

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିକ୍ଷା ଅଧିକାର ଆଇନ ୨୦୦୯କୁ ସଠିକ କାର୍ଯ୍ୟକାରୀ ଓ ସମସ୍ତ ସ୍କୁଲରେ ଉପସ୍ଥାନ ବୃଦ୍ଧି ତଥା ଶିକ୍ଷାର ଗୁଣାତ୍ମକ ବୃଦ୍ଧି ଆଦି ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୮୭ତମ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ କରାଯାଇଅଛି । ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ଓ ବିପିଏଲ ବର୍ଗଙ୍କ ପାଇଁ ଉଭୟ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକରେ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ପୂର୍ଣ୍ଣ ମାଗଣା ସତ୍ୱେ ଏହି ଆଇନ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସରକାର ସଚେତନ କରାଇବାରେ ସକ୍ଷମ ହୋଇପାରି ନାହାନ୍ତି । ଆଇନ ଥିବା ସତ୍ୱେ ଅଭିଭାବକଙ୍କଠାରୁ ଉନ୍ନୟନ ଫିଜ, ଫର୍ମ ଫିଜ, ପୂଜା ଚାନ୍ଦା ଆଦି ବିଭିନ୍ନ ଉପାୟରେ ହଜାର ହଜାର ଟଙ୍କା ଆଦାୟ କରାଯାଉଛି । ଏଣୁ ଏହାକୁ ତୁରନ୍ତ ବନ୍ଦ କରି ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉ, ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ମୌଳିକ ଆବଶ୍ୟକତାଗୁଡ଼ିକୁ ପୂରଣ ନ କରି ଘରୋଇ ବିଦ୍ୟାଳୟ ପ୍ରତି ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଆସୁଛନ୍ତି । ଶିକ୍ଷାର ଗୁଣାତ୍ମକ ଦିଗ ପ୍ରତି ଆଦୌ ଧ୍ୟାନ ଦିଆନଯାଇ ଶିକ୍ଷକ ପଦବୀ ପୂରଣ କରିବା, ଶିକ୍ଷକଙ୍କୁ ଅନ୍ୟ କାମରେ ଜଡ଼ିତ କରିବା, ପାସ ଫେଲ ବ୍ୟବସ୍ଥା ଉଚ୍ଛେଦ କରିବା, ନିୟମିତ କ୍ଲାସ ନହେବା, ପିଲାଙ୍କୁ ସ୍କୁଲ ପରିସର ସଫାସୁତରା ଓ ପାଣି ବୋହିବା ଭଳି କାମଗୁଡ଼ିକରେ ବିନିଯୋଗ କରିବା ଆଦି ଦ୍ୱାରା ଶିକ୍ଷାର ଅସଲ ଉଦ୍ଦେଶ୍ୟ ପୂରଣ କରାଯାଇପାରୁନଥିବା ଭଳି ଆଦି ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନି କୁମାର ଗୟା, ଦିବ୍ୟ ସାମଲ, ମମତା ମୁନି, କିଶୋର ପାତ୍ର, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ମାଗୁଣି ନାହାକ, ସୁବାସ ଚନ୍ଦ୍ର ମିଶ୍ର, ମହେଶ୍ୱର ବାଡ଼ତ୍ୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
