ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀର ଦ୍ୱିତୀୟ ଲହର ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ, ସଟଡାଉନ ଜାରି ରଖିଛନ୍ତି । କରୋନାର ଦ୍ୱିତୀୟ ଲହରକୁ ପରାସ୍ତ କରିବାରେ ଓଡ଼ିଶାରେ ଉଦ୍ୟମ ଅବ୍ୟାହତ ରହିଛି । ଗୁରୁତ୍ଵ ପୂର୍ଣ୍ଣ ବିଷୟ ହେଉଛି ଏଠାରେ ଓଡ଼ିଆ ଲୋକମାନେ ବିଦେଶରେ ରହି ମଧ୍ୟ ଓଡ଼ିଶା ବାସୀଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି । ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ଼-୧୯କୁ ୩ ଲକ୍ଷ ୮୨ହଜାର ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଅଛି । ଏହି ଡ୍ରାଫ୍ଟ ରାଜ୍ୟ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନର ସମ୍ପାଦକ ସମ୍ପଦ କୁମାର ବଳଙ୍କ ସମେତ ହିମାଂଶୁ ବଳ ଏବଂ ସଞ୍ଜିତ ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନ ତରଫରୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ଜନହିତକର କାର୍ଯ୍ୟକୁ ନେଇ କରୋନା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ସମ୍ପଦ କୁମାର ବଳଙ୍କ ତତ୍ୱାବଧାନରେ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସେ ଓମାନରେ ରହୁଥିବା ଓଡ଼ିଆ ଲୋକଙ୍କ ସହିତ କଥାବାର୍ତ୍ତା କରି ସଂଯୋଜନା କରିଥିଲେ । ଏହି ମହତ କାର୍ଯ୍ୟରେ ତାଙ୍କର ଅବଦାନ ଅତୁଳନୀୟ । ତେବେ ଏହି ପରିପେକ୍ଷୀରେ ଏହି ସାଧୁ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇଛି ।