ମାତୃ-ଶିଶୁ ଭବନର ନିର୍ମାଣ ୨ବର୍ଷ ପୁରିଲା : ଲୋକାର୍ପିତ ହେବ କେବେ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱରରେ ରାଜ୍ୟ ସରକାରଙ୍କ ମାତୃ-ଶିଶୁ ଭବନ ନିର୍ମାଣ ଲାଗି ୫ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରାୟ ୫ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଇତିମଧ୍ୟେ ନିର୍ମାଣର ୨ବର୍ଷ ପୁରିଥିଲେ ମଧ୍ୟ ଅଦ୍ୟାବଧି ତାହା ଲୋକାର୍ପିତ ହୋଇପାରିନାହିଁ । ଘଟଣାରୁ ପ୍ରକାଶ ଏହି କାର୍ଯ୍ୟ ନିର୍ମାଣ ଲାଗି ପୁର୍ତ୍ତବିଭାଗ ଦାୟିତ୍ୱ ନେଇଥିଲେ ମଧ୍ୟ ଉଦାସିନତା ଯୋଗୁଁ ନିର୍ମାଣରେ ଅହେତୁକ ବିଳମ୍ବ ଘଟିଥିଲା । ପରେ ଠିକାଦାର ସମସ୍ତ କାର୍ଯ୍ୟ ଶେଷ ନ କରି ବିଭିନ୍ନ ଆଳ ଦେଖାଇ ଟାଳଟୁଳ ନିତୀ ଗ୍ରହଣ କରିଆସୁଥିଲା । ମାତୃ, ଶିଶୁ ମୃତ୍ୟୁ ହାର କମାଇବା ଲାଗି ଏପରି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଜଳେଶ୍ୱର ଅଂଚଳବାସୀ ଏହାର ସୁଫଳ ଅଦ୍ୟାବଧି ପାଇପାରି ନାହାନ୍ତି । ଦୀର୍ଘଦିନ ନିର୍ମାଣ ହୋଇ ପଡିବା ଫଳରେ ଏବଂ ରକ୍ଷଣା ବେକ୍ଷଣର ଦାୟିତ୍ୱରେ କେହି ନ ଥିବାରୁ କେତେକ ଝରକା କବାଟା ଭାଂଗିରୁଜି ଯାଇଥିବା ଜଣାଯାଇଛି । ପ୍ରାୟ ୩୨ଟି ଶୀତତାପନିୟନ୍ତ୍ରିତ ଯନ୍ତ୍ର ସହିତ ମୂଲ୍ୟବାନ ଆସବାପତ୍ର ରହିଥିବା ବେଳେ ଏହା ଚୋରୀ ହେବାର ସମ୍ଭାବନା ରହିଛି । କିଛିଦିନ ତଳେ ବିଧାନସଭା ଷ୍ଟାଣ୍ଡି କମିଟି-୩ (ସ୍ୱାସ୍ଥ୍ୟ) ସଦସ୍ୟ ଓ ଅଧ୍ୟକ୍ଷ ଅଶ୍ୱନୀ କୁମାର ପାତ୍ର ଓ ରାଜ୍ୟ ମାନବାଧିକାର କମିଟି ସଦସ୍ୟ ଅସିମ ଅମିତାଭ ଦାସ ଆସି ଏହାକୁ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ଏହି ମାତୃ-ଶିଶୁ ଭବନକୁ କେବେ ଲୋକାର୍ପିତ କରାଯିବା ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନବାଚି ସୃଷ୍ଟି କରିଛି । ଅବିଳମ୍ବେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଲୋକାର୍ପିତ କରାଯିବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା