ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଶାସନିକ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଘୋଷଣା କରିଥିବା ଫାଇବ ବି କାର୍ଯ୍ୟ ଖସଡ଼ା ଆଧାରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ କରାଯାଉଥିବା ପୁଷ୍ଟି ଦିବସରେ ଗର୍ଭବତୀ ମହିଳା ଓ ଶିଶୁ ଜନ୍ମ ଦେଇଥିବା ମହିଳା ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବାକୁ ପରାମର୍ଶ ଦିଆଯିବ । ମୋବାଇଲ ଟେଲିଫୋନ ମାଧ୍ୟମରେ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ପ୍ରୟୋଗାତ୍ମକ ଶୈଳୀ ସୃଷ୍ଟି କରାଯିବ । ଏହା ଓଡ଼ିଆ ଭାଷାରେ ହେବା ସହିତ ପ୍ରତ୍ୟେକ ମହିଳାଙ୍କୁ ସମୟ ଆଧାରରେ ସେମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ପ୍ରଦାନ କରାଯିବ । କେତେକ ସ୍ଥଳରେ ମୋବାଇଲ ଟେଲିଫୋନ ଦୃଶ୍ୟ ମାଧ୍ୟମରେ ସମ୍ପୃକ୍ତ ଡାକ୍ତର ଏହି ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ପରାମର୍ଶ ଦେବେ । ମାତୃ ସ୍ତନ୍ୟପାନ ଜିଲ୍ଲାରେ ୯୨ ପ୍ରତିଶତ ଥିବା ସ୍ଥଳେ ଜିଲ୍ଲାପାଳ ଏହାକୁ ୧୦୦ ପ୍ରତିଶତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଭ୍ରାମ୍ୟମାଣ ଲିଙ୍ଗ ନିରୂପଣ ଯନ୍ତ୍ର ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏଥିପ୍ରତି ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସଜାଗ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ କାୟାକଳ୍ପ ମାଧ୍ୟମରେ ଡାକ୍ତରଖାନା ଗୃହ ଗୁଡିକର ଉନ୍ନତିକରଣ ଅଦ୍ୟାବଧି ୭୦ ପ୍ରତିଶତ ହାସଲ ହୋଇଥିବା ସ୍ଥଳେ ଜିଲ୍ଲାପାଳ ଏହାକୁ ଶତପ୍ରତିଶତ କରିବା ପାଇଁ କହିଛନ୍ତି । ପ୍ରତ୍ୟେକ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପୋଷାକ ପରିଧାନ କରିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ନିଦାନ ପରୀକ୍ଷାଗାର ଗୁଡିକର ଦାୟିତ୍ୱରେ ଥିବା କର୍ମଚାରୀ ସମସ୍ତ ନିଦାନ ପରୀକ୍ଷାରେ ନିପୂଣ ହେବା ପାଇଁ ତାଙ୍କୁ ତାଲିମ ଦିଆଯିବ । କୁଷ୍ଠରୋଗ ସଂକ୍ରମଣ ଆରମ୍ଭରୁ ରୋଗୀଙ୍କୁ ଚିହ୍ନଟ କରି ଔଷଧ ସେବନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ଯଦି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଅବହେଳାକୁ କୌଣସି କୁଷ୍ଠରୋଗୀର ଅଙ୍ଗ ବିକୃତ ହୁଏ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ । ପ୍ରତ୍ୟେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ଚିକିତ୍ସା ସୁବିଧା ଉପରେ ମତାମତ ନିଆଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ପାଣିଗ୍ରାହୀ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚିକିତ୍ସକମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା