଆସି ବଞ୍ଚିଯାଇଥିବା ବେଳେ ଅନ୍ୟ ସମସ୍ତ ଜିନିଷ ପତ୍ର, ମୁଗ, ବିରି, ଚାଉଳ, ସଞ୍ଚୟ କରି ରଖି ଥିବା ୧୨ ହଜାର ଟଙ୍କା, କିଣାରାମଙ୍କ ସ୍ତ୍ରୀର ଦୁଇ ହଳ କାନପାଶା, ୨ଟି କୁକୁଡା ମାଟି ତଳେ ପୋତି ହୋଇ ରହି ଯାଇଥିଲା । ବର୍ତ୍ତମାନ ସେହି ପରିବାର ରାସ୍ତାର ଭିକାରୀ ଭଳି ରହିଛନ୍ତି । ଜଳେଶ୍ୱର ତହସିଲଦାରଙ୍କ ଠାରେ ଏ ବିଷୟରେ ଲିଖିତ ଜଣାଇଥିଲେ ମଧ୍ୟ ଆର.ଆଇଙ୍କ ତଦନ୍ତ ହୋଇ ନ ଥିବାରୁ କୈାଣସି ସରକାରୀ ସାହାଯ୍ୟ ପାଇ ପାରି ନାହାନ୍ତି । ଏହି ଗ୍ରାମର ଗ୍ରାମବାସିମାନେ କିଣାରାମଙ୍କୁ ତୁରନ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଉପରିସ୍ଥ କର୍ମକର୍ତ୍ତାଙ୍କଠାରେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା