ମାତ୍ର ୧୧ ମିନିଟରେ ବିଜେଡିର ରଣନୀତି ବୈଠକ ଶେଷ …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବିଜେଡି ବିଧାୟକ ଦଳର ଶୀତ ଅଧିବେଶନ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୧ମିନିଟର ବୈଠକରେ ଦଳୀୟ ରଣନୀତିକୁ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି । ବୈଠକ ଶେଷରେ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶୀତ ଅଧିବେଶନରେ କେନ୍ଦ୍ରୀୟ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ତୈଳ ଦର ବୃଦ୍ଧି ଆଦି ପ୍ରସଙ୍ଗ ଉଠାଯିବା ସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ ସଫଳତା ବିଷୟରେ ଦଳୀୟ ବିଧାୟକମାନେ ମତ ରଖିବେ । ବିରୋଧୀ ଦଳ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବ ସେହି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ କହିଛନ୍ତି ଯେ ଏହି ଅଧିବେଶନରେ ୨୩ଟି କାର୍ଯ୍ୟ ଦିବସ ରହିଛି । ଏଥିରୁ ୧୯ଟି ସରକାରୀ କାର୍ଯ୍ୟ ଦିବସ ଓ ୪ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି । ତେବେ ଚଳିତ ଅଧିବେଶନ ପାଇଁ କୌଣସି ନୂଆ ବିଲ୍ ଆଜି ସୁଦ୍ଧା ଆସିନାହିଁ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ-ପୋଲାଭରମ, ଏମଏସପି ଓ କେନ୍ଦ୍ରର କ୍ରମାଗତ ଅବହେଳା ପ୍ରସଙ୍ଗକୁ ଶାସକ ଦଳ ଉଠାଇବ । ଏହି ବୈଠକରେ ମୋଟ ୮୪ଜଣ ବିଧାୟକ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟର ୧୧ମିନିଟ୍ ବିଳମ୍ବରେ ଅର୍ଥାତ ୫ଟା ୧୨ରେ ବୈଠକ ସ୍ଥଳକୁ ଆସି ୫ଟା ୨୩ରେ ସେହି ସ୍ଥଳ ପରିତ୍ୟାଗ କରିଥିଲେ । ଏହି ୧୧ ମିନିଟ୍ ମଧ୍ୟରେ ବିଧାୟକ ଅନୁଭବ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ଥିବାବେଳେ ବିଧାୟକ ଯୋଗେନ୍ଦ୍ର ବେହେରା ବଲାଙ୍ଗିର ଜିଲ୍ଲାରେ ମରୁଡ଼ି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଅନ୍ୟ ଆଉ କୌଣସି ସଭ୍ୟଙ୍କ ମତ ରହି ନଥିବା ଜଣାପଡିଛି ।