

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ହିଞ୍ଜିଳି ଆସନ ପାଇଁ ନବୀନ ଦାଖଲ କରିଥିବା ନାମାଙ୍କନପତ୍ରରେ ତ୍ରୁଟି ଥିବା ଅଭିଯୋଗ କରି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ପୀତାମ୍ବର ଆଚାର୍ଯ୍ୟ ବିଜେପି ଟିକେଟ୍ରେ ହିଞ୍ଜିଳି ଆସନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି । ସେ କହିଛନ୍ତି,“କୋଇଲା ଦୁର୍ନୀତିରେ ସିବିଆଇ ନବୀନଙ୍କୁ ଜେରା କରିଛି । ହେଲେ ସେ ଦାଖଲ କରିଥିବା ପ୍ରାର୍ଥିପତ୍ରରେ ଏନେଇ ତଥ୍ୟ ଦେଇନାହାନ୍ତି । ଏପରିକି ପ୍ରାର୍ଥିପତ୍ରର ଗୋଟିଏ ସ୍ଥାନରେ ନବୀନ ଦସ୍ତଖତ ମଧ୍ୟ କରିନାହାନ୍ତି । ତେଣୁ ନବୀନଙ୍କ ପ୍ରାର୍ଥିପତ୍ର ଖାରଜ କରାଯାଉ ବୋଲି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାବି କରିଛି । ଯଦି ଏହା କାଏମ ରହେ, କୋର୍ଟରେ ନିଶ୍ଚିତ ଖାରଜ ହେବ । ସେପଟେ ନବୀନଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା କହିଛନ୍ତି ରିଟର୍ଣ୍ଣିଂ ଅଫିସର ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

