ଶାରଦୀୟ ପୂଜା ଉପାସନା ମହୋତ୍ସବରେ ଧରଣୀ ହରିତ ବର୍ଣ୍ଣରେ ସୁଶୋଭିତ ହୋଇ ଉଠୁଛି।ଖଣ୍ଡ ଖଣ୍ଡିଆ ମେଘମାଳା ଆକାଶ ବୁକୁରେ ଭାଷି ଉଠୁଛି ଓ ଅପସରା ବର୍ଷା ମଝିରେ ମଝିରେ ହୋଇ ଯାଉଛି। ନଦୀ ପୁଷ୍କରିଣୀ ତୀରରେ କାଶତଣ୍ଡୀ ମୁଣ୍ଡ ହଲେଇ ହରଷରେ ନାଚି ଉଠୁଛି। କାରଣ ମାଁ ଶକ୍ତିମୟୀ ଧରା ପୃଷ୍ଠକୁ ଅବତରଣ କରୁଛନ୍ତି।ଏହି ଅବସରରେ ସମସ୍ତ ଶକ୍ତିପୀଠରେ ମାଁ ଙ୍କ ଷୋଡ଼ଷ ଉପଚାର ରେ ନବରାତ୍ରି ପୂଜା ଆରମ୍ଭ ହୋଇ ଯାଇଛି। ମାଁ ରତ୍ନଗିରି ପର୍ବତ ଉପରେ ବିରାଜମାନ ଯୁଗ୍ମ ଭଗ୍ନୀ ମାଁ ତାରାତାରିଣୀଙ୍କ ପୀଠରେ,ମା ବିମଳାଙ୍କ ମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ଷୋଡ଼ଶ ପୂଜା ଆରମ୍ଭ ସହ ଦୁର୍ଗା ମାଧବ ଙ୍କ ବିଶେଷ ପୂଜାବିଧି ଶାସ୍ତ୍ରମତେ ଆରମ୍ଭ ହୋଇଛି। ପ୍ରାଚୀ ତଟରେ ବିଜେ ମାଁ ମଙ୍ଗଳାଙ୍କ ଓ ଚର୍ଚ୍ଚିକା ଠାକୁରାଣୀ ଙ୍କ ପୀଠ ସହ ମାଁ ସମଲେଶ୍ଵରୀ ଦେବୀଙ୍କ ପୀଠରେ ପୂଜା ପାର୍ବଣ ର ଗହଳି ଲାଗି ଯାଇଛି। ଶ୍ରୀକ୍ଷେତ୍ରରେ ଦୂର୍ଗାମାଧବ ଉପାସନା ଶ୍ରୀକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ବିମଳାଙ୍କ ପୀଠରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଶାରଦୀୟ ଦୂର୍ଗୋତ୍ସବ ଅନୁଷ୍ଠିତ ହୋଇଥାଏ । ମା’ ବିମଳାଙ୍କ ପ୍ରତିଷ୍ଠା, ମହିମା, ରହସ୍ୟମୟ ପୂଜାପଦ୍ଧତି ସର୍ବୋପରି ବିଗ୍ରହ ବର୍ଣ୍ଣନା ଇତ୍ୟାଦି ପ୍ରସଙ୍ଗ ବହୁ ଚର୍ଚ୍ଚିତ ଏବଂ ସର୍ବବିଦିତ । ଶ୍ରୀମନ୍ଦିର ପରିସରରେ ରହିଥିବା ଶ୍ରୀକ୍ଷେତ୍ରଶ୍ୱରୀ, ରାଜରାଜେଶ୍ୱରୀ ମା’ ବିମଳାଙ୍କ ପୀଠ, ଉତ୍କଳର ତନ୍ତ୍ରପୀଠମାନଙ୍କ ମଧ୍ୟରେ ଶ୍ରେଷ୍ଠ। ‘ତନ୍ତ୍ରସାର’ ଅନୁସାରେ “ବିମଳା ଭୈରବୀଯତ୍ର, ଜଗନ୍ନାଥସ୍ତ୍ରୁ ଭୈରବଃ । ଆହୁରି ‘ତନ୍ତ୍ର ଚୂଡ଼ାମଣି’ରେ କୁହାଯାଇଛି, “ବିମଳା ସା ମହାଦେବୀ, ଜଗନ୍ନାଥସ୍ତୁ ଭୈରବ ।” ସେହିଭଳି ରତ୍ନ ସିଂହାସନରେ ଉପବିଷ୍ଟ ବିଗ୍ରହ ସମୁହ ତଥା ମା’ବିମଳା ଓ ମହାଲକ୍ଷ୍ମୀଙ୍କୁ ଏହି ସବୁ ରୂପରେ ଉପାସନା କରାଯାଏ । ଯଥା:- ଶ୍ରୀଜଗନ୍ନାଥଃ ଅଜୈକ ପାଦଭୈରବଃ, ଶ୍ରୀବଳଭଦ୍ରଃ ଅହିବୁଧ୍ନ୍ୟ ଶେଷଭୈରବଃ, ମା’ସୁଭଦ୍ରା ଭୁବନେଶ୍ୱରୀ, ମହାଲକ୍ଷ୍ମୀ କମଳାତ୍ମିକା, ଶ୍ରୀସୁଦର୍ଶନ ଏକ ଲିଙ୍ଗ ମା’ ବିମଳା କୌଳେଶ୍ୱରୀ || ଦୁର୍ଗାମାଧବ ଉପାସନା ସର୍ବପ୍ରାଚୀନ । ଏହାଙ୍କଠାରୁ ଶୈବ, ବୈଷ୍ଣବ ଓ ଶାକ୍ତ ଆଦି ଧାରାର ଉତ୍ପତ୍ତି ହୋଇଅଛି । ସନାତନୀ ପରମ୍ପରାରେ ଅନେକ ମତବାଦର ସମିଶ୍ରଣରେ ଶ୍ରୀଜଗନ୍ନାଥ ତତ୍ତ୍ୱ ସମୃଦ୍ଧି ଲାଭ କରିଅଛି । ମୁଖ୍ୟତଃ ବୈଷ୍ଣବ, ଶାକ୍ତ ଓ ଶୈବ ଉପାସନାରେ ପାରସ୍ପରିକ ସମ୍ପର୍କ ଓ ଅଭିନ୍ନତା ଏଠାରେ ପରିଲକ୍ଷିତ ହୁଏ । । ବୈଷ୍ଣବମାନେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ପ୍ରତିରୂପ ଭାବରେ ଉପାସନା କରୁଥିବା ବେଳେ ଶୈବମାନଙ୍କ ଦୃଷ୍ଟିରେ ସେ ହେଉଛନ୍ତି ଭୈରବ, ମହାକାଳୀ ଯାହାଙ୍କର ଶକ୍ତି ଭାବରେ ମା’ ଦୁର୍ଗା ଅବତୀର୍ଣ୍ଣ ହୋଇଥାଆନ୍ତି । ଏଣୁ ଯଥାର୍ଥରେ କୁହା ଯାଇଛି ଯେ ଶ୍ରୀମନ୍ଦିରରେ ସର୍ବଧର୍ମର ସମନ୍ୱୟ ଘଟିଛି । ରତ୍ନ ସିଂହାସନରେ ଉପବିଷ୍ଟ ଚତୁର୍ଦ୍ଧାମୂର୍ତ୍ତି ଏକ ଓ ଅଭିନ୍ନ । ତତ୍ ସହିତ ମହାପ୍ରଭୁଙ୍କ କ୍ଷୁଦ୍ର ପ୍ରତିକୃତି ମାଧବ ବା ବାଳ ପୁରୁଷୋତ୍ତମ ରୂପରେ ପୂଜିତ । ସେ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଚଳନ୍ତି ପ୍ରତିମା ଭାବରେ ବିଭିନ୍ନ ରୀତିନୀତିରେ ସମ୍ପୃକ୍ତ ହେଇଥାନ୍ତି । ଶାରଦୀୟ ଦୁର୍ଗାପୂଜା ଅବସରରେ ଭୈରବ ରୂପରେ ମା’ଦୁର୍ଗାଙ୍କ ସହିତ ଶାକ୍ତ ଗୁଣ୍ଡିଚା ଯାତ୍ରା ପାଳନ କରିଥାଆନ୍ତି । ରତ୍ନସିଂହାସନରେ ଶ୍ରୀବଳଭଦ୍ର ଶଙ୍କର୍ଷଣ ରୂପରେ ପୂଜିତ ହେଲେ ମଧ୍ୟ ପ୍ରୋକ୍ତ ଶାରଦୀୟ ଗୁଣ୍ଡିଚା ଅବଧିରେ ମାଧବଙ୍କ ସହିତ ଦୁର୍ଗାଙ୍କୁ ତାଙ୍କର ଶକ୍ତିଭାବେ ରୁନ୍ଧାଯାଇ ଏହି ଲୀଳା ସଂପନ୍ନ ହୋଇଥାଏ । ଏହି କାଳରେ ବୈଷ୍ଣବ ଓ ଶାକ୍ତ ଉପାସନାର ଦିବ୍ୟ ସଂଯୋଗ ସଂଗଠିତ ହୋଇଥାଏ ଏବଂ ଶ୍ରୀଜଗନ୍ନାଥ ନିର୍ଦ୍ଦିଷ୍ଟ ଭାବେ କୌଣସି ମତବାଦର ଦେବତା ନୁହଁନ୍ତି ବରଂ ସେ ସବୁ ଧର୍ମ, ସବୁ ବିଶ୍ୱାସର ସମ୍ମିଳିତ ଚେତନା ବୋଲି ପ୍ରତ୍ୟୟ ହୋଇଥାଏ । ବ୍ରହ୍ମବୈବର୍ତ୍ତ ପୁରାଣରେ କୁହାଯାଇଛି, ଶ୍ରୀଜଗନ୍ନାଥ ଏକଧାରରେ ମୂଳ ଆଦ୍ୟାଶକ୍ତି, ମହାଲକ୍ଷ୍ମୀ, ରାଧା, ବସୁନ୍ଧରା ଆଦି ସମସ୍ତ ଶକ୍ତିମାନଙ୍କର ସ୍ୱାମୀ । ଅତଏବ ତାଙ୍କ, ନାମ ମାଧବ ।“ମାଚ ବ୍ରହ୍ମ ସ୍ୱରୂପା ଯା’ ମୂଳ ପ୍ରକୃତରୀଶ୍ୱରୀ ନାରାୟଣୀଇତି ବିଖ୍ୟାତା ବିଷ୍ଣମାୟା ସନାତନୀ ମହାଲକ୍ଷ୍ମୀ ସ୍ୱରୂପା ଚ ବେଦମାତା ସରସ୍ୱତୀରାଧା ବସୁନ୍ଧରା ଗଙ୍ଗା ତାସାଂ ସ୍ୱାମୀ ଚ ମାଧବ ।” ରତ୍ନବେଦୀରେ ବିରାଜିତ ସପ୍ତଧା ବିଗ୍ରହଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ସଦୃଶ ଅର୍ଥାତ୍ ମହାପ୍ରଭୁଙ୍କର ଖର୍ବାକୃତି ଦାରୁବିଗ୍ରହ ରୂପେ ପ୍ରତିଭାତ ହୋଇଛନ୍ତି । ଏହାଙ୍କର ବନକଲାଗି ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ରୂପ ସଦୃଶ୍ୟ ନାସା, ଭ୍ରୁଲତା, ଅଧରରେଖା ଓ ବ୍ରହ୍ମରନ୍ଧ୍ର ରହିତ ଅନନ୍ୟ ସାଙ୍କେତିକ ଧାରାରେ ହୋଇଥାଏ ତେବେ ମାଧବଙ୍କର ସ୍ୱତନ୍ତ୍ର ଧ୍ୟାନ ନାହିଁ, ଶ୍ରୀଜଗନ୍ନାଥଙ୍କ ଧ୍ୟାନରେ ସେ ପୂଜିତ । ନବକଳେବର ବେଳେ ମଧ୍ୟ ଏହାଙ୍କର ନବବିଗ୍ରହ ନିର୍ମିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା କାଳରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁପସ୍ଥିତିରେ ଜଗମୋହନରେ ପଟିଦିଅଁ ତଥା ଅନନ୍ୟ ବିଗ୍ରହମାନଙ୍କ ସହିତ ମହାପ୍ରଭୁଙ୍କ ପ୍ରତିନିଧି ଭାବରେ ମାଧବ ପୂଜା ପାଇଥାନ୍ତି । ଶ୍ରୀମନ୍ଦିରର ନୈଋତ କୋଣରେ ମେଘନାଦ ପାଚେରୀ ଉପରେ ଏକ ଅପେକ୍ଷାକୃତ କ୍ଷୁଦ୍ର ମନ୍ଦିରରେ ଶ୍ରୀ ଦୁର୍ଗାମାଧବ ନିୟମିତ ପୂଜା ପାଆନ୍ତି । ମା’ ବିମଳାଙ୍କ ସନ୍ଧିକାଳ ବଳିପୂଜା ତାମସିକ ପୂଜା କାଳରେ ଏହି ମନ୍ଦିର ପାଶ୍ୱର୍ଦେଇ ବଳି ସାମଗ୍ରୀ ନିଆଯାଇ ଥାଏ । ମା’ ବିମଳାଙ୍କ ପ୍ରତିନିଧି ଭାବରେ ମା’ ଦୁର୍ଗା, ଭଣ୍ଡାର ଘରେ ଅବସ୍ଥାନ କରନ୍ତି । ସେ ଜନ୍ମାଷ୍ଟମୀ ନୀତିରେ ବିଜୁଳି କନ୍ୟା ରୂପରେ କାର୍ଯ୍ୟ ନିର୍ବାହ କରନ୍ତି । ବାମନ ଜନ୍ମ ଦିନ ମା’ ଅନ୍ନପୂର୍ଣ୍ଣା ରୂପରେ ଉଭା ହୁଅନ୍ତି ପୁନଶ୍ଚ ଗୁପ୍ତ ଗୁଣ୍ଡିଚା କାଳରେ ଦୁର୍ଗା ଭାବରେ ମାଧବଙ୍କ ସହିତ ଏକତ୍ର ରୁ୍ନ୍ଧା ହେଇ ଯାତ୍ରା କରନ୍ତି । ମାଧବ ଶବ୍ଦର ଅର୍ଥ ମା’ଙ୍କର ଧବ ଅର୍ଥାତ୍ ସ୍ୱାମୀ । ମାତୃଶକ୍ତିର ପ୍ରତୀକ ଭାବରେ ଦୁର୍ଗା ଏବଂ ତା’ଙ୍କର ସ୍ୱାମୀ ଭାବରେ ମାଧବ ଉପାସିତ । ଯେଉଁଭଳି ମାଧବ ବିଭିନ୍ନ ଅବସରରେ ଭିନ୍ନ ରୂପ ନେଇ ଥାଆନ୍ତି, ସେହିଭଳି ମା’ ଦୁର୍ଗା ମଧ୍ୟ ସ୍ଥଳ ବିଶେଷରେ ବିଭିନ୍ନ ରୂପ ଧାରଣ କରି ଥାଆନ୍ତି । ସେ ବୈଷ୍ଣୋ, ଭବାନୀ, କାଳୀ, ତଥା ଦୁର୍ଗା ରୂପରେ ପୂଜିତା ହୋଇଥାଆନ୍ତି। “ଏକୈବ ଶକ୍ତି ପରମେଶ୍ୱରସ୍ୟ, ଭିନ୍ନ ଚତୁର୍ଥା ବିିନଯୋଗ କାଳେ, ଭୋଗେ ଭବାନୀ, ପୁରୁଷେଶ୍ଚ ବିଷ୍ଣୋ, କୋପେଚ କାଳୀ, ସମରେଚ ଦୁର୍ଗା ।” ଅର୍ଥାତ୍ :- ପରମେଶ୍ୱରଙ୍କ ଏକମାତ୍ର ଶକ୍ତି ଯିଏ ଆବଶ୍ୟକ ସ୍ଥଳେ ଚାରିପ୍ରକାର ଅବତାର ଗ୍ରହଣ କରନ୍ତି । ସେ ଭୋଗ ସମୟରେ ଭବାନୀ, ବିଷ୍ଣୁଙ୍କ ନିକଟରେ ବୈଷ୍ଣବୀ, କ୍ରୋଧ ବେଳେ କାଳୀ ତଥା ସମରକାଳେ ଦୁର୍ଗା ଭାବରେ ପରିଚିତା । ସପ୍ତଶତି ଚଣ୍ଡୀରେ ବର୍ଣ୍ଣନା ଅନୁଯାୟୀ ଆଦ୍ୟାଶକ୍ତି ପରମେଶ୍ୱରୀ ମହାଲକ୍ଷ୍ମୀ ସୃଷ୍ଟିର ସର୍ଜନା ନିମନ୍ତେ ତିନିଗୋଟି ରୂପରେ ପ୍ରକଟିତ ହେଲେ । ସ୍ୱୟଂ ଲକ୍ଷ୍ମୀ ରୂପରେ ଅବତୀର୍ଣ୍ଣ ହେବା ସହିତ ତାଙ୍କଠାରୁ ମହାକାଳୀ ଓ ମହାସରସ୍ୱତୀ ଉତ୍ପନ୍ନ ହେଲେ । ଉକ୍ତ ତିନି ଦେବୀ ପ୍ରତ୍ୟେକ ଜଣେ ଲେଖାଁଏ ପୁରୁଷଙ୍କ ସହିତ ଯୁଗଳ ମୂର୍ତ୍ତି ଧାରଣ କଲେ । ସେହି ଅନୁସାରେ ମହାସରସ୍ୱତୀ ବ୍ରହ୍ମାଙ୍କର, ଲକ୍ଷ୍ମୀ ଭଗବାନଙ୍କର ତଥା କାଳୀ ଶିବଙ୍କର ଶକ୍ତି ଭାବରେ କ୍ରିୟାଶୀଳ ହୋଇ ଯଥାକ୍ରମେ ସୃଷ୍ଟି ସ୍ଥିତି ଓ ପ୍ରଳୟ କ୍ଷେତ୍ରରେ ସକ୍ରିୟ ହେଲେ । ଅତଏବ ସର୍ବମାନ୍ୟ ଆଦିଶକ୍ତି ଏକରୁ ଅନେକ ରୂପରେ ସକଳ କାର୍ଯ୍ୟର ମୂଳ ଭାବରେ ରହିଛନ୍ତି । ଏଣୁ ଯଥାର୍ଥରେ କୁହାଯାଇଛି :-“ସର୍ବ ମାଙ୍ଗଳ ମାଙ୍ଗଲ୍ୟେ ଶିବେସର୍ବାର୍ଥ ସାଧିକେ | ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେଃ ||” ଶାରଦୀୟ ଦୁର୍ଗୋତ୍ସବ ଅବସରରେ ଦେବୀଙ୍କ ପ୍ରାଧାନ୍ୟ ରହିଥାଏ ମାତ୍ର ଶିବଙ୍କର କୌଣସି ସମ୍ପୃକ୍ତି ଦେଖାଯାଏ ନାହିଁ ମାତ୍ର ଶାକ୍ତ ଗୁଣ୍ଡିଚା ନୀତିରେ ମହାପ୍ରଭୁ ଭୈରବ ଭାବରେ, ମାଧବ ରୂପରେ ଅବତୀର୍ଣ୍ଣ ହେବା ଶ୍ରୀକ୍ଷେତ୍ରରେ ଏକ ବିରଳ ପରମ୍ପରା । ଏଭଳି