ମାନବାଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଘଣ୍ଟଯାତ୍ରା ଓ ବିକ୍ଷୋଭ:ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି କରି ଶିକ୍ଷା ଓ ଶିକ୍ଷକଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୁଇ ଧରଣର ଶିକ୍ଷାନୀତି, ଶିକ୍ଷା ଅଧିକାର ଆଇନ ୨୦୦୯କୁ କାର୍ଯ୍ୟକାରିତାରେ ଅବହେଳା ଓ ସରକାରୀ ସ୍କୁଲ ଗୁଡ଼ିକରେ ଗୁଣାତ୍ମକ ବିକାଶ ପାଇଁ ଅଣଦେଖା ବିରୋଧରେ ମାନବାଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଘଣ୍ଟଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେମାନେ ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି କରି ଶିକ୍ଷା ଓ ଶିକ୍ଷକଙ୍କ ସମସ୍ତ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ପୃଥକ ପୃଥକ ଶିକ୍ଷା ପଦ୍ଧତି ପ୍ରଚଳନ କରି ଘରୋଇ ସ୍କୁଲମାନଙ୍କରେ ଶିକ୍ଷାକୁ ବ୍ୟବସାୟ ବସ୍ତୁ କରିଥିବାବେଳେ ସରକାରୀ ସ୍କୁଲଗୁଡ଼ିକରେ ସାମାନ୍ୟ ଶିକ୍ଷା, ପାନୀୟଜଳ, ପାଠଗାର, ଶୌଚାଳୟ ଆଦି ମୌଳିକ ଆବଶ୍ୟକତା ଉପଲବ୍ଧ ହୋଇପାରୁନାହିଁ । ସେହିଭଳି ଶିକ୍ଷାଧିକାର ଆଇନ ୨୦୦୯ ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଆର୍ଥିକ ପଛୁଆବର୍ଗ ପାଇଁ ଦଶ ପ୍ରତିଶତ, ଗୃହହୀନ, ବାଳଶ୍ରମିକ, ଜମିହୀନ, ଏଚଆଇଭି ସମ୍ପର୍କିତ ଓ ଯୁଦ୍ଧରେ ସହିଦଙ୍କ ପିଲାଙ୍କ ପାଇଁ ୫ ପ୍ରତିଶତ ଏବଂ ବିପିଏଲ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଏହିଭଳି ୨୫ ପ୍ରତିଶତ ସ୍ଥାନ ଘରୋଇ ସ୍କୁଲଗୁଡ଼ିକରେ ସଂରକ୍ଷିତ ରହିବା ସହ ସମ୍ପୂର୍ଣ୍ଣ ଶିକ୍ଷା ଖର୍ଚ୍ଚ ମାଗଣା କରାଯାଇଛି । କିନ୍ତୁ ଘରୋଇ ସ୍କୁଲଗୁଡ଼ିକରେ ବିଭିନ୍ନ ଉପାୟରେ ହଜାର ହଜାର ଟଙ୍କା ବେଆଇନ ଭାବେ ଆଦାୟ କରାଯାଉଛି । ତେଣୁ ଶିକ୍ଷା ଦଲାଲମାନଙ୍କ ଲୁଣ୍ଠନକୁ ତୁରନ୍ତ ବନ୍ଦ କରି ଶିକ୍ଷାଧିକାର ଆଇନ ଓ ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ମଞ୍ଚ ପକ୍ଷରୁ ଦାବି କରାଯିବା ସହ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚର ଆବାହକ ଅବନି କୁମାର ଗୟା, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଆର.ସତ୍ୟନାରାୟଣ ରାଓ, ମହେଶ୍ୱର ବାଡ଼ତ୍ୟା, ପୂର୍ଣ୍ଣଚନ୍ଦ୍ର ମହାରଣା, ମାଗୁଣି ନାହାକ, କିଶୋର ପାତ୍ର, ଶୁଭାଶିଷ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା