

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାପ ଓ ଓଜନ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଏବଂ ମାପ ଓ ଓଜନ ବିଭାଗ ତରଫରୁ ଗତ ମଙ୍ଗଳବାର ଦିନ କନିସି ତହସିଲ ଅଞ୍ଚଳର ଡୁରା, କରାପଲ୍ଲୀ, ନାରାୟଣପୁର ଓ ଗୋଳାବନ୍ଧରେ ଥିବା ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ମାପ ଓ ଓଜନ ଗୁଡିକ ଯାଞ୍ଚ କରାଯାଇଥିଲା । ସେଥିରେ ୪ ଜଣ ବ୍ୟବସାୟୀ ନବୀକରଣ ନକରି ଓଜନ ଯନ୍ତ୍ର ବ୍ୟବହାର କରୁଥିବା ଏବଂ ୩ ଜଣ ବ୍ୟବସାୟୀ ଓଜନ ଯନ୍ତ୍ରର ସାର୍ଟିଫିକେଟ ବ୍ୟବସାୟ ପ୍ରତିଷ୍ଠାନରେ ଝୁଲାଇ ରଖିନଥିବା ଦେଖିବାକୁ ମିଳିଥିଲା । ମାପ ଓଜନ ନିୟମ ଖିଲାପ କରିଥିବାରୁ ସେମାନଙ୍କ ଠାରୁ ୨୫୦୦୦ ଜୋରିମାନା ଆଦାୟ କରାଯାଇଛି । ଏହି ଚଢ଼ାଉରେ ଭାରପ୍ରାପ୍ତ ତହସିଲଦାର ଅନିତା ସାହୁ ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ ଏବଂ ନିରୀକ୍ଷକ ସାଗରୀକା ସାବତ ଅଂଶ ଗ୍ରହଣ କରିଥିଲେ ।ସେହିପରି ସୋମବାର ବ୍ରହ୍ମପୁର ମହାନଗର ନିଗମରେ ଚଢ଼ାଉ କରାଯାଇ ପ୍ରସ୍ତୁତ କର୍ତ୍ତାଙ୍କ ଠାରୁ ୩୦୦୦୦ ଜୋରିମାନା ଆଦାୟ କରାଯାଇଥିଲା ଏବଂ ଗୋଟିଏ ବ୍ୟାଙ୍କ ଓ ଫଳ ବ୍ୟବସାୟୀକୁ ଯଥାକ୍ରମେ ୧୦୦୦୦/- ଟଙ୍କା ଏବଂ ୫୦୦୦/-ଟଙ୍କା ନୋଟିସ କରାଯାଇଛି । ସୋମବାର ଚଢ଼ାଉରେ ୫T ଟିମ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