ପରମ୍ପରା କଦାପି ଦେଖାଯାଏ ନାହିଁ । ଏହା ଦୁଇ ଭାଗରେ ବିଭକ୍ତ ହୋଇ ଷୋହଳ ଦିନାତ୍ମକ ଯାତ୍ରାର ସମାନ୍ତରାଳ ଭାବରେ ପାଳିତ ହୋଇଥାଏ । ଏହି ଅନନ୍ୟ ପରମ୍ପରା ମାଧ୍ୟମରେ ଶ୍ରୀଜଗନ୍ନାଥ ଚେତନାକୁ ସାଧାରଣ ଭକ୍ତ ବିଶେଷକରି ବୈଷ୍ଣବଙ୍କ ପାଇଁ ରହସ୍ୟମୟ ହୋଇଥିବା ବେଳେ ମହାପ୍ରଭୁଙ୍କ ତତ୍ତ୍ୱ୍ୱକୁ ବୁଝିଥିବା ଲୋକଙ୍କ ପାଇଁ ଅଧିକ ପ୍ରାଞ୍ଜଳ ହୋଇଥାଏ । ଏହି ଶାକ୍ତ ଗୁଣ୍ଡିଚା କାଳରେ ପ୍ରଥମ ଆଠଦିନ ଶ୍ରୀମାଧବ ଓ ମା’ଦୁର୍ଗାଙ୍କ ଅପେକ୍ଷାକୃତ କ୍ଷୁଦ୍ର ମୂର୍ତ୍ତି ଖଟୁଲିରେ ଭଦ୍ରାସନରେ ଉପବେଶନ କରି ଏକ ଫୁଟା ଶାଢ଼ୀରେ ରୁନ୍ଧା ଯାଆନ୍ତି । ମାଧବଙ୍କ ବାମ ପାଶ୍ୱର୍ରେ ଦୁର୍ଗା ରହି ସମସ୍ତ ନୀତିକାନ୍ତି ପାଳନ ପୂର୍ବକ ମା’ବିମଳାଙ୍କ ଜଗମୋହନ ରେ ବସିଥାଆନ୍ତି । ଯାତ୍ରାର ଦ୍ୱିତୀୟାର୍ଦ୍ଧ ଅର୍ଥାତ୍ ଶୁକ୍ଳ ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତ୍ୟହ ସେହିଭଳି ରୁନ୍ଧାଯାଇ ରଥାକୃତି ବିମାନରେ ଶ୍ରୀମନ୍ଦିରଠାରୁ ଅଦୂରରେ କଳ୍ପବଟ ଓ ଅଙ୍ଗିରାଶ୍ରମ ପରିସରରେ ଥିବା କାମ୍ୟବଟର ମଧ୍ୟବର୍ତ୍ତି ଅଞ୍ଚଳ ଅର୍ଥାତ୍ ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାଆନ୍ତି । ମା’ ନାରାୟଣୀ, ପରମବୈଷ୍ଣବୀ ପ୍ରାୟ ଏକ ହାତ ଉଚ୍ଚତା ବିଶିଷ୍ଟ ପାଷାଣ ପ୍ରତିମା, ଗରୁଡ଼ ବାହନ ଉପରେ ଉପବେଶନ କରିଥିବା କମନୀୟ ବିଗ୍ରହ ଏହିଠାରେ ପ୍ରତ୍ୟହ ପୂଜା ପାଆନ୍ତି । ଶାକ୍ତ ଗୁଣ୍ଡିଚା କାଳରେ ଦୁର୍ଗାମାଧବଙ୍କ ଆଗମନ କାଳରେ ଏହି ଆସ୍ଥାନ ଉଜ୍ଜ୍ୱଳ ହୋଇଉଠେ । ଶ୍ରୀମନ୍ଦିର ସହିତ ଏହି ନବଦିନର ସମ୍ପର୍କ ସକାଶେ ଏହି ମନ୍ଦିର ମହିମାନ୍ୱିତ ହୋଇଅଛି । ସେହି ଅବଧିରେ ମା’ ବିମଳାଙ୍କ ମନ୍ଦିରରେ ଚାଲିଥିବା ଅବିଦ୍ୟା ପଦ୍ଧତିର ବଳିପୂଜା ପୂଜାର୍ଚ୍ଚନା ଯଥା ଆମିଷ ଭୋଗ ତଥା ବଳି ପ୍ରଭୃତି ଠାରୁ ଦୂରେଇ ଯିବା,ଏହି ଯାତ୍ରାର ଅନ୍ୟତମ ଅଭିପ୍ରାୟ ବୋଲି ଅନୁମାନ କରାଯାଏ । ନାରାୟଣୀ ମନ୍ଦିରରେ ଶ୍ରୀ ଦୁର୍ଗାମାଧବଙ୍କୁ ସାତ୍ତ୍ୱିକ ନିୟମରେ ପୂଜାର୍ଚ୍ଚନା କରାଯାଇ ପଣା ଓ ଶୀତଳ ଭୋଗ ତଥା ଚନ୍ଦନ ଲାଗି ଆଦି କରାଯାଏ । ଏଣୁ ଶାରଦୀୟ ପୂଜା ବେଳେ ସର୍ବତ୍ର ଦେବୀଙ୍କର ତାମସିକ ରୀତିରେ ପୂଜାର୍ଚ୍ଚନା କରା ଯାଉଥିବା ବେଳେ ଦୁର୍ଗାମାଧବଙ୍କର ଏହି ସାତ୍ତ୍ୱିକ ଉପାସନା ଏକ ବିରଳ ପରମ୍ପରା ସୃଷ୍ଟି କରେ । ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଦୁର୍ଗାମାଧବ ଦକ୍ଷିଣୀ ଘରକୁ ଫେରି ଥାଆନ୍ତି। ସେଠାରେ ନୈବେଦ୍ୟ ଓ ବନ୍ଦାପନା ପରେ ଭଣ୍ଡାର ଘର ପିଣ୍ଡାରେ ଆସୀନ ହୋଇଥାନ୍ତି । ଏହି ଲୀଳା ମହାନବମୀ ପର୍ଯ୍ୟନ୍ତ ଚାଲିବା ପରେ ଦଶହରା ଦିନ ତାଙ୍କର ରଥ ସଦୃଶ ବିମାନରେ ଜଗନ୍ନାଥବଲ୍ଲଭ ମହାଖଳାକୁ ଯାତ୍ରା କରନ୍ତି । ସେଠାରେ ଶ୍ରୀ ମଦନ ମୋହନ ଓ ଶ୍ରୀରାମକୃଷ୍ଣଙ୍କ ସହିତ ଲାଖବିନ୍ଧା