ମାନିଲେ ଠାକୁର, ନ ମାନିଲେ…

– ପ୍ରସାଦ ରାଓ –

ପୁରୀ: ଗତ ବୁଧବାର (୩ ତାରିଖ) ଦିନ ପୁରୀ ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ଘଟି ଥିବା ଚରମ ହିଂସା ଦେଶବାସୀଙ୍କୁ ବିସ୍ମିତ ଓ ବିଚଳିତ କରିଛି । ଯେଉଁ ବଡ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଦେଶ ବାହାରୁ ଓ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଆସନ୍ତି ଓ ବଡ ଠାକୁରଙ୍କ ଦର୍ଶନ ପାଇଲେ ନିଜକୁ ଭାଗ୍ୟବାନ ମନେ କରନ୍ତି, ସେହି ଠାକୁରଙ୍କ ସାମନାରେ ଜଗନ୍ନାଥ ପରଂପରାର ରକ୍ଷକ ବୋଲି ନିଜକୁ ଦାବିି କରୁଥିବା କିଛି ଲୋକ ଘଂଟାଘଂଟା ଧରି ଜଳାପୋଡା କରିବା ସହ ହିଂସାକାଣ୍ଡ ଭିଆଇବା ହିଁ ସମସ୍ତଙ୍କୁ ଚକିତ କରିଛି । ଯେଉଁ ବଡ ଠାକୁରଙ୍କୁ ଆମେ ରକ୍ଷକ ଭାବେ ଗ୍ରହଣ କରି ନେଇଛେ ଓ ତାଙ୍କ ସହ ନିଜର ସୁଖ, ଦୁଃଖ ବାଂଟି ତାଙ୍କରି ଦର୍ଶନରେ କୃତାର୍ଥ ହେଉଛେ ତାଙ୍କରି ସାମନାରେ ଏତେ ସବୁ କାଣ୍ଡ ଘଟି ଗଲା ବେଳେ ସେ କେମିତି ନୀରବ ରହି ତାହାକୁ ସହ୍ୟ କଲେ (?), ଏ କଥା ଭାବିଲେ ସେହି ଠାକୁରଙ୍କ ଇଚ୍ଛାରେ ହିଁ ଏସବୁ ଘଟି ଥିବା ଭଳି ମନେ ହେଉଛି ।

କଥାରେ ଅଛି, ‘ମାନିଲେ ଠାକୁର, ନ ମାନିଲେ ପଥର’ । ଯେଉଁମାନେ ଭଗବତ୍ ବିଶ୍ୱାସୀ ସେମାନେ ଭାବି ନେଇଛନ୍ତି ବୁଧବାର ଦିନ ଯାହା ସବୁ ଘଟ ଗଲା ସେସବୁ ସେହି ଇଚ୍ଛାମୟ ଠାକରଙ୍କ ଲିଲା । ଶହ ଶହ ବର୍ଷ ଧରି ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ନିବିଡ ସଂପର୍କ ରହି ଆସିଛି । ସେଥିରେ କୌଣସି ପ୍ରକାର ପ୍ରତିବନ୍ଧକ ନ ରହିବା ବୋଧହୁଏ ଠାକୁର ଚାହିୁଁଛନ୍ତି । ଅପରପକ୍ଷରେ, ଶତାଧିକ ବର୍ଷର ପରଂପରାକୁ ଭଙ୍ଗ କରି ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଯେଉଁମାନେ ଚାହୁଁଛନ୍ତି (କୋର୍ଟ ଓ ରାଜ୍ୟ ସରକାର) ସେମାନେ ଏକ ଶୃଙ୍ଖଳିତ ବାତାବରଣ ମଧ୍ୟରେ ଠାକୁର ଦର୍ଶନ ହେବା ଓ ଭକ୍ତଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବାକୁ ଗୁରୁତ୍ୱ ଦେଇଛନ୍ତି । ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଏହି ସଂସ୍କାର ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ । ସେଥିପ୍ରତି ଭକ୍ତଙ୍କ ମଧ୍ୟରେ ସମର୍ଥନ ରହିଛି । କିନ୍ତୁ, ପ୍ରଶାସନ ଯେଭଳି ଢଙ୍ଗରେ ଏସବୁ ଲୋକଙ୍କ ଉପରେ ଲଦି ଦେବାକୁ ଚାହୁଁଛି, ତାହା ବୋଧହୁଏ ଗ୍ରହଣୀୟ ହୋଇ ପାରୁନାହିଁ । ବୁଧବାର ଦିନ ଘଟିଥିବା ହିଂସା ଏହାର ଏକ ଉଦାହରଣ । ହିଂସାକାଣ୍ଡ ଭିଆଇ ଥିବା ଲୋକମାନେ ଆସ୍ତିକ କି ନାସ୍ତିକ – ଆମେ ଜାଣି ନାହୁଁ । ତଥାପି କହି ହେବ, ହିଂସାକାଣ୍ଡ ସମୟରେ ପତିତପାବନଙ୍କୁ ଢେଲା ମାରି ଥିବା ଏବଂ କୌଣସି ପରିସ୍ଥିତିରେ ଶ୍ରୀମନ୍ଦିର ଭିତରକୁ ଯୋତା ପିନ୍ଧି ଧସେଇ ପଶି ଥିବା ଲୋକମାନଙ୍କୁ ଆସ୍ତିକ କୁହା ନ ଯାଇ ‘ନ ମାନିଲେ…’ ନ୍ୟାୟରେ ନାସ୍ତିକ ହିଁ କୁହାଯିବ ।

ବୁଧବାର ଘଟଣାକୁ କେବଳ ଓଡ଼ିଶାବାସୀ ନୁହନ୍ତି, ଦେଶବାସୀ ତଥା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ନିନ୍ଦା କରିଛନ୍ତି । ଢେଲା ଯାଇ ପତିତପାବନଙ୍କ ଆଖିରେ ବାଜିବା, ଦୀର୍ଘ ୬ରୁ ୭ ଘଂଟା ଧରି ପୁରୀ ସହର ଜଳୁ ଥିବା ବେଳେ ପ୍ରଶାସନ ନୀରବ ହୋଇ ଦେଖୁ ଥିବା, ଶ୍ରୀମନ୍ଦିର ଭିତରେ ଅସହାୟ ହୋଇ ଅଟକି ରହି ଥିବା ଭକ୍ତଙ୍କ ଉଦ୍ଧାର କରିବା ସକାଶେ ପୁଲିସ ଯୋତା ପିନ୍ଧି ମନ୍ଦିର ଭିତରକୁ ଧସେଇ ପଶିବା ଏବଂ ଟୋକା, ପଥର ମାଡରେ ଉଭୟ ସାଧାରଣ ଅଧିବାସୀ ଓ ପୁଲିସର ଆହତ ହେବା ପୁରୀ ସହରର ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଅତୀତରେ ଏଭଳି ହିଂସା ଘଟି ଥିବାର ସେଭଳି କିଛି ନଜିର ମଧ୍ୟ ନାହିଁ । ତେବେ, ସେଦିନର ହିଂସାକାଣ୍ଡକୁ କେବଳ ଭକ୍ତଙ୍କ ଭାବାବେଗର ପରିପ୍ରକାଶ କହି ଟାଳି ହେବ ନାହିଁ । ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ସଂସ୍କାରମୂଳକ ପଦକ୍ଷେପକୁ ଭଣ୍ଡୁର କରିବା ସକାଶେ ଏକ ସୁପରିକଳ୍ପିତ ଷଡଯନ୍ତ୍ର କହିବା ବୋଧହୁଏ ଠିକ୍ ହେବ । ଶ୍ରୀମନ୍ଦିରରେ ସଂସ୍କାରକୁ ବିରୋଧ କରୁ ଥିବା ମୁଷ୍ଠିମେୟ ସେବକ ଓ କିଛି ରାଜନେତା ଜଗନ୍ନାଥପ୍ରେମୀଙ୍କ ଢାଲ କରି ଏତେବଡ କାଣ୍ଡ ଘଟାଇ ଦେଲେ । ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ସେବାକୁ ନିଜ ହାତ ମୁଠାରେ ରଖି ଥିବା ସେବକମାନେ ହଠାତ୍ ତାହାକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି । ସେମାନଙ୍କ ପଛରେ ରାଜନୈତିକ ପୃଷ୍ଠପୋଷକତା ମଧ୍ୟ ରହିଛି । ତେଣୁ, ମିଳିମିଶି ସେମାନେ ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ଅକାମି କରିଦେବା ଚକ୍ରାନ୍ତରେ ଅଛନ୍ତି ବୋଲି ବୁଧବାର ଘଟଣା ପରେ ସନେ୍ଦହ ଦୃଢିଭୂତ ହେଉଛି ।

ବିଶେଷକରି, ପୁରୀ ବିଧାୟକ ତଥା ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଭୂମିକାର ତର୍ଜମା କରାଯାଇପାରେ । ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ସଂସ୍କାରମୂଳକ କାର୍ଯ୍ୟଖସଡାକୁ କେବେ ମନ୍ତ୍ରୀ ସମର୍ଥନ କରି ନାହାନ୍ତି । ବିଭିନ୍ନ ସମୟରେ ସେ ଦେଇଥିବା ବିବୃତିରୁ ତାହା ସ୍ପଷ୍ଟ । ନିକଟରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଧାଡି ଦର୍ଶନ ବ୍ୟବସ୍ଥାକୁ ପ୍ରଥମ ଦିନରୁ ଶ୍ରୀ ଜଗନ୍ନାଥ ସେନା ବିରୋଧ କରି ଆସୁଛି । ବୁଧବାର ଦିନ ସେନା ପକ୍ଷରୁ ପୁରୀ ସହରରେ ‘ବନ୍ଦ’ ଡ଼ାକାରା ଦିଆଯାଇଥିଲା । ଶ୍ରୀ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ମୁଖ୍ୟ ଏସଂପର୍କରେ ଅବଗତ ଥିଲେ । କିନ୍ତୁ, ସେନାର ‘ବନ୍ଦ’ ଡାକରାକୁ ଖାମଖିଆଲିରେ ନିଆ ଯାଇଥିଲା । ଏହା ପଛରେ ଶାସକ ଦଳର ଇଂଗିତ ଥାଇପାରେ । ଯଥେଷ୍ଟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରା ନ ଯାଇ କିଛି ଅପରାଧତତ୍ୱଙ୍କୁ ସୁଯୋଗ ଦିଆ ଗଲା ଜଳାପୋଡା ଓ ହିଂସାକାଣ୍ଡ ପାଇଁ । ଧାଡି ବ୍ୟବସ୍ଥା ବିରୋଧରେ ଭକ୍ତଙ୍କ ପ୍ରତିକ୍ରିୟା ଭାବେ ତାହାକୁ ଉପସ୍ଥାପନ କରା ଗଲା । ସଂସ୍କାର କାର୍ଯ୍ୟ ବନ୍ଦ କରିବାକୁ ଏହା ସରକାର ଓ ପ୍ରଶାସନ ଉପରେ ଚାପ ଥିଲା କୁହାଯାଇପାରେ । ଗଣ୍ଡଗୋଳକାରୀ ସହରରେ ଥିବା ପୁଲିସର ଟ୍ରାଫିକ ବ୍ୟବସ୍ଥାକୁ ପୋଡି ଛାରଖାର କରି ଦେଲେ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଦୀର୍ଘ ସମୟ ଧରି ହିଂସାକାଣ୍ଡ ଚାଲିଲା । କିନ୍ତୁ, ଗଣ୍ଡଗୋଳକାରୀ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହାନ୍ତିଙ୍କ ପୁରୀସ୍ଥିତ ବାସଭବନରେ ପଶି କେବଳ ଫୁଲକୁଣ୍ଡ ଭାଙ୍ଗିବାରେ ସୀମିତ ରହିଲେ । ତେଣୁ, ଏହା ଏକ ପ୍ରୟୋଜିତ ହିଂସା ହିଁ କୁହାଯିବ ।

ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ସଂସ୍କାର କାର୍ଯ୍ୟକୁ ରୋକିବା ପାଇଁ ସୁପ୍ରିମ କୋର୍ଟ ଓ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇବା ଏଭଳି ନିନ୍ଦନୀୟ କାର୍ଯ୍ୟ ହୋଇଥିବା ଏଥିରୁ ଅନୁମାନ କରାଯାଉଛି । ପୁରୀର ସାଧାରଣ ଓ ପୁଲିସ ପ୍ରଶାସନ ରାଜନୈତିକ ବାଧ୍ୟବାଧକତାରୁ କିଛି ଘଂଟା ନୀରବ ରହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ପୁରୀ ବିଧାୟକ ତଥା ମନ୍ତ୍ରୀ ଚାପରେ ରହିବାର ପ୍ରମୁଖ କାରଣ ହେଉଛି, ଶ୍ରୀମନ୍ଦିର ସେବକ ଓ ଶ୍ରୀଜଗନ୍ନାଥଙ୍କ ନାଁରେ ଚାଲି ଥିବା ବିଭିନ୍ନ ସାମାଜିକ ସଂଗଠନକୁ ଅସନ୍ତୁଷ୍ଟ କରି ସେ ପୁରୀରେ ରାଜନୀତି କରିବା ଅସମ୍ଭବ । ରାଜ୍ୟ ସରକାର ମଧ୍ୟ ଏକାଭଳି ଚାପରେ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ, ବିରୋଧୀ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଜଗନ୍ନାଥଙ୍କ ଦର୍ଶନରୁ ସବୁ ରାଜନୈତିକ କାର୍ଯ୍ୟ ଆରମ୍ଭ କରିଥା’ନ୍ତି । ନିର୍ବାଚନ ବର୍ଷରେ ଦଇତାପତି ବା ଶ୍ରୀମନ୍ଦିର ସେବକଙ୍କୁ ଅସନ୍ତୁଷ୍ଟ କରିବାକୁ କେହି ଚାହାନ୍ତି ନାହିଁ । ଦଇତାପତି ନିଯୋଗ ବା ଶ୍ରୀ ଜଗନ୍ନାଥଙ୍କ ସେବକଙ୍କୁ ଅସନ୍ତୁଷ୍ଟ କଲେ ଶ୍ରୀମନ୍ଦିରରେ ବିଭନ୍ନ ପ୍ରକାର ସେବା ବିଭ୍ରାଟର ଆଶଙ୍କା ରହିଛି । ତେଣୁ, ଶାସକ ଦଳର ନେତାମାନେ ଏହି ଭୟରେ ସର୍ବଦା ଦଇତାପତିଙ୍କ ପକ୍ଷ ନେଇ ଆସିଛନ୍ତି ।

୨୦୧୫ରେ ଶ୍ରୀଜୀଉଙ୍କ ନବକଳେବର ବେଳେ ହୋଇଥିବା ବ୍ରହ୍ମ ବିଭ୍ରାଟ ସଂପର୍କରେ ସମସ୍ତେ ଜାଣନ୍ତି । ସରକାର ଏହାର ତଦନ୍ତ କରାଇଥିଲେ । ତଦନ୍ତ ରିପୋର୍ଟ ମିଳି ସାରିଥିଲେ ମଧ୍ୟ ତାହା ସର୍ବସାଧାରଣରେ ଉପସ୍ଥାପନ ହେଉ ନାହିଁ । ରିପୋର୍ଟକୁ ଚାପାଇ ରଖା ଯାଇଛି । ନବକଳେବର ସମୟରେ ରାଜ୍ୟ ସରକାରଙ୍କ କିଛି ପ୍ରଭାବଶାଳୀ ମନ୍ତ୍ରୀ ଓ ନେତା (ସେଥିରୁ କିଛି ଏବେ ଶାସକ ବିଜେଡ଼ିର ସାଂଗଠନିକ ଦାୟିତ୍ୱରେ ଅଛନ୍ତି) ପୁରୀ ଗସ୍ତରେ ଯାଇ ଦଇତାପତିଙ୍କ ସହ ଏକା ଦରିରେ ଶୋଇ ଆତ୍ମିୟତା ପ୍ରଦର୍ଶନ କରିଥିବା ଏବଂ ରାଜ୍ୟର ଜଣେ ପୂର୍ବତନ ପୁଲିସ ମହାନିର୍ଦେଶକ ସର୍ବସମ୍ମୁଖରେ ଦଇତାପତିଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଉ ଥିବାର ଦୃଶ୍ୟ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇ ରାଜ୍ୟ ସରକାରଙ୍କୁ ସମାଲୋଚନାର ଶରବ୍ୟ କରିଥିଲା । ଏଥିରୁ ପୁଣୀ ଶ୍ରୀମନ୍ଦରର ସେବକମାନେ କେତେଦୂର ପ୍ରଭାବଶାଳୀ ସ୍ପଷ୍ଟ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟରୁ ଓ ରାଜ୍ୟ ବାହାରୁ ପ୍ରତି ଦିନ ହଜାର ହଜାର ସଂଖ୍ୟକ ଭକ୍ତ ପୁରୀ ଆସନ୍ତି । ତେବେ,ଏହି ଭକ୍ତମାନେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଯେତିକି ଚିନ୍ତା ବ୍ୟକ୍ତ କରି ନ ଥା’ନ୍ତି, ଶ୍ରୀମନ୍ଦିରରେ ଭିତରେ ସେବକମାନଙ୍କ ଆଡୁ ହେଉଥିବା ଦୁର୍ବ୍ୟହାର ନେଇ ସେତିକି ଅଶାନ୍ତି ପ୍ରକାଶ କରିଥା’ନ୍ତି । ମନ୍ଦିର ଭିତରେ ଭକ୍ତଙ୍କୁ ମାଡ ମାରିବା, ମହିଳାଙ୍କୁ ଅସଦାଚରଣ କରିବା ନିତି ଦିନିଆ ଘଟଣା । ଶ୍ରୀମନ୍ଦିର ପୁଲିସ ଏହାକୁ ରୋକିବାରେ ବିଭିନ୍ନ କାରଣରୁ ଅସମର୍ଥ ।

ମୃଣାଳିନୀ ପାଢୀ ନାମକ ଜଣେ ସାମାଜିକ କର୍ମୀ ଏଭଳି ଅବ୍ୟବସ୍ଥାକୁ ବିରୋଧ କରି ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାଏର କରିବା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ହାଇକୋର୍ଟଙ୍କ ମାଧ୍ୟମରେ ପୁରୀ ଜିଲ୍ଲା ଜଜ୍ ଙ୍କ ଦ୍ୱାରା ଅଭିଯୋଗ ଗୁଡିକର ତଦନ୍ତ କରାଇ ଥିଲେ । ଶ୍ରୀମନ୍ଦିରରେ ଆବଶ୍ୟକ ସଂସ୍କାର ଆଣିବା ସକାଶେ ଆବଶ୍ୟକ ସୁପାରିଶ କରିବାକୁ ମଧ୍ୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୁରୀ ଜିଲ୍ଲା ଜଜ୍ ଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲା ଜଜ୍ ନିର୍ଦେଶ ପାଇବା ପରେ ଶ୍ରୀମନ୍ଦିର ସହ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି ଆଲୋଚନା କରିବା ସହ ଶ୍ରୀ ମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ପାଇଁ ଏକ ୧୨ ସୂତ୍ରୀ ପ୍ରସ୍ତାବପତ୍ର ସୁପ୍ରିମ କୋର୍ଟଙ୍କ ନିକଟରେ ଦାଖଲ କରି ଥିଲେ । ସୁପ୍ରିମ କୋର୍ଟ ଏହି ପ୍ରସ୍ତାବ ଗୁଡିକୁ ଗ୍ରହର କରି ସେସବୁ କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଏହି ପ୍ରସ୍ତାବଗୁଡିକ ମଧ୍ୟରେ ଶ୍ରୀମନ୍ଦିରରେ ଆଟିକା ଓ ଥାଳି ଦାନ ବ୍ୟବସ୍ଥାର ଉଚ୍ଛେଦ, ବଂଶାନୁକ୍ରମିକ ସେବା ବନ୍ଦ କରାଯିବା, ଭକ୍ତମାନଙ୍କ ନିରାପଦ ଦର୍ଶନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଅନ୍ୟତମ ।

ଶ୍ରୀମନ୍ଦିର ସେବକମାନେ ଭକ୍ତମାନଙ୍କ ଠାରୁ ଦକ୍ଷିଣା ଗ୍ରହଣ କରିବେ ନାହିଁ ଏବଂ ଆଟିକା ଓ ଥାଳି ଦାନ ବ୍ୟବସ୍ଥା ଉଚ୍ଛେଦ ହେବ । ସୁପ୍ରିମ କୋର୍ଟଙ୍କ ଏହି ନିର୍ଦେଶ ସେବାୟତଙ୍କ ଆର୍ଥିକ ସ୍ୱଚ୍ଛଳତା ପ୍ରତି କୁଠାରାଘାତ କରିଛି । ସେହିପରି, ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଚାଲି ଥିବା ବଂଶାନୁକ୍ରିମକ ସେବା ପରଂପରା ଉଚ୍ଛେଦ ହେଲେ ସେମାନଙ୍କ ପାରିବାରିକ ଭବିଷ୍ୟତକୁ ମଧ୍ୟ ଅନିଶ୍ଚିତ କରି ଦେଉଛି । ଭକ୍ତଙ୍କ ନିରାପଦ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହେଲେ ସେବାୟତମାନେ ଶ୍ରୀମନ୍ଦିର ଉପରେ ବାକି ନିୟନ୍ତ୍ରଣ ମଧ୍ୟ ହରାଇବେ । ତେଣୁ, ସେମାନେ ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ନେଇ ଅସୁରକ୍ଷିତ ହୋଇ ପଡିଛନ୍ତି । ସେବାୟତଙ୍କ ଭୋଟ ବ୍ୟାଙ୍କ୍ ଅସୁରକ୍ଷିତ ହେଲେ ରାଜନେତାମାନେ ମଧ୍ୟ ଅସୁରକ୍ଷିତ ହୋଇ ପଡିବେ । ତେଣୁ, ସେବାୟତ ନେତା ବିବ୍ରତ । ଜାତି, ଧର୍ମ ନିର୍ବିଶେଷରେ ଶ୍ରୀମନ୍ଦିରରେ ସମସ୍ତଙ୍କ ପାଇଁ ପ୍ରବେଶ ଅନୁମତି ଦିଆଯିବା ସପକ୍ଷରେ ସୁପ୍ରିମ କୋର୍ଟଙ୍କ ପ୍ରସ୍ତାବକୁ ନେଇ ପ୍ରଥମେ ଝଡ ଉଠିଲା । ପୁରୀ ଗଜପତି ଦିବ୍ୟସିଂହ ଦେବ ଓ ପୁରୀ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ଚାଲି ଆସି ଥିବା ‘ହିନ୍ଦୁ’ ଆଧିପତ୍ୟ ଓ ପରଂପରାକୁ ବଦଳା ଯିବା ସପକ୍ଷରେ ନୁହନ୍ତି । ତେଣୁ, କୋର୍ଟଙ୍କ ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଚାଲି ଯାଇଛି । ଏବେ, ବଂଶାନୁକ୍ରମିକ ସେବା ପରଂପରାର ଉଚ୍ଛେଦ, ମନ୍ଦିରରେ ଆଟିକା ଓ ଥାଳି ଦାନ ବ୍ୟବସ୍ଥା ବନ୍ଦ କରାଯିବା ଏବଂ ଭକ୍ତଙ୍କ ଠାରୁ ସେବାୟତମାନେ ଦକ୍ଷିଣା ଗ୍ରହଣ କରିବା ବନ୍ଦ ହେବା ଫଳରେ ସେବାୟତ ଓ ସେମାନଙ୍କ ପୃଷ୍ଠପୋଷକମାନେ କ୍ଷୁବ୍ଧ ।

ରାଜନେତାମାନେ ସେବାୟତମାନଙ୍କୁ ଅସନ୍ତୁଷ୍ଟ କଲା ଭଳି ପଦକ୍ଷେପ ନିଆଯିବା ସପକ୍ଷରେ ନ ଥିଲା ବେଳେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ସେତିରେ ବାଧକ ହୋଇଛି । ଶ୍ରୀ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କୋର୍ଟ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ବାଧ୍ୟ । ସେଥିରେ ଅବହେଳା ହେଲେ ‘କୋର୍ଟଙ୍କ ଅବମାନନା’ ମାମଲାରେ ଦଣ୍ଡିତ ହେବା ଆଶଙ୍କା ରହିଛି । ତେଣୁ, ରଥଯାତ୍ରା ସରିବା ପରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପ୍ରକାରେ ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସୁପ୍ରିମ କୋର୍ଟ ସଂସ୍କାର ବ୍ୟବସ୍ଥାକୁ ସୁଗମ କରିବା ସକାଶେ ବରିଷ୍ଟ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ‘ଅମିକସ୍ କ୍ୟୁରି’ ଭାବେ ନିଯୁକ୍ତି ଦେଇଛନ୍ତି । ସୁବ୍ରମଣ୍ୟମ ନିକଟରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପୁରୀରେ ଅବସ୍ଥାନ କରିଥିଲେ । ସେ ଶ୍ରୀମନ୍ଦିର ପରିଦର୍ଶନ କରିବା ସହ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପୁଲିସ ଓ ସାଧାରଣ ପ୍ରଶାସନ, ଦଇତାପତି ନିୟୋଗ ଏବଂ ଅନ୍ୟ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ସଂସ୍କାର ପ୍ରସ୍ତାବ ଗୁଡିକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇ ଫେରି ଯାଇଛନ୍ତି । ପୁରୀ ଶ୍ରୀମନ୍ଦିରର ନିଆରା ପରଂପରା ସଂପର୍କରେ ଅଧିକ ତଥ୍ୟ ସେ ମନ୍ଦିର ପ୍ରଶାସନକୁ ମଧ୍ୟ ମାଗି ଥିବା ଜଣାପଡିଛି । ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଦିଲ୍ଲୀ ଫେରି ଯିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ଟୋବର ପହିଲାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରଥମ ଦିନର ସାମାନ୍ୟ ବିରୋଧ ସତ୍ୱେ ଭକ୍ତଙ୍କ ଦ୍ୱାରା ଏହି ବ୍ୟବସ୍ଥା ଗ୍ରହଣୀୟ ହୋଇଯିବ ବୋଲି ପ୍ରଶାସନ ଆଶା କରିଥିଲେ । ତେବେ, ବୁଧବାର ଘଟି ଥିବା ହିଂସା ପୁରୀ ସହରର ସମୃଦ୍ଧ ଇତିହାସକୁ କଳଂକିତ କରିଛି । ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ମଧ୍ୟ ବୁଧବାର ଘଟିଥିବା ଚରମ ବିଶୃଙ୍ଖଳାର ସଂପୂର୍ଣ୍ଣ ବିବରଣୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଫଟୋ ମାଗିଛନ୍ତି ।

ରାଜ୍ୟ ପୁଲିସ ପ୍ରଶାସନ ସିସିଟିଭି ଫୁଟେଜ ଭିତ୍ତିରେ ଗଣ୍ଡାଗୋଳକାରୀଙ୍କୁ ଗିରଫ କରିବା ଆରମ୍ଭ କରିବା ପରେ ପୁରୀ ସହରର ବାତାବରଣ ଶାନ୍ତ ରହିଛି । ତେବେ, ଭବିଷ୍ୟତରେ ଏଭଳି ହିଂସାର ପୁନରାବୃତ୍ତି ଘଟିବ ନାହିଁ ବୋଲି କହିବା ଠିକ ହେବ ନାହିଁ । ବିନା ରାଜନୈତିକ ପୃଷ୍ଠପୋଷକତାରେ ଏଭଳି ହିଂସା ଅସମ୍ଭବ । ପୁରୀ ସହରବାସୀଙ୍କ ଜଗନ୍ନାଥ ଦର୍ଶନ ପାଇଁ ସ୍ୱତନ୍ତ୍ର ସୁବିଧା ଦାବି ଆଳରେ ବୁଧବାର ଘଟି ଥିବା ହିଂସାରେ ପୁରୀ ସହରବାସୀଙ୍କ ଭୂମିକା କମ୍ । କିଛି ମୁଷ୍ଠିମେୟ ବିଶୃଙ୍ଖଳାକାରୀ ‘ବନ୍ଦ’ର ସୁଯୋଗ ନେଇ ଏଭଳି କାଣ୍ଡ ଘଟାଇ ଥିଲେ । ଏହି ହିଂସାକାଣ୍ଡ ସହ ଶାସକ ଦଳର ମଧ୍ୟ କିଛିଟା ସଂପର୍କ ଥିବା ସନେ୍ଦହ କରାଯାଉ ଥିବାରୁ ରାଜ୍ୟ ସରକାର ଏହାର ବିଧିବଦ୍ଧ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ନିଜର ଭାବମୂର୍ତୀ ସଜାଡିବା ଆବଶ୍ୟକ । ନ ହେଲେ ବିଶ୍ୱ ଦରବାରରେ ରାଜ୍ୟ ସରକାର ନିନ୍ଦିତ ହେବା ସହ ପୁରୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପର୍ଯ୍ୟଟନ ସ୍ଥଳ ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ହରାଇ ବିଶେଷ କ୍ଷତିଗ୍ରସ୍ତ ହେବ ।