ମୂର୍ତ୍ତି ଚୋରା ଚାଲାଣକାରୀ ଧରାପଡିଲା ଅଢ଼େଇ କୋଟି ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଜବତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ତଥା ଦେଶ ବାହାରକୁ ମୂର୍ତ୍ତୀ ଚୋରା ଚାଲାଣ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ) ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳର ସୟଦ ଜିଲ୍ନୋର୍ ଓରଫ କଟା ଓରଫ ରାଜା (୪୬) । ତା’ ନିକଟରୁ ଦୁଇଟି ଅଷ୍ଟଧାତୁ ମୂର୍ତ୍ତୀ ଜବତ ହୋଇଛି । ଯାହାର ମୂଲ୍ୟ ଅଢେଇ କୋଟି ଟଙ୍କା ହେବ । ପୁଲିସ ତା’ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏସଟିଏଫ ସୂଚନା ଅନୁସାରେ, କିଛିଦିନ ହେଲା ଯଦୁପୁର ଅଞ୍ଚଳର ରାଜା ପୁରୁଣା ମୂର୍ତ୍ତୀ ସଂଗ୍ରହ କରି ରାଜ୍ୟ ବାହାରକୁ ଚାଲାଣ କରୁଥିବା ଏସଟିଏଫକୁ ସୂଚନା ମିଳିଥିଲା । ପରେ ଏସଟିଏଫ ଆଇଜି ଯତୀନ୍ଦ୍ର କୋଏଲଙ୍କ ନିର୍ଦ୍ଦେଶକ୍ରମେ ଡିଏସପି ପ୍ରିୟରଞ୍ଜନ ଶତପଥିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତାଙ୍କ ଘର ଉପରେ ଚଢଉ କରିଥିଲା । ଚଢଉ ବେଳେ ପୋଲିସ ତାଙ୍କ ଘରୁ ଦୁଇଟି ଅଷ୍ଟଧାତୁ ମୂର୍ତ୍ତୀ ଜବତ କରିଥିଲା । ଯାହାର ସେ କୌଣସି କାଗଜପତ୍ର ଦେଖାଇପାରିନଥିଲେ । ପରେ ଏସଟିଏଫ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ଜେରା ବେଳେ ସେ ବିଭିନ୍ନ ମୂର୍ତ୍ତୀ ସଂଗ୍ରହ କରି କୋଲକାତା, କେରଳ, ମୁମ୍ବାଇ ଓ ନେପାଳକୁ ପଠାଉଥିବା ସ୍ୱିକାର କରିଥିଲା । ମାତ୍ର ସେ ମୂର୍ତ୍ତୀଗୁଡିକ କେଉଁଠୁ ସଂଗ୍ରହ କରୁଛି, ସେ ନେଇ କୌଣସି ସୂଚନା ଦେଇନଥିଲା । ତେବେ ସେ ରାଜ୍ୟ ଓ ଦେଶ ବାହାରକୁ ମୂର୍ତ୍ତି ଚୋରା ଚାଲାଣ କରୁଥିବା ଏସଟିଏଫ ଜାଣିବାକୁ ପାଇଛି । ଏହି ଗ୍ୟାଙ୍ଗରେ ଏକାଧିକ ସାମିଲ ଥିବା ବେଳେ ପୁଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି । ଏଥିସହିତ ଏହି ମୂର୍ତ୍ତୀ ଚାଲାଣ ଗ୍ୟାଙ୍ଗ ସମ୍ପର୍କରେ ତଥ୍ୟ ସଂଗ୍ରହ ଲାଗି ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେଇ ଜେରା କରିବାକୁୁ କ୍ରାଇମବ୍ରାଞ୍ଚ ଲକ୍ଷ୍ୟ ରଖିଛି । ତେବେ ଜବତ ମୂର୍ତ୍ତୀଦ୍ୱୟ ମଧ୍ୟରୁ ଗୋଟିକର ଓଜନ ୧୮କିଲୋ ୪୪୦ ଗ୍ରାମ ଓ ଅନ୍ୟଟି ୧୨କିଲୋ ୬୦ଗ୍ରାମ ଓଜନର ହେବ । ଏହି ମୂର୍ତ୍ତୀଟି ପ୍ରାୟ ୧୨୫୨ ମହିସହାର ହେବ ବୋଲି ଅନୁମାନ କରାଯାଉଛି । ଏହାର ସତ୍ୟାସତ୍ୟ ଜାଣିବା ଲାଗି ଏସଟିଏଫ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗର ସହଯୋଗ ଲୋଡିବ । ପରେ ଏହି ମୂର୍ତ୍ତୀ କେତେ ମସିହାର ଓ କେଉଁଠୁ ଆସିଛି, ତାହା ସ୍ପଷ୍ଟ ହୋଇଯିବ । ତେବେ ଏହି ମୂର୍ତ୍ତୀର ଅନ୍ତଃର୍ଜତୀୟ ମାର୍କେଟରେ ଏହାର ମୂଲ୍ୟ ପାଖାପାଖି ଅଢେଇ କୋଟି ଟଙ୍କା ହେବ । ଏସଟିଏଫ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଥିବା ବେଳେ ମୂର୍ତ୍ତୀ ଚୋରା ଚାଲାଣକାରୀ ଗ୍ୟାଙ୍ଗକୁ ଠାବ କରିବାକୁ ଉଦ୍ୟମ କରୁଛି ।

ରିପୋର୍ଟ : ଆକାଶ ମିଶ୍ର