ନୀତିରେ ସଂପୃକ୍ତ ହୁଅନ୍ତି । ଶେଷରେ ଶ୍ରୀମନ୍ଦିରକୁ ଫେରିବା ପରେ ରୁନ୍ଧା ଫିଟାଯାଇ ମାଧବ ରତ୍ନସିଂହାସନ ଓ ଦୁର୍ଗା ମାଧବ ଭଣ୍ଡାରରେ ସ୍ଥାନିତ ହୁଅନ୍ତି । ମା’ ଦୁର୍ଗା ସମସ୍ତ ଭକ୍ତଙ୍କ ଦୁର୍ଗତି ନାଶ କରି ଦୁର୍ଗତିନାଶିନୀ ନାମ ବହିଛନ୍ତି ଏବଂ ମାଧବ ଭକ୍ତଜନଙ୍କୁ ପରମ ଆନନ୍ଦ ପ୍ରଦାନ କରି ପରମାନନ୍ଦ ଭାବରେ ପୂଜିତ । ଉକ୍ତ ଦୁଇ ରୂପର ଦର୍ଶନରେ ଦିବ୍ୟାନୁଭବ ପ୍ରାପ୍ତ ହୋଇଥାଏ । ଦୁର୍ଗାମାଧବ ଉପାସନାରେ ଏହି ବୈଚିତ୍ରମୟ ଲୀଳା ଶ୍ରୀକ୍ଷେତ୍ରର ବୈଷ୍ଣବ ଓ ଶାକ୍ତ ପରମ୍ପରାର ବୌଦ୍ଧିକ ସମ୍ପର୍କକୁ ପ୍ରମାଣିତ କରେ । ଶ୍ରୀ ମନ୍ଦିର ରେ ଦୁର୍ଗା ମାଧବ ଉପାସନା ଅତୀବ ପ୍ରାଚୀନ ପରମ୍ପରା ଅଟେ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ଯନ୍ତ ଷୋଡଶ ଦିବସ ବ୍ୟାପି ପାଳିତ ହୁଏ । ସର୍ବତ୍ର ମା ଦୁର୍ଗା ଙ୍କୁ ଶିବ ପ୍ରିୟା ଭାବେ ପୂଜା କରା ଯାଉଥିବା ବେଳେ ଶ୍ରୀ କ୍ଷେତ୍ର ରେ ବିଶେଷତଃ ଶ୍ରୀମନ୍ଦିର ରେ ମାଧବ ଙ୍କ ପୂଜା ପାଇଥାନ୍ତି। ମା ଶବ୍ଦ ଲକ୍ଷ୍ମୀ ଙ୍କୁ ବୁଝାଏ, ଆଉ ଧବ ମାନେ ଧାରଣ କରିବା। ଯେ ଲକ୍ଷ୍ମୀ ଙ୍କୁ ଧାରଣ କରନ୍ତି ସେ ହେଲେ ମାଧବ। ଆଉ ଉମାଧବ ହେଲେ ସ୍ଵୟଂ ଶଙ୍କର ଭଗବାନ ଅର୍ଥାତ୍ ଯେ ଭଗବତୀ ଉମାଙ୍କୁ ଧାରଣ କରିଛନ୍ତି। ଏଠୁ ସ୍ପଷ୍ଟ ଜଣାଯାଏ, ଉମାଧବ ଅର୍ଥାତ୍ ମହାଦେବ ଆଉ ମାଧବଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ ପରସ୍ପରର ଆତ୍ମା। ସେଇପରି ମୂଳ ପ୍ରକୃତି ମହାଲକ୍ଷ୍ମୀଙ୍କ ସ୍ୱରୂପା ହେଲେ ଭଗବତୀ ଜୟଦୂର୍ଗା। ତେଣୁ ମାଧବ ରୂପୀ ଉମାଧଵ ମହାଲକ୍ଷ୍ମୀ ସ୍ୱରୂପା ଜୟଦୂର୍ଗାଙ୍କ ସଙ୍ଗେ ବିରାଜିତ। ସମସ୍ତ ଶକ୍ତି ପୀଠରେ ଦେବୀଙ୍କ ଭୈରବ କେବଳ ରୁଦ୍ର, କିନ୍ତୁ ବିମଳା ଯିଏ କି ପାଦ ପୀଠର ଅଧିଷ୍ଠାତ୍ରୀ ଆଉ ତାଙ୍କ ପୀଠ ହେଉଛି ପଡ ପୀଠ ଯାହା ଶରୀରର ମୂଳ ଆଧାର, ତାଙ୍କର ଭୈରବ ହେଉଛନ୍ତି ସ୍ଵୟଂ ଉମାଧବ ରୂପୀ ମାଧବ। ସେଥିପାଇଁ ତ କୁହାଯାଇଛି :-
ଲୋକନାଥ ଶିବଃ ଯତ୍ର, ତୀର୍ଥରାଜ ମହୋଦଧି |
ବିମଳା ଭୈରବୀ ଯତ୍ର, ଜଗନ୍ନାଥସ୍ତୁ ଭୈରଵଃ ||
ଉତ୍କଳେ ନାଭିଦେଶେ ଚ ବିରଜା କ୍ଷେତ୍ରମୁତମମ୍ |
ବିମଳା ସା ମହାଦେବୀ ଜଗନ୍ନାଥ ସ୍ତୁ ଭୈରବମ୍ ||
(ମହା ନିର୍ବାଣ ତନ୍ତ୍ର) ମା’ ବିମଳା ଆଦ୍ୟା ଓ ପରାମ୍ବା ପରମ ବୈଷ୍ଣବୀ ନାରାୟଣୀ । ସହସ୍ର କୁମ୍ଭ ଅଭିଷେକ ଦିନ ମହାପ୍ରଭୁଙ୍କ ସକାଳ ଧୂପ ରେ ସୁଭଦ୍ରାଙ୍କ ଆଜ୍ଞାମାଳ ଭଗବତୀ ଜୟଦୂର୍ଗା ଙ୍କୁ ଦିଆଯାଏ। ତାପରେ ପତିମହାପତ୍ର ସେବକ ଜୟଦୂର୍ଗା ଙ୍କୁ ମଜେନା ମଣ୍ଡପକୁ ବିଜେ କରାନ୍ତି। ସେଠି ପୂଜାପଣ୍ଡା, ପତି, ଆଉ ମୁଦିରସ୍ତଙ୍କ ଦ୍ଵାରା ଆଚାର୍ଯ୍ୟ ବରଣ ଆଉ ବ୍ରହ୍ମା ବରଣ ହୋଇଥାନ୍ତି। ତା ପରେ ସହସ୍ର କୁମ୍ଭ ଅଭିଷେକ ନୀତି ପରେ ଶୀତଳ ଭୋଗ ନୈବେଦ୍ୟ ହୋଇ ବନ୍ଦାପନା ବଢେ। ମୂଳାଷ୍ଟମୀ ଦିନ ମହାପ୍ରଭୁଙ୍କ ସକାଳ ଧୂପ ସମାପନ ପରେ ଦୁର୍ଗା ଆଉ ମାଧବ ଏକତ୍ର ଭଦ୍ରାସନରେ ରୁନ୍ଧା ହୁନନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ମାଧବ ଆଉ ସୁଭଦ୍ରାଙ୍କ ଆଜ୍ଞାମାଳ ଜୟଦୁର୍ଗାଙ୍କୁ ଦିଆଯାଏ। ତା ପରେ ବିମାନ ବଡୁ ସେବକ ପାଲିଙ୍କିରେ ଦୁର୍ଗା ମାଧବଙ୍କ ବିମଳାଙ୍କ ମନ୍ଦିରକୁ ବିଜେ କରାନ୍ତି। ସେଠି ଭିତରଛୁ ମହାପାତ୍ର ଦୁର୍ଗାମାଧବଙ୍କୁ ଶୀତଳ କର୍ପୁର ଜଳ ଲାଗି କରନ୍ତି ଆଉ ମହାଜନ ସେବକ ବିମଳାଙ୍କ ଜଗମୋହନସ୍ଥ ପଲଙ୍କ ଉପରେ ଦୁର୍ଗା ମାଧବ ଙ୍କୁ ବିଜେ କରାନ୍ତି । ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ହୁଏ । ଏହିପରି ତିନି ଧୂପ ଶେଷ କରାଯାଇ ଶ୍ରୀ ଜୀଉ ମାନଙ୍କର ଭିତର (ରାତ୍ରି) ଚନ୍ଦନ ଲାଗି ପରେ ବିମାନ ବଡୁ ସେବକ ପାଲିଙ୍କିରେ ଦୁର୍ଗାମାଧବଙ୍କୁ ଜଗମୋହନକୁ ବିଜେ କରିବା ପରେ ମହାଜନ ଭଣ୍ଡାର ଘରେ ଦୁର୍ଗା ମାଧବ ଙ୍କୁ ବିଜେ କରାନ୍ତି । ଏହିପରି ନୀତି କୃଷ୍ଣ ଅଷ୍ଟମୀ ରୁ ଆରମ୍ଭ ହୋଇ ଆଠ ଦିନ ପର୍ଯ୍ୟନ୍ତ ଚାଲିଥାଏ । ପର ଆଠ ଦିନ ଶୁକ୍ଳ ପ୍ରତିପଦା ଠାରୁ ଅଷ୍ଟମୀ ଦିନ ପର୍ଯ୍ୟନ୍ତ ଆଠ ଦିନ ଯାକ ରୁନ୍ଧା ହୋଇ ଥିବା ଦୁର୍ଗା ମାଧବ ରଥରେ ବିଜେ କରି ଦୋଳମଣ୍ଡପ ସାହି ନାରାୟଣୀଙ୍କ ମନ୍ଦିରକୁ ଯାଇଥାନ୍ତି । ବିଧି ବ୍ୟବସ୍ଥା ଅନୁଯାୟୀ ନୀତି ମାନ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉ ମାନଙ୍କର ଭିତର ଚନ୍ଦନ ବଢିଲେ ଶ୍ରୀ ମନ୍ଦିରକୁ ରଥରେ ବସାଇ ବାହୁଡା ବିଜେ କରି ଭଣ୍ଡାର ଘର କୁ ଅଣାଯାଏ । ଏହାକୁ ଶାରଦୀୟ ରଥଯାତ୍ରା ଅଥବା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା କୁହାଯାଏ।ଲିଲାମୟଙ୍କ ଲୀଳା ସାଧାରଣ ମନୁଷ୍ୟ ପାଇଁ ଅଗମ୍ୟ। ସେଥିପାଇଁ ତ କୁହାଯାଇଛି। ସର୍ଵଂ ରହସ୍ୟ ପୁରୁଷୋତ୍ତମସ୍ୟ । ଦେବା ନ ଯାନାନ୍ତି କୃତଃ ମନୁଷ୍ୟ।।ପରିଶେଷରେ ଏତିକି କୁହାଯାଇପାରେ ବିଷ୍ଣୁ, ରୁଦ୍ର ଆଉ ଦେବୀ ଙ୍କ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ। ଏକୈବ ଶକ୍ତି ପରମେଶ୍ବରସ୍ୟ ଭିନ୍ନା ଚତୁର୍ଥା ବିନିଯୋଗ କାଳେ | ଭୋଗେ ଭବାନୀ ପୁରୁଷେଶ୍ଚ ବିଷ୍ଣୋ କୋପେ ଚ କାଳୀ ସମରେ ଚ ଦୁର୍ଗା || ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭୈରବ ଓ ମା ବିମଳାଙ୍କୁ ଭୈରବୀ ବୋଲି ବିବେଚନା କରି ଶ୍ରୀପୀଠକୁ ମହାପୀଠ ରୂପେ ପ୍ରମାଣ କରାଯାଇଛି। ଶାସ୍ତ୍ର ମତରେ :- “ଉତ୍କଳେ ନାଭିଦେଶଶ୍ଚ, ବିରଜା କ୍ଷେତ୍ର ମୁଚ୍ୟତେ | ବିମଳା ସା ମହା ଦେବୀ, ଜଗନ୍ନାଥସ୍ତୁ ଭୈରବ ||” (ମହାପୀଠ ନିରୂପଣ ଶାସ୍ତ୍ର )। ସବୁ ଶକ୍ତି ପୀଠର କ୍ଷେତ୍ରଜ୍ଞ ମାତୃ ରୂପୀ ଶକ୍ତି ହୋଇଥିବା ବେଳେ ଶ୍ରୀପୀଠର କ୍ଷେତ୍ରଜ୍ଞ ହେଉଛନ୍ତି ଶ୍ରୀଜଗନ୍ନାଥ। ନାଭି କ୍ଷେତ୍ରର କ୍ଷେତ୍ରଜ୍ଞ ହେଲେ ମା ବିରଜା। ସେଭଳି ତନ୍ତ୍ର ଶାସ୍ତ୍ର ଅନୁସାରେ ଶ୍ରୀକ୍ଷେତ୍ରରେ କ୍ଷେତ୍ରଜ୍ଞ ମା ବିମଳା ହେବା କଥା। କିନ୍ତୁ ଏଠାରେ ପରାଭାବାତ୍ମିକl ଶକ୍ତିଙ୍କର ସ୍ପନ୍ଦିତ ବ୍ରହ୍ମଭାବକୁ ବିଚାରକୁ ନେଇ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ସର୍ବଶକ୍ତିର ଆଧାର ବିବେଚନାରେ କ୍ଷେତ୍ରଜ୍ଞ ବା କ୍ଷେତ୍ର ନାୟକ ଭାବେ ଅଭିହିତ କରାଯାଇଛି। ଏହା ହିଁ ତ ଶ୍ରୀଜଗନ୍ନାଥ ତତ୍ତ୍ୱର ବିଶେଷତ୍ୱ। ସ୍କନ୍ଦ ପୁରାଣ ମଧ୍ୟ ଏହି କଥାର ପ୍ରମାଣ ଦିଏ :- ସୁଭଦ୍ରିକା ପରାଶକ୍ତି, ଭୈରବୀ ବିମଳା ତଥା ଶ୍ରୀଚକ୍ର ଅଧିଷ୍ଠିତେ ପୀଠେ ମାଧଵଃ କ୍ଷେତ୍ରନାୟକଃ ||” ଅର୍ଥାତ୍, ମା ସୁଭଦ୍ରା ହେଲେ ପରାଶକ୍ତି, ମା’ ବିମଳା ହେଲେ ଭୈରବୀ। କିନ୍ତୁ ଶ୍ରୀଚକ୍ରରେ ପ୍ରତିଷ୍ଠିତ ପୀଠରେ କ୍ଷେତ୍ର ନାୟକ ହେଲେ ମାଧବ (ଶ୍ରୀଜଗନ୍ନାଥ )। ଏଠାରେ ପ୍ରଭୁଙ୍କର ମାଧବ ସ୍ୱରୂପକୁ ପ୍ରାଧାନ୍ୟ ଦେବାର ଉଦ୍ଦେଶ୍ୟ ହେଲା ମାତୃ ଶକ୍ତିର ଅବତାରଣା କରିବା। ସେଥିପାଇଁ ତ ଶାରଦୀୟ ପୂଜା ଅବସରରେ ଶ୍ରୀମନ୍ଦିରରରେ “ଦୁର୍ଗା ମାଧବ “ଉପାସନା ଦେଖିବାକୁ ମିଳେ ।ରତ୍ନବେଦୀରେ ସପ୍ତାଭରଣ ମୂର୍ତ୍ତିଙ୍କ ମଧ୍ୟରେ ସ୍ୱୟଂ ଜଗନ୍ନାଥ ସ୍ୱରୂପ ଛୋଟ ଦାରୁ ମୂର୍ତ୍ତି ହିଁ ମାଧବ ରୂପେ ପୂଜିତ ହୁଅନ୍ତି । ଅନ୍ୟ ଭାବରେ ଦେଖିଲେ “ମାତୁଃ ଧବ ଇତି ମାଧବଃ । “ ଏଠାରେ ମା’ଙ୍କ ଧବ ବା ପ୍ରଭୁ (ଇଷ୍ଟ )ରୂପେ ବିଚାର କଲେ ପ୍ରଭୁଙ୍କର ମାତୃ ରୂପ ଯେ ଜଗତ ପାଳନକାରିଣୀ, ରକ୍ଷାକର୍ତ୍ତୀ ।ତାଙ୍କର ଇଷ୍ଠ ରୂପ ଅର୍ଥାତ ସ୍ୱୟଂ ଶ୍ରୀଜଗନ୍ନାଥ। ଏହି ଭାବରେ ଶ୍ରୀଜଗନ୍ନାଥ ହିଁ କେବଳ କ୍ଷେତ୍ରଜ୍ଞ ଏହାକୁ ଅସ୍ବୀକାର କରାଯାଇ ପାରେନା। ଏହି ଦୃଷ୍ଟିରେ ମଧ୍ୟ ଲଷ୍ମୀ(ଶ୍ରୀ ), ମାଧବ, ଦୁର୍ଗା, ବିମଳା ଅବା ଭୈରବ ଓ ଭୈରବୀ ନାମତ୍ମକ ଶବ୍ଦ ଅଲଗା ଅଲଗା ଲାଗୁଥିଲେ ମଧ୍ୟ ତତ୍ତ୍ୱତଃ ଅଭିନ୍ନ ଓ ଏକ ଭାବର ପରିଚାରକ। ଯେଭଳି ବୈଷ୍ଣବ ମତରେ ଆମେ ଲଷ୍ମୀ ନାରାୟଣ (ବିଷ୍ଣୁ )ଙ୍କୁ ପ୍ରାଧାନ୍ୟ ଦେବା ବେଳେ, ଶାକ୍ତ ମତ (ତନ୍ତ୍ର ମତ) ରେ ଭୈରବ (ଶ୍ରୀଜଗନ୍ନାଥ ) ଓ ଭୈରବୀ (ମା ବିମଳା) ଙ୍କୁ ପ୍ରାଧାନ୍ୟ ଦେଉଛେ। ପରମାତ୍ମା ତତ୍ତ୍ୱ ବିଚାରରେ ଏକତ୍ବର ଅନେକତ୍ୱ ଭାବ ହିଁ ଏହି ସବୁ ବିଚାରଧାରାକୁ ବିଭିନ୍ନ ମତ ଓ ପଥ ହିସାବରେ ପରିଗଣିତ କରାଇଛି। ଏହା ହିଁ ପ୍ରକୃତ ବ୍ରହ୍ମ ଜ୍ଞାନ, ଏହାର ଉପଲବ୍ଧି ବିନା ସାଧକ ବିଭିନ୍ନ ମତରେ ଛନ୍ଦି ହେଉଥାଏ। ମହାନିର୍ବାଣ ତନ୍ତ୍ର କହେ “ବ୍ରହ୍ମ ଭାବେ ନ ତତ୍ତ୍ୱଜ୍ଞ ଯେ ପଶ୍ୟନ୍ତି ଚରାଚରମ, ତେଷlମ ତତ୍ତ୍ୱ ବିଦଂ ପୁଂସା, ତତ୍ତ୍ୱ ଚକ୍ରେ ଅଧିକାରୀତଃ ।” କେବଳ ବ୍ରହ୍ମଜ୍ଞାନି ହିଁ ସମସ୍ତ ଚରାଚରକୁ ଏକ ଓ ଅଭିନ୍ନ ଭାବରେ ବିବେଚନା କରି ଚକ୍ରପ୍ରବେଶ ବା ସାଧନା ର ଅଧିକାରୀ ହୁଅନ୍ତି। ଆଗକୁ ଷଢ଼ଚକ୍ର ପ୍ରବେଶର କଥା ଜାଣିବା, ଏବେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିବା ଉଭୟ ଭୈରବୀ ଓ ଭୈରବ ଜ୍ଞାନରେ। ଶ୍ରୀମନ୍ଦିରରେ ମା’ ବିମଳାଙ୍କର ଷୋଳପୂଜା ଦେବାଦେବୀଙ୍କର ଶୟନ ଓ ଉତ୍ଥାପନ ଆଦିରେ ବହୁବିଧ କର୍ମ ସମ୍ପାଦିତ ହେଉ ଥିଲେ ମଧ୍ୟ ତନ୍ମଧ୍ୟରୁ ଅଭିଷେକ ବିଧିର ଯଥେଷ୍ଟ ପ୍ରାଧାନ୍ୟ ରହିଛି। ଶ୍ରୀଦୁର୍ଗାଦେବୀ ଙ୍କର ଶୟନକାଳ ହେଉଛି ଭାଦ୍ରବ ମାସ ଶୁକ୍ଲପକ୍ଷ ଅଷ୍ଟମୀଠାରୁ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ। ଦେବୀ ଦୁର୍ଗା ଭାଦ୍ରବ ଶୁକ୍ଲ ଅଷ୍ଟମୀ ରାତ୍ରିରେ ଶୟନ କରନ୍ତି ଓ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିବା ଭାଗରେ ଶୟନରୁ ଉଠନ୍ତି। ଚନ୍ଦ୍ରମାନ ମାସର ଏହି ପନ୍ଦର ଦିନ ମଧ୍ୟରେ କେତେବେଳେ ତିଥି ବୃଦ୍ଧି ସମ୍ଭବ ହେଲେ ମଧ୍ୟ ଦେବୀ ଦୁର୍ଗାଙ୍କର ଶୟନକାଳ ନିର୍ଦ୍ଦିଷ୍ଟ ପନ୍ଦର ଦିନରୁ ବଢି ନଥାଏ। ତେଣୁ ତିଥି ବୃଦ୍ଧି ନଥିଲେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କର ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ପତିମହାପାତ୍ରଙ୍କ ହସ୍ତରେ ଆସି ସୋମନାଥ ମଣ୍ଡପ (ମାଜଣା ମଣ୍ଡପ) ଖଟ ଉପରେ ବିଜେ ହୁଅନ୍ତି। ସେଠାରେ ପୁଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରାହ୍ମଣ ବରଣ ହୋଇ ଶ୍ରୀଦୁର୍ଗାଦେବୀଙ୍କର କୋଠଭୋଗ ପାଣିଆ ସେବକ ଯୋଗାଇଥିବା ଏକ ସହସ୍ର ଗରା ଜଳଲାଗି କଲା ପରେ ଶ୍ରୀଅଙ୍ଗ ପୋଛା ପରେ ଲୁଗାଲାଗି ହୋଇ ବେଶ ହୋଇ ଥାନ୍ତି। ଏହାପରେ ପାଣିପଡି ଶୀତଳ ଭୋଗ ଓ ବନ୍ଦାପନାଦି ଶେଷ ହେଲେ ଦେବୀ ବିଗ୍ରହଙ୍କୁ ଭଣ୍ଡାରଘର ଦ୍ଵାର ଦେଶରେ ବିଜେ କରାଗଲା ପରେ ସହସ୍ରାକୁମ୍ଭାଭିଷେକ ନୀତି ସମାପ୍ତ ହୁଏ। ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ମା’ ବିମଳାଙ୍କର ଷୋଳପୂଜା ଆରମ୍ଭ । ଏହି ସମୟରେ ଦୁର୍ଗାମାଧବଙ୍କ ଏକତ୍ର ପୂଜା ଅନୁଷ୍ଠିତ ହୁଏ । ପ୍ରଥମ ୮ ଦିନ ଦୁର୍ଗାମାଧବ ବିମଳା ମନ୍ଦିରକୁ ଓ ଶେଷ ୮ ଦିନ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି I ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀରେ ବିମଳା ମନ୍ଦିରକୁ ଦୁର୍ଗାମାଧବ ବିଜେର ପ୍ରଥମ ଦିନ। ମାଜଣା ମଣ୍ଡପ ରେ ଦେବ ନୀତି ସରିବା ପରେ ମାଧବ ଦୁର୍ଗା ଦେବୀଙ୍କ ସହ ଭଦ୍ରାସନରେ ଏକତ୍ର ରୁନ୍ଧା ହୋଇ ସିଂହାସନ ନିକଟକୁ ବିଜେ କରିଥାନ୍ତି । ସେଠାରୁ ପାଲିଙ୍କିରେ ବିମଳା ମନ୍ଦିରକୁ ଯାତ୍ରା କରନ୍ତି । ମା ତାରା ତାରିଣୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇସାରିଛି, ଋଷିକୁଲ୍ୟା ନଦୀରୁ 108 ମାଠିଆ ଜଳ ନେଇକି ମା ଙ୍କୁ ଅଭିଷେକ କରା ଯାଇଛି ।
ଲେଖକ : ଦାମୋଦର ପାଢ଼ୀ , ଅବସରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